Phuluri Oil Applied to Lord Jagannath: ଜ୍ବରରେ କମ୍ପୁଛନ୍ତି ମହାପ୍ରଭୁ, ଶୀଅଙ୍ଗରେ ଲାଗି ହେଲା ଫୁଲୁରୀ ତେଲ

Jul 05, 2026 - 10:28
Phuluri Oil Applied to Lord Jagannath: ଜ୍ବରରେ କମ୍ପୁଛନ୍ତି ମହାପ୍ରଭୁ, ଶୀଅଙ୍ଗରେ ଲାଗି ହେଲା ଫୁଲୁରୀ ତେଲ

ମହାପ୍ରଭୁଙ୍କ ଦେହରେ ଲାଗି ହେଲା ଫୁଲୁରୀ ତେଲ। ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗଡ଼ୁ ସୁବାଷିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପୀଡ଼ିତ ମହାପ୍ରଭୁ। ଜ୍ୱରରେ ପୀଡିତ ଥିବା ଶ୍ରୀବିଗ୍ରହ ମାନଙ୍କ ଅଣସର ଘରେ ଦଇତାପତି ଓ ପତିମହାପାତ୍ର ସେବକମାନେ ନିଷ୍ଠାର ସହ ଗୁପ୍ତ ଚିକିତ୍ସା ବା ଗୁପ୍ତ ସେବା ଜାରି ରଖିଛନ୍ତି। ଜ୍ୱରରେ ପୀଡିତ ଥିବାରୁ ମହାପ୍ରଭୁଙ୍କ ନିକଟରେ ଦଇତାପତି ସେବକ ମାନେ ପଣା ଓ ଚକଟା ଭୋଗ କରିଛନ୍ତି। 

ଅନବସରର ଚତୁର୍ଥ ଦିନରେ ଦଇତାପତି ସେବାୟତ ମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଫିଟା ନୀତି ସମ୍ପାଦିତ କରିଥିବା ବେଳେ ଅନବସରର ପଞ୍ଚମ ଦିବସରରେ ଅଣସର ଗୃହରେ ଦାରୁଦିଅଁଙ୍କ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲାଗି କରାଯାଇଛି। ଦଇତାପତି ସେବକମାନେ ଏହି ଫୁଲୁରୀ ତେଲ ଲାଗି କରିଛନ୍ତି। ମହାପ୍ରଭୁଙ୍କ ଗୁପ୍ତନୀତି ମଧ୍ୟରେ ଫୁଲୁରୀ ତେଲ ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ବଡ ଓଡ଼ିଆ ମଠ ପକ୍ଷରୁ ମହାପ୍ରଭୁଙ୍କ ଲାଗି ଫୁଲୁରୀ ତେଲ ଯୋଗାଇ ଦିଆଯାଇଥାଏ। 

ପ୍ରତିବର୍ଷ ଅଣସରରେ ୬ ସେର ଫୁଲୁରୀ ତେଲ ମଠ ପକ୍ଷରୁ ଯୋଗା ଯାଇଥାଏ। ଫୁଲୁରୀ ତେଲ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଥାଏ। ପ୍ରତ୍ୟେକ ବର୍ଷ ହେରାପଞ୍ଚମୀ ଦିନ ଘଣାପେଡ଼ା ରାଶିତେଲରେ ୧୪ ପ୍ରକାର ଫୁଲ, ୭ ପ୍ରକାର ଔଷଧୀୟ ଚେରମୂଳ ଏବଂ ସୁବାସିତ ଦ୍ରବ୍ୟ ଯଥା କେତକି, ହେନା, ଜୁଇ, ମଲ୍ଲି ଆଦି ଅନେକ ସୁଗନ୍ଧିତ ପୁଷ୍ପ ପକାଇ ଏକ ପାତ୍ରରେ ରଖି ମାଟିତଳେ ଏକବର୍ଷ କାଳ ପୋତାଯାଇଥାଏ। 

ପରେ ଦେବସ୍ନାନ ପୂର୍ଣ୍ଣିମା ପୂର୍ବଦିନ ମାଟିତଳୁ ତେଲକୁ ବାହାର କରାଯାଇ ରଖାଯାଇଥାଏ। ପରେ ତେଲ ଗୁଡିକୁ ଛଣାଯାଇ ତେଲ ଗୁଡିକୁ ମାଟି ପାତ୍ରରେ ରଖାଯାଏ। ଅଣସରର ପଞ୍ଚମୀ ଦିନ ତେଲକୁ ଛଣାଯାଇ ଅମୁଣିଆ ପ୍ରସ୍ତୁତ କରି ମହାପ୍ରଭୁଙ୍କୁ ଲାଗି ପାଇଁ ପଠାଯାଏ। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଭୋଗ ସମ୍ପନ୍ନ ହେବା ପରେ ମଠରୁ ଉକ୍ତ ଫୁଲୁରୀ ତେଲ ଶ୍ରୀମନ୍ଦିରକୁ ଯାଇଥାଏ। 

ପରେ ପତି ମହାପାତ୍ର ସେବକ ୩ଟି ରୂପା ପିଙ୍ଗଣରେ ଫୁଲୁରୀ ତେଲ ନେଇ ସଂସ୍କାର କରିବା ପରେ ଦଇତାପତିମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଏହାକୁ ମାଲିସ୍ କରିଥାନ୍ତି। ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ମାଲିସ୍ କରାଯିବା ପରେ ମହାପ୍ରଭୁ ଜ୍ୱରରୁ ସାମାନ୍ୟ ଆଶ୍ୱସ୍ତି ପାଇଥାନ୍ତି ବୋଲି ବିଶ୍ବାସ ରହିଛି।