VP C.P. Radhakrishnan to Visit Odisha: ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି, ସିପି ରାଧାକ୍ରିଷ୍ଣନଙ୍କ ଗସ୍ତ ନେଇ ପ୍ରସ୍ତୁତି ବୈଠକ
ଆସନ୍ତା ୯ ତାରିଖରେ ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ। ଉପରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ପ୍ରସ୍ତୁତି ବୈଠକ। ଉପରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସୁରକ୍ଷା, ପ୍ରୋଟୋକଲ, ଯାତାୟତ, ଚିକିତ୍ସା, ମୌଳିକ ସୁବିଧା ଏବଂ ବିଭିନ୍ନ କାର୍ଯ୍ୟକ୍ରମର ସୁପରିଚାଳନା ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା।
ଉପରାଷ୍ଟ୍ରପତି ଭୁବନେଶ୍ୱର କୃଷି ଶିକ୍ଷା ସଦନ ଠାରେ ଗଭୀର ସମୁଦ୍ରରେ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ ଲେଟର ଅଫ୍ ଅଥରାଇଜେସନର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାସହ ସେ ଭୁବନେଶ୍ୱର ନାଇଜରର ୧୫ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଭିଭାଷଣ ପ୍ରଦାନ କରିବେ।
ଉପରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବା, ଗସ୍ତସ୍ଥଳ ନିରବଚ୍ଛିନ୍ନ ବିଦ୍ୟୁତ, ପାନୀୟଜଳ, ଅଗ୍ନି ନିର୍ବାପନ, ସ୍ୱଚ୍ଛତା, ସଡ଼କ ମରାମତି, ଚିକିତ୍ସା ସେବା, ଆମ୍ବୁଲାନ୍ସ, ଯାନବାହନ ବ୍ୟବସ୍ଥା ସମ୍ପର୍କିତ ସମସ୍ତ ବ୍ୟବସ୍ଥାକୁ ଧାର୍ଯ୍ୟ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ସଂପୃକ୍ତ ବିଭାଗମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।