What I’m thinking about: ଯାହା ମୁଁ ଚିନ୍ତଇ: ଅଣ୍ଡାକୁ କେଉଁ ପଟରୁ ଭାଙ୍ଗିବା?

Nov 24, 2026 - 04:20
What I’m thinking about: ଯାହା ମୁଁ ଚିନ୍ତଇ: ଅଣ୍ଡାକୁ କେଉଁ ପଟରୁ ଭାଙ୍ଗିବା?

ଶ୍ୟାମା ପ୍ରସାଦ ଚୌଧୁରୀ ଠିକ୍ ତିନିଶହ ବର୍ଷ ପରେ, ୧୭୨୬ରେ ପ୍ରକାଶିତ ଗୋଟେ ଗପବହିକୁ ଆଜି ପୁଣି ଥରେ ମନେ ପକାଇବା ପଛରେ କାରଣ ବୋଧେ ଏଇଆ ଯେ ଏକୁଟିଆ ବସି ନିଜକୁ କୁତୁକୁତୁ କରିଦେବାକୁ ଇଚ୍ଛା ହେଲେ ଅଥବା ଅସମ୍ଭବ ସ୍ବପ୍ନକୁ କିଛି ସମୟ ପାଇଁ ହେଲେବି, ସତ ବୋଲି ଭାବିବାକୁ ମନ ହେଲେ, ଏଇ ବହିଟିକୁ ମୁଁ ପ୍ରାୟତଃ ଖୋଜେ।

ବିଶେଷକରି ଯେତେବେଳେ ନିଜ ଚାରିପଟେ ନାନାଦି ତୁଚ୍ଛ ବାଦବିବାଦ, ଅତିରଞ୍ଜିତ ହେଇ, ବିଚାର ବିଦ୍ବେଷର ରୂପ ନେବାକୁ ବସେ, ଏଇ ବହିର ପୃଷ୍ଠା ଓଲଟେଇ ତା'ର ଆଗ ପଟୁ, ପଛ ପଟୁ, ମଝିରୁ କୋଉଠୁ ବି ପଢ଼ି ମୁଁ ହସେ, ନ ହେଲେ ଘଡ଼ିଏ, ମନ ମାରି ବସେ।

ନିଜ ସମୟର ଜଣେ ତୀକ୍ଷ୍‌ଣ ସମାଲୋଚକ, ଆୟାର୍ଲାଣ୍ଡର ଆଂଗ୍ଲିକାନ ଧର୍ମଯାଜକ ଏବଂ ବହୁଆଦୃତ ଇଂରେଜୀ ଲେଖକ ଜୋନାଥନ ସ୍ବିଫ୍‌ଟଙ୍କ 'ଟ୍ରାଭେଲ୍‌ସ ଇନ୍‌ଟୁ ସେଭେରାଲ୍ ରିମୋଟ୍ ନେସନ୍‌ସ ଅଫ୍ ଦି ୱାର୍ଲଡ', ଓଡ଼ିଆରେ 'ଗଲିଭରଙ୍କ ଭ୍ରମଣ କାହାଣୀ' ନାମରେ ଅଧିକ ପରିଚିତ।

ପ୍ରଥମ ସଂସ୍କରଣର ଉପସ୍ଥାପନାରେ ଏମିତି ଥିଲା, ସତେ ଅବା, ସ୍ୱିଫ୍‌ଟ ନୁହନ୍ତି, ବରଂ ଲେମୁଏଲ ଗଲିଭର ନାମକ କେହି ଜଣେ, ନିଜର ପ୍ରାୟ ଷୋହଳ ବର୍ଷର ସତସତିକା ଭ୍ରମଣବୃତ୍ତାନ୍ତ ଲେଖିଛନ୍ତି!

