Welcome!

Unlock your personalized experience.
Sign Up

Venezuela: ଭୂମିକମ୍ପ ପରେ ଭେନେଜୁଏଲାରେ ଭୟଙ୍କର କ୍ଷୟକ୍ଷତି: ଉପଗ୍ରହ ଛବିରେ ସାମ୍ନାକୁ ଆସିଲା ଧ୍ୱଂସର ଚିତ୍ର

Jun 26, 2026 - 19:27
Venezuela: ଭୂମିକମ୍ପ ପରେ ଭେନେଜୁଏଲାରେ ଭୟଙ୍କର କ୍ଷୟକ୍ଷତି: ଉପଗ୍ରହ ଛବିରେ ସାମ୍ନାକୁ ଆସିଲା ଧ୍ୱଂସର ଚିତ୍ର

କାରାକାସ: ଦକ୍ଷିଣ ଆମେରିକାର ଭେନେଜୁଏଲାରେ ପରପର ଦୁଇଟି ଶକ୍ତିଶାଳୀ ଭୂମିକମ୍ପ ପରେ ସୃଷ୍ଟି ହୋଇଥିବା ବ୍ୟାପକ ଧ୍ୱଂସର ଚିତ୍ର ଏବେ ଉଚ୍ଚ-ରିଜଲ୍ୟୁସନ୍‌ ଉପଗ୍ରହ ଫଟୋରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି। ‘ଭାଣ୍ଟର’ ପକ୍ଷରୁ ପ୍ରକାଶିତ ଏହି ଚିତ୍ରଗୁଡ଼ିକରେ ଦେଖାଯାଇଛି ଯେ, ଅନେକ ବହୁତଳ କୋଠା ଭୁଶୁଡ଼ି ପଡ଼ିଛି, ଛାତଗୁଡ଼ିକ ଭାଙ୍ଗିଯାଇଛି ଏବଂ ଚାରିଆଡ଼େ କେବଳ ଧ୍ୱଂସସ୍ତୂପ ରହିଯାଇଛି। ଅନେକ ଲୋକ ଧ୍ୱଂସାବଶେଷ ତଳେ ଫସି ରହିଥିବାବେଳେ ଉଦ୍ଧାର କାର୍ଯ୍ୟ ଏବେ ମଧ୍ୟ ଜାରି ରହିଛି।

ବୁଧବାର ରାତିରେ ପ୍ରଥମେ ୭.୨ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା। ଏହାର ମାତ୍ର ୩୯ ସେକେଣ୍ଡ ପରେ ୭.୫ ତୀବ୍ରତାର ଆଉ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ୟୁଏସ୍‌ଜିଏସ୍‌) ଏହାକୁ ‘ଡବଲେଟ୍’ (ଯମଜ) ଭୂମିକମ୍ପ ବୋଲି ବର୍ଣ୍ଣନା କରିଛି। ସଂସ୍ଥାର କହିବା ଅନୁସାରେ, ୭.୨ ତୀବ୍ରତାର ପ୍ରଥମ ଭୂମିକମ୍ପ ‘ଫୋର୍‌ଶକ୍’ (ପ୍ରାକ୍‌ କମ୍ପନ) ଥିଲା ଏବଂ ତାହାର ୩୯ ସେକେଣ୍ଡ ପରେ ୭.୫ ତୀବ୍ରତାର ‘ମେନଶକ୍’ (ମୁଖ୍ୟ କମ୍ପନ) ଘଟିଥିଲା। ଏହି ବିପର୍ଯ୍ୟୟରେ ଅତି କମ୍‌ରେ ୨୩୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଭାରତ-ପାକିସ୍ତାନ ମଧ୍ୟରେ ପୁଣି ‘ଟ୍ରାକ୍-୨’ ଆଲୋଚନା

ରାଜଧାନୀ କାରାକାସର ଉତ୍ତରରେ ଥିବା ଲା ଗୁଆଇରା ସହର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ବିଶେଷକରି ସାଇମନ୍ ବୋଲିଭାର ବିମାନବନ୍ଦର ନିକଟସ୍ଥ ପ୍ଲାୟା ଗ୍ରାଣ୍ଡେ ଅଞ୍ଚଳରେ ଅନେକ ବହୁତଳ ଆବାସିକ କୋଠା ଧ୍ୱଂସ ହୋଇଯାଇଛି। ଭୂମିକମ୍ପ ପୂର୍ବ ଓ ପରର ଉପଗ୍ରହ ଚିତ୍ରରେ ସହରର ବଜାର, ଶିଳ୍ପ ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ଭବନର ଭୟଙ୍କର କ୍ଷତି ସ୍ପଷ୍ଟ ଭାବେ ଦେଖାଯାଉଛି। କେତେକ ଭବନ ଅକ୍ଷୁଣ୍ଣ ରହିଥିଲେ ମଧ୍ୟ ଅନେକ ଘର ସମ୍ପୂର୍ଣ୍ଣ ମାଟିରେ ମିଶିଯାଇଛି।

ମାତ୍ର ୧୦ ଦିନର ବ୍ୟବଧାନରେ ନିଆଯାଇଥିବା ଉପଗ୍ରହ ଚିତ୍ରରେ ପ୍ଲାୟା ଗ୍ରାଣ୍ଡେ ଅଞ୍ଚଳ ଧୂଳିସାତ୍‌ ହୋଇଥିବା ଦେଖାଯାଇଛି। ରାସ୍ତା କଡ଼ରେ ଥିବା ଏକ ଧଳା ବହୁତଳ କୋଠା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବାବେଳେ ପାଖରେ ଥିବା ଅତି କମ୍‌ରେ ପାଞ୍ଚଟି ଅନ୍ୟ ଭବନ ମଧ୍ୟ ଧ୍ୱଂସ ହୋଇଯାଇଛି। ଅଭେନିଡା ଲା ପ୍ଲାୟା ଅଞ୍ଚଳରେ ଥିବା ‘ରେସିଡେନ୍ସିଆ ନଟିଲସ୍’ ଭବନ ଏବଂ ନିକଟସ୍ଥ କଣ୍ଟେନର ୟାର୍ଡ ମଧ୍ୟ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ମେ ମାସରେ ନିଆଯାଇଥିବା ଚିତ୍ରରେ ଯେଉଁଠାରେ କଣ୍ଟେନର ଓ ଭବନଗୁଡ଼ିକ ସୁରକ୍ଷିତ ଥିଲା, ଭୂମିକମ୍ପ ପରେ ସେହି ସ୍ଥାନର ଅନେକ ନିର୍ମାଣ ଭାଙ୍ଗିପଡ଼ିଥିବା ଦେଖାଯାଇଛି। ଶିଳ୍ପାଞ୍ଚଳର ଗୋଦାମଗୁଡ଼ିକ ଧୂଳିସାତ୍ ହୋଇଯାଇଥିବାବେଳେ କେବଳ ଲୁହା ରଡ୍‌ ଓ ଧ୍ୱଂସାବଶେଷ ଅବଶିଷ୍ଟ ରହିଛି। କେତେକ ଆବାସିକ ପରିସରରେ ଅଧାରୁ ଅଧିକ ଘର ଭାଙ୍ଗିପଡ଼ିଛି କିମ୍ବା ଏକ ପାର୍ଶ୍ୱକୁ ଢଳିଯାଇଛି। ଭୂମିକମ୍ପ ପରେ ଗୁରୁବାର ପର୍ଯ୍ୟନ୍ତ ଅନେକ ପଶ୍ଚାତ୍‌ କମ୍ପନ ମଧ୍ୟ ଅନୁଭୂତ ହୋଇଥିଲା।