ଏମ୍ସ ରେ ଆଖି ବୁଜିଲେ ଆତ୍ମାହୁତି ଉଦ୍ୟମ କରିଥିବା ଯୁବତୀ
ଭୁବନେଶ୍ୱର : ଆତ୍ମାହୁତି ଉଦ୍ୟମ କରିଥିବା ଯୁବତୀଙ୍କର ଭୁବନେଶ୍ୱର ଏମ୍ସରେ ମୃତ୍ୟୁ ଘଟିଛି । ମଙ୍ଗଳବାର ଦିନ ଯୁବତୀ ଜଣକ ଭୁବନେଶ୍ୱରର ଇନ୍ଫୋସିଟି ଥାନା ପଥରଗାଡ଼ିଆ ରୋଡ୍ରେ ଆତ୍ମାହୁତି ଉଦ୍ୟମ କରିଥିଲେ । ତାଙ୍କ ଶରୀରର ପ୍ରାୟ ୯୦% ପୋଡ଼ି ଯାଇଥିଲା। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସେ ଆଖି ବୁଜିଛନ୍ତି। ପୁରୁଷ ବନ୍ଧୁଙ୍କ ମାନସିକ ନିର୍ଯ୍ୟାତନା ଯୋଗୁଁ ଯୁବତୀ ଜଣକ ନିଜ ଦେହରେ ପେଟ୍ରୋଲ ଢାଳି ପୋଡି ହୋଇଥିଲେ । ତେବେ ଯୁବତୀଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ତାଙ୍କୁ ପୋଡ଼ି ମାରିଦେବାକୁ ଉଦ୍ୟମ କରାଯାଇଥିଲା ବୋଲି ତାଙ୍କ ବାପା ଇନ୍ଫୋସିଟି ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ଯୁବତୀ ଜଣଙ୍କ କିଭଳି ଘଟଣାସ୍ଥଳକୁ ଆସିଲେ, ପେଟ୍ରୋଲ କେମିତି କୋଉଠୁ ଆଣିଥିଲେ, ପୋଡ଼ିହେଲା ବେଳେ ଘଟଣାସ୍ଥଳରେ କିଏ କିଏ ଥିଲେ, ସେସବୁ ଜାଣିବା ପାଇଁ ପୋଲିସ ସିସିଟିଭିଗୁଡ଼ିକୁ ଯାଞ୍ଚ କରୁଛି।
ସେପଟେ ଯୁବତୀଙ୍କ ପୁରୁଷ ବନ୍ଧୁ ଅନୁଗୁଳ ଜିଲ୍ଲା ଗୋପାଲପ୍ରସାଦ ଅଂଚଳର ସୌମ୍ୟ ରଞ୍ଜନ ପ୍ରଧାନଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ଜଣେ ଏସିପିଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଟିମ୍ ଘଟଣାର ତଦନ୍ତ କରାଯାଉଛି । ସୂଚନା ଥାଉ ଯେ, ଯୁବତୀଙ୍କ ଘର ଯାଜପୁର ବଡ଼ଚଣାରେ ହୋଇଥିବାବେଳେ ସେ ନୟାପଲ୍ଲୀ ଅଞ୍ଚଳରେ ଥିବା ଏକ ନର୍ସିଂ ସଂସ୍ଥାରେ କମ୍ପ୍ୟୁଟର ଅପରେଟର୍ ଥିଲେ। ସୌମ୍ୟରଞ୍ଜନଙ୍କ ସହ ପ୍ରାୟ ଏକ ବର୍ଷ ପୂର୍ବରୁ ତାଙ୍କର ବ୍ରେକ୍ଅପ୍ ହୋଇଥିଲା । ଏହାପରେ ସେ ସୌମ୍ୟରଞ୍ଜନଙ୍କ ଭାଇଙ୍କ ସହ ବନ୍ଧୁତା କରିବାରୁ ସୌମ୍ୟରଞ୍ଜନଙ୍କୁ ଏହା ପସନ୍ଦ ଆସିନଥିଲା । ସୌମ୍ୟରଞ୍ଜନ ବାରମ୍ବାର ଏହି ଘଟଣାକୁ ନେଇ ଯୁବତୀଙ୍କୁ ଧମକ ଚମକ ଦେଇ ଆସୁଥିଲେ । ଏହାକୁ ନେଇ ସେ ମାନସିକ ଚାପରେ ଥିଲେ । ମଙ୍ଗଳବାର ଯୁବତୀ ପଥରଗାଡ଼ିଆ ରୋଡ୍ରେ ଥିବା ଏକ କାଫେକୁ ସୌମ୍ୟରଞ୍ଜନକୁ ଦେଖା କରିବାକୁ ଆସିଥିଲେ । ସେଠାରେ ଦୁହିଁଙ୍କ ମଧ୍ୟରେ ଉଚ୍ଚବାଚ ହେବା ପରେ ସେ କାଫେ ବାହାରକୁ ଆସି ନିଜ ଦେହରେ ନିଆଁ ଲଗାଇ ଦେଇଥିବା ସୂଚନା ମିଳିଥିଲା । ସେଠାରୁ ତାଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଏବଂ ପରେ ଏମ୍ସରେ ଭର୍ତି କରାଯାଇଥିଲା ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