ଚାରିଟି ସମୁଦ୍ର ଯାତ୍ରାରେ, ଗଲିଭର ପହଞ୍ଚିଥିବା ଜାଗା ମଧ୍ୟରୁ ଅଧିକାଂଶ ମନଗଢ଼ା।

ଜାପାନ ଓ ନିଉହଲାଣ୍ଡ ହେଉଛି ଦୁଇଟି ବାସ୍ତବ ଜାଗା।

ଭାରତର ସୁରତ ମଧ୍ୟ ତାଙ୍କ ଯାତ୍ରାରେ ଏକ ପ୍ରକୃତ ଭୌଗୋଳିକ ସ୍ଥାନ ଭାବେ ଆସିବାର ଥିଲା।

ତେବେ ପ୍ରତିକୂଳ ପାଗ ଯୋଗୁଁ ନିଜ ଜାହାଜରୁ ବିଚ୍ଛିନ୍ନ ହୋଇ, ସେ ପହଞ୍ଚିଯାଇଥିଲେ ବିରାଟକାୟ ମଣିଷମାନଙ୍କ ଦେଶ ବ୍ରବ୍‌ଡିଂନାଗ୍‌ରେ।

ତେବେ, ପ୍ରଥମ ଯାତ୍ରାରେ ସେ ପହଞ୍ଚିଥିବା ଦ୍ବୀପର ଛଅ-ଇଞ୍ଚିଆ ଲିଲିପୁଟିୟମାନେ କିନ୍ତୁ ଆମ ସ୍ମୃତିର ସବୁଠାରୁ ବଡ଼ ଜାଗାଟିକୁ ମାଡ଼ିବସିଛନ୍ତି।

ଲିଲିପୁଟମାନଙ୍କ ସଂପର୍କରେ ନାନା ଚମତ୍କାର ଛୋଟଛୋଟ କଥା ଭିତରୁ ମୋତେ ବାରମ୍ବାର ଘାରୁଥିବା କଥାଟି ଏମିତି।

ସେ ଦେଶ ଓ ତା'ର ପଡ଼ୋଶୀ ଦେଶ ବ୍ଲେଫୁସ୍କୁ ମଧ୍ୟରେ ବହୁ ଦିନର ବିବାଦ ଏଇଆ ଯେ, ଖାଇବା ପୂର୍ବରୁ, ଅଣ୍ଡାକୁ କେଉଁ ପଟରୁ ଭାଙ୍ଗିବା ଉଚିତ।

ବଡ଼ ପଟରୁ ଭାଙ୍ଗିବା ଇ ଥିଲା, ପ୍ରାଚୀନ ପରମ୍ପରା।

ତେବେ, ସମ୍ରାଟଙ୍କ ଜେଜେବାପା ପିଲାବେଳେ ଅଣ୍ଡାକୁ ବଡ଼ ପଟରୁ ଭାଙ୍ଗିବା ବେଳେ ଥରେ ନିଜ ଆଙ୍ଗୁଠି କାଟି ଦେଇଥିଲେ।

ତା' ପରଠାରୁ ତାଙ୍କ ବାପା, ଛୋଟ ପଟରୁ ଭାଙ୍ଗିବା କଥାକୁ ବାଧ୍ୟତାମୂଳକ କରି ଆଇନ ଜାରି କରିଥିଲେ।

ଉଲ୍ଲଂଘନ ଥିଲା ଏକ ଦଣ୍ଡନୀୟ ଅପରାଧ।

ସେମାନଙ୍କ ଧର୍ମଗ୍ରନ୍ଥରେ କୁଆଡ଼େ ଲେଖାଥିଲା ଯେ, ପ୍ରକୃତ ଧର୍ମବିଶ୍ବାସୀ ହିଁ, ଅଣ୍ଡାକୁ ଯେ କୌଣସି 'ସୁବିଧାଜନକ ପଟ'ରୁ ଭାଙ୍ଗିବ।

ଏ କଥା ଲେଖାଯାଇଥିବା ସତ୍ତ୍ବେ ସମ୍ରାଟଙ୍କ ଛୋଟ ପଟରୁ ଭାଂଗିବା ନିୟମ ମନେ ହେଲା, ଅବାଗିଆ ଓ ଏକଚାଟିଆ।

ଅନେକେ ବିଦ୍ରୋହ କରି ଦେଶରୁ ବହିଷ୍କୃତ ହେଇ ବ୍ଲେଫୁସ୍କୁରେ ଆଶ୍ରୟ ନେଇଥିଲେ।

ଏମିତିକି, ଦେଶ ଭିତରେ ଦୁଇ ପ୍ରତିଦ୍ୱନ୍ଦ୍ୱୀ ଦଳ, ଉଚ୍ଚ ଗୋଇଠିର ଏବଂ ଅନୁଚ୍ଚ-ଗୋଇଠିର ଜୋତା ପିନ୍ଧିବାକୁ ନିଜ ନିଜର ପୃଥକ୍ ରାଜନୈତିକ ପରିଚୟ କରି, ପରସ୍ପରର ତୀବ୍ର ପରିପନ୍ଥୀ ହୋଇସାରିଥିଲେ।

