ଖୋର୍ଦ୍ଧାରେ ବ୍ରାଉନସୁଗାର ବେପାରୀ ଗିରଫ, ୫୨ ଗ୍ରାମ ଧଳାଜହର ଜବତ
ନନ୍ଦିଘୋଷ ବ୍ୟୁରୋ : ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅଧୀନ କମାଗୁରୁ ଗାଁ ରାସ୍ତାରେ ବ୍ରାଉନସୁଗାର କାରବାର ଅଭିଯୋଗରେ ଜଣେ ବେପାରୀକୁ ଗିରଫ କରିଛି ଟାଙ୍ଗୀ ଅବକାରୀ ପୋଲିସ। ଧଳାଜହର ବିକ୍ରି ହେଉଥିବା ନେଇ ସୂଚନା ପାଇବା ପରେ ଅବକାରୀ ବିଭାଗ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଅଭିଯୁକ୍ତ ପାଣ୍ଡବ ବେହେରାଙ୍କୁ କାବୁ କରାଯାଇଥିଲା। ତାଙ୍କ ନିକଟରୁ ୫୨ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ଜବତ ଧଳାଜହରର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗିରଫ ପାଣ୍ଡବ ବେହେରାଙ୍କ ବୟସ ୩୨ ବର୍ଷ। ତାଙ୍କ ଘର ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଧୀନ ମୟୁରଝଲିଆ ଗାଁରେ ବୋଲି ଜଣାପଡ଼ିଛି। ସେ ବିଭିନ୍ନ ଗାଁରେ ନିୟମିତ ଭାବେ ବ୍ରାଉନସୁଗାର ବିକ୍ରି କରୁଥିବା ଅଭିଯୋଗ ରହିଛି। ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଆଗକୁ ପୂଜା ପର୍ବ ଥିବାରୁ ନିଶା କାରବାର ରୋକିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ଜୋରଦାର କରାଯିବ ବୋଲି ଇନ୍ସପେକ୍ଟର ଅଜିତ କୁମାର ପାତ୍ର ସୂଚନା ଦେଇଛନ୍ତି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
