ଆରଆଇଙ୍କୁ ମରଣାନ୍ତକ ଆକ୍ରମଣ
ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ତହସିଲ ଅନ୍ତର୍ଗତ ଖୁଣ୍ଟଗାଁର ରାଜସ୍ୱ ନିରୀକ୍ଷକ (RI) ଶ୍ରୀକାନ୍ତ ପାତ୍ରଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ଶୁକ୍ରବାର ସନ୍ଧ୍ୟାରେ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ ଶ୍ରୀକାନ୍ତ ପାତ୍ର । ବେଆଇନ ଜମି କାରବାର ଓ ଜମି ମାଫିଆଙ୍କ କାର୍ଯ୍ୟକଳାପକୁ ବିରୋଧ କରିଥିବାରୁ ଏହି ଆକ୍ରମଣ ହୋଇଥିବା ଜଣା ପଡିଛି ।
ଘଟନାନୁସାରେ, ଶୁକ୍ରବାର ସନ୍ଧ୍ୟାରେ ଆରଆଇ ଶ୍ରୀକାନ୍ତ ପାତ୍ର ଡ୍ୟୁଟି ସାରି ଖୁଣ୍ଟଗାଁରୁ ନିଜ ବାଇକ୍ ଯୋଗେ ରାଉରକେଲା ଉଦିତନଗର ସ୍ଥିତ ବାସଭବନକୁ ଫେରୁଥିବା ବେଳେ ଝିରପାଣି ନିକଟସ୍ଥ ମେଟକୁନ୍ଦ୍ରୀ (ଜାମସେରା ଘାଟ) ପାଖରେ ଅଜଣା ଦୁର୍ବୃତ୍ତମାନେ ତାଙ୍କୁ ପିଛା କରି ଆକ୍ରମଣ କରିଥିଲେ । ଆକ୍ରମଣରେ ତାଙ୍କର ଗୋଟିଏ ଗୋଡ଼ ଏବଂ ହାତରେ ଗଭୀର ଆଘାତ ଲାଗିଛି । ସ୍ଥାନୀୟ ଲୋକ ଓ ପଥଚାରୀଙ୍କ ସହାୟତାରେ ତାଙ୍କୁ ପ୍ରଥମେ ରାଉରକେଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ଅଧିକ ଚିକିତ୍ସା ପାଇଁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଆକ୍ରମଣ ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ପରିବାର ପକ୍ଷରୁ ଏନେଇ ଥାନାରେ ଅଭିଯୋଗ କରାଯିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