ସମ୍ରାଟ ନିଜେ ଅନୁଚ୍ଚ-ଗୋଇଠିର ଜୋତା ପିନ୍ଧିବା ପକ୍ଷରେ ଥିଲେ।

ରାଜକୁମାର କିନ୍ତୁ, ନିଜ ପାଦରେ ଅଲଗା ଅଲଗା ଉଚ୍ଚତାର ଜୋତା ପିନ୍ଧି, ଉଭୟ ପକ୍ଷକୁ ସନ୍ତୁଷ୍ଟ କରିବାର ଉଦ୍ଭଟ ଅପଚେଷ୍ଟା କରୁଥିଲେ!

ଏମିତି ଛୋଟଛୋଟ ମତ-ପାର୍ଥକ୍ୟ ଘଟେଇ ସାରିଥିଲା, ଛଅଟି ବିପ୍ଳବ, ଏଗାର ହଜାର ମୃତ୍ୟୁ ଓ ମଝିରେ ମଝିରେ ଅନେକ ଅପ୍ରୀତିକର ଗୋଷ୍ଠୀ ବିବାଦ।

ବ୍ଲେଫୁସ୍କୁ କେବେ ଗୋଟେ ଗୋଷ୍ଠୀକୁ, ତ କେବେ ଅନ୍ୟଟିକୁ ଉସକେଇ, ଲିଲିପୁଟ୍‌ ବିରୁଦ୍ଧରେ ଅସରନ୍ତି ଯୁଦ୍ଧରେ ବର୍ଷବର୍ଷ ଧରି ଲିପ୍ତ ହେଇ ରହିଛି।

ଲିଲିପୁଟମାନଙ୍କ ସମ୍ରାଟ ତାଙ୍କର ପ୍ରଧାନ ସଚିବଙ୍କୁ ଗଲିଭରଙ୍କ ପାଖକୁ ପଠାନ୍ତି।

ଉଦ୍ଦେଶ୍ୟ, ବିଶାଳ ଶରୀରର ମଣିଷଟିକୁ ରାଜି କରେଇ ଗୋଟେ ପଡ଼ୋଶୀ ରାଜ୍ୟକୁ ଯୁଦ୍ଧରେ ହରେଇବା।

ଲିଲିପୁଟିୟମାନଙ୍କ ଉଚ୍ଚତା ମାତ୍ର ଛଅ ଇଞ୍ଚ, କିନ୍ତୁ ସେମାନଙ୍କ ଅସ୍ମିତା, ଧର୍ମୀୟ ଆବେଗ, ରାଜନୈତିକ ଆକାଂକ୍ଷା ଓ ଯୁଦ୍ଧକୁ ଜିତିବାର ଜିଦ୍ ଆମ ପରି ତଥାକଥିତ ପୂର୍ଣ୍ଣାକାର ମଣିଷଙ୍କଠାରୁ ମଧ୍ୟ ବେଶି ବଡ଼ ମନେହୁଏ।

କାହାଣୀ ତେଣୁ, ପାଠକକୁ ହସାଏ ଓ ନିଜକୁ ଉପହାସ କରିବାକୁ ବାଧ୍ୟ କରାଏ।

ଏସବୁ କ'ଣ କେବଳ ଥରେ ପଢ଼ି ଭୁଲିଯିବା ଭଳି ଗପ?

ଲିଲିପୁଟର ଅଣ୍ଡା ବିବାଦରେ ସ୍ୱିଫ୍‌ଟଙ୍କ ପ୍ରକୃତ ବ୍ୟଙ୍ଗ, ଅଣ୍ଡାକୁ କେଉଁ ପଟରୁ ଭାଙ୍ଗିବା ଉଚିତ, ଏ ପ୍ରଶ୍ନରେ ନାହିଁ।

ବରଂ ମଣିଷ କିପରି ଏକ ନଗଣ୍ୟ ମତଭେଦକୁ ନିଜର ଧର୍ମ, ପରମ୍ପରା ଓ ଅସ୍ମିତାର ପରିଚୟ କରିଦିଏ, ସେହି ପ୍ରବୃତ୍ତିରେ ରହିଛି।

