କମୁଛି ଜନ୍ମହାର, ବଢ଼ୁଛି ବୟସ୍କଙ୍କ ସଂଖ୍ୟା: ଭବିଷ୍ୟତ ପାଇଁ ସତର୍କ କଲେ ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ : ଭାରତରେ ପ୍ରଜନନ ହାର (ଟୋଟାଲ୍ ଫର୍ଟିଲିଟି ରେଟ୍) କ୍ରମାଗତ ଭାବେ ହ୍ରାସ ପାଉଥିବାରୁ ଭବିଷ୍ୟତରେ ଦେଶର ଜନସଂଖ୍ୟା ଗତ ସ୍ଥିତିରେ ବଡ଼ ପରିବର୍ତ୍ତନ ଘଟିବାକୁ ଯାଉଛି ।
ଶିଶୁଙ୍କ ସଂଖ୍ୟା କମିବା ସହ ବୟସ୍କଙ୍କ ଅନୁପାତ ବଢ଼ିବା ଫଳରେ ଦେଶର କାର୍ଯ୍ୟକ୍ଷମ ଜନସଂଖ୍ୟା ଓ ଅର୍ଥନୈତିକ ଅଭିବୃଦ୍ଧି ଉପରେ ଦୀର୍ଘକାଳୀନ ପ୍ରଭାବ ପଡ଼ିପାରେ ।
ଏଭଳି ପରିବର୍ତ୍ତିତ ଜନସଂଖ୍ୟାଗତ ସ୍ଥିତିକୁ ନେଇ ସୁପ୍ରିମ୍କୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍ତି ।
ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ପ୍ରସ୍ତୁତ ପୁରୁଣା ନୀତି ଓ ଆଇନର ପୁନର୍ବିଚାର କରିବାର ସମୟ ଆସିଛି ବୋଲି କୋର୍ଟ ମତ ଦେଇଛନ୍ତି ।
Advertisment ଗତକାଲି ଏକ ମାମଲାର ଶୁଣାଣି ସମୟରେ ଜଷ୍ଟିସ୍ ପି.ଏସ୍.
ନରସିଂହ ଓ ଜଷ୍ଟିସ୍ ଆଲୋକ ଆରାଧେଙ୍କ ଖଣ୍ଡପୀଠ ଏହି ମତ ଦେଇଛନ୍ତି ।
୨୦୦୩ରେ ଦେଶର ମୋଟ ପ୍ରଜନନ ହାର ୩.୦୨ ଥିବାବେଳେ ୨୦୨୪ରେ ଏହା ହ୍ରାସ ପାଇ ୧.୯ରେ ପହଞ୍ଚିଛି ।
ଜନସଂଖ୍ୟା ସ୍ଥିର ରଖିବା ପାଇଁ ଆବଶ୍ୟକ ପ୍ରଜନନ ହାର ୨.୧ ରହିଥିବାବେଳେ ଭାରତ ଏହାଠାରୁ ତଳକୁ ଖସିଯାଇଛି ।
ମହାରାଷ୍ଟ୍ରର ମଙ୍ଗଳା ଭୀମରାଓ ଇଙ୍ଗଲେଙ୍କ ସରପଞ୍ଚ ନିର୍ବାଚନକୁ ରଦ୍ଦ କରାଯିବା ସଂକ୍ରାନ୍ତ ମାମଲାର ଶୁଣାଣି ବେଳେ ଏହି ପ୍ରସଙ୍ଗ ଉଠିଥିଲା ।
ଦୁଇ ସନ୍ତାନରୁ ଅଧିକ ସନ୍ତାନ ଥିବା ବ୍ୟକ୍ତିଙ୍କୁ ସ୍ଥାନୀୟ ନିର୍ବାଚନ ଲଢ଼ିବାରୁ ବଞ୍ଚିତ କରୁଥିବା ଆଇନର ପ୍ରାସଙ୍ଗିକତା ଏବେ ଶେଷ ହୋଇଛି ବୋଲି ଖଣ୍ଡପୀଠ କହିଛନ୍ତି ।
ଏଥିସହ ୨୦୦୩ର ଜାଭେଦ୍ ବନାମ ହରିୟାଣା ମାମଲା ସମ୍ପର୍କିତ ରାୟର ପୁନର୍ବିଚାର ପାଇଁ ଏହାକୁ ବୃହତ୍ତର ଖଣ୍ଡପୀଠକୁ ପଠାଇଛନ୍ତି ।
ଆମେରିକା ଓ ପାକିସ୍ତାନରୁ ଅର୍ଥ ଆସୁଛି !
ସିଜେପି ଉପରେ କେନ୍ଦ୍ରର ସଙ୍ଗୀନ ଅଭିଯୋଗ ବୟସ୍କଙ୍କ ସଂଖ୍ୟା ବଢ଼ିବ, କମିବ ଶିଶୁଙ୍କ ଅନୁପାତ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟର ଆକଳନ ଅନୁଯାୟୀ, ଭାରତରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ସଂଖ୍ୟା ୨୦୧୧ରେ ପ୍ରାୟ ୧୦ କୋଟି ଥିବାବେଳେ ୨୦୩୬ ସୁଦ୍ଧା ଏହା ୨୩ କୋଟିରେ ପହଞ୍ଚିବ ।
ମୋଟ ଜନସଂଖ୍ୟାରେ ବୟସ୍କଙ୍କ ଅନୁପାତ ଏହି ସମୟ ମଧ୍ୟରେ ୮.୪ ପ୍ରତିଶତରୁ ବୃଦ୍ଧି ପାଇ ୧୪.୯ ପ୍ରତିଶତ ହେବ ।
ଅନ୍ୟପକ୍ଷରେ ୧୫ ବର୍ଷରୁ କମ୍ ବୟସର ଶିଶୁଙ୍କ ଅନୁପାତ ୨୦୧୧ରେ ୩୦.୯ ପ୍ରତିଶତ ଥିବାବେଳେ ୨୦୩୬ ସୁଦ୍ଧା ଏହା ୨୦.୧ ପ୍ରତିଶତକୁ ଖସିବା ଆକଳନ କରାଯାଇଛି ।
ପ୍ରଜନନ ହାର ହ୍ରାସ ଓ ମନୁଷ୍ୟର ହାରାହାରି ଆୟୁ ବୃଦ୍ଧି ଯୋଗୁଁ ଦେଶରେ ବୟସ୍କଙ୍କ ଅନୁପାତ ବଢ଼ିବ ।
ଏହାର ପ୍ରଭାବ ସ୍ୱାସ୍ଥ୍ୟସେବା, ପେନ୍ସନ୍ ବ୍ୟବସ୍ଥା ଓ ସାମାଜିକ ସୁରକ୍ଷା ଉପରେ ପଡ଼ିବ ।
ଅନ୍ୟପକ୍ଷରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଯୁବ ଓ କାର୍ଯ୍ୟକ୍ଷମ ଜନସଂଖ୍ୟା ଧୀରେ ଧୀରେ ହ୍ରାସ ପାଇପାରେ ।
ବର୍ତ୍ତମାନ ଦେଶର ମୋଟ ଜନସଂଖ୍ୟାର ୬୪.୨ ପ୍ରତିଶତ ୧୫ରୁ ୫୯ ବର୍ଷ ବୟସ ବର୍ଗରେ ଅଛନ୍ତି ।
୨୦୩୬ ବେଳକୁ ଏହି ଅନୁପାତ ପ୍ରାୟ ୬୫ ପ୍ରତିଶତରେ ପହଞ୍ଚି ଶୀର୍ଷ ସ୍ତର ଛୁଇଁବ ଓ ତା'ପରେ କମିବ ବୋଲି ଆକଳନ କରାଯାଇଛି ।
ତେଣୁ ଆଗାମୀ ଦିନରେ ଅଧିକ ନିଯୁକ୍ତି ସୃଷ୍ଟି, ଦକ୍ଷତା ବିକାଶ ଏବଂ ବିଶେଷକରି ମହିଳାଙ୍କ ଶ୍ରମଶକ୍ତିରେ ଅଂଶଗ୍ରହଣ ବୃଦ୍ଧି ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ ।
ଭାରତର ଜନସଂଖ୍ୟାଗତ ସୁବିଧାକୁ ଦୀର୍ଘସ୍ଥାୟୀ ଅର୍ଥନୈତିକ ଅଭିବୃଦ୍ଧିରେ ପରିଣତ କରିବା ପାଇଁ ଏହା ଜରୁରୀ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