କେହି ପ୍ରଚଳିତ ନିୟମକୁ ଚିରନ୍ତନ ସତ୍ୟ ବୋଲି ଧରିନିଏ, ତ ଅନ୍ୟ କେହି ତାକୁ ଭାଙ୍ଗିବାରେ ନିଜର ପରମ ସ୍ବାଧୀନତା ଦେଖେ।

କିନ୍ତୁ ଉଭୟ ଭୁଲିଯାଆନ୍ତି ଯେ, ଅଣ୍ଡାର କେଉଁ ପଟରୁ ଭାଙ୍ଗିବା ଅପେକ୍ଷା, ତା' ଭିତରେ କ'ଣ ଅଛି, ତାହା ଅଧିକ ମହତ୍ତ୍ୱପୂର୍ଣ୍ଣ।

ଏପରିକି ଏକ ନୂଆ ମତର ସର୍ଜନା କେବଳ ପୁରୁଣା ମତର ବିପରୀତ କଥା ହେଲେ, ତାହା ଏକ ନୂଆ ପ୍ରକାରର ଅନ୍ଧତ୍ବ ମାତ୍ର ଦେଇଥାଏ।

ମୁକ୍ତଚିନ୍ତା ନୁହେଁ।

ଅଣ୍ଡା ଭାଙ୍ଗିବାର ଦିଗ ସିନା ବଦଳିଯାଏ, କିନ୍ତୁ ମଣିଷର ମତାନ୍ଧତା ବଦଳେ ନାହିଁ।

ମତଭେଦକୁ ସହ୍ୟ କରିବାର ଅକ୍ଷମତାକୁ ଆମେ ନିଜର ନିଷ୍ଠା, ଆଦର୍ଶ ଓ ଧର୍ମବିଶ୍ୱାସର ମହତ୍ତ୍ୱ ବୋଲି ଭାବିବା ହିଁ ସବୁଠୁଁ ବଡ଼ ବିଡ଼ମ୍ବନା।

ତୁଚ୍ଛତା ନିଜେ ବିତର୍କ ସୃଷ୍ଟି କରେ ନାହିଁ।

ତାକୁ ମହାନ ଉଦ୍ଦେଶ୍ୟର ମେକ୍-ଅପ୍ ପିନ୍ଧାଇବାର ପ୍ରବୃତ୍ତି ହିଁ କୌଣସି ଯୁଦ୍ଧକୁ ଅପରିହାର୍ଯ୍ୟ ଏବଂ ଅପ୍ରତିରୋଧ୍ୟ କରାଏ।

ଦୂର ଦେଶକୁ ଗଲିଭରଙ୍କ ଯାତ୍ରା କ'ଣ ପ୍ରକୃତରେ ଆମ ନିଜ ମନର ଦୂରତମ କୋଣ ଅନୁକୋଣକୁ ଯାତ୍ରା?

ଯେଉଁଠି ଆମ ଭାବିବା ଭିତରେ ଥିବା ଭିନ୍ନତାଗୁଡ଼ିକ ସହଜ ହେଇ ଅଧିକ ସ୍ପଷ୍ଟ ଦିଶିବ?

ଆମେ କ'ଣ କେବେବି ଏମିତି ଏକ ଦେଶକୁ ଯାତ୍ରା କରିପାରିବା, ଯେଉଁଠି ଆମେ ସମସ୍ତେ ହେଇଯିବା ସମାନ ଏବଂ ସବୁ ବିଷୟରେ ଆମ ସମସ୍ତଙ୍କ ମତ ହେବ ଏକ?

ବା ଯେଉଁଠି ଅଣ୍ଡା ହେଇଥିବ, ବୃତ୍ତାକାର ଅଥବା ବର୍ଗାକାର ଏବଂ ଆମେ ଭାଂଗିପାରିବା ତାକୁ ଆମ ନିଜ ମତେ କୌଣସି ବି ପଟରୁ?

ଏମିତିକି ମଝିରୁ ବି! (ମତାମତ ଲେଖକଙ୍କ ନିଜସ୍ବ) ମୋ: ୮୯୦୨୧୯୪୯୪୯ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)