Unreliable in India: ଚଳନ୍ତିକା: ଭାରତରେ ନିରୁଦ୍ଦିଷ୍ଟ, ୟୁରୋପ୍ରେ ଆଦୃତ
"ଆଜିକାଲି ଗୁପ୍ଚୁପ୍ ଖାଇବାକୁ ମାଗିଲେ ଦୋକାନୀ ଛୋଟିଆ ପ୍ଲାଷ୍ଟିକ୍ ଗିନାଟିଏ ଧରାଇଦେଉଛି।
କିନ୍ତୁ ଆଗରୁ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ ଗୁପ୍ଚୁପ୍ ବାଲା ଖଲିପତ୍ର ବା ଶାଳପତ୍ର ଦନାରେ ଗୁପ୍ଚୁପ୍ ପରଷି ଆସୁଥିଲେ।
ଏବେ କ"ଣ ଖଲିପତ୍ର ଅନ୍ୟ କୁଆଡ଼େ ଚାଲିଯାଉଛି?
ବାସ୍ତବରେ ଏ କଥା ସତ୍ୟ।
ସମସ୍ତଙ୍କ ଅଲକ୍ଷ୍ୟରେ ଅନେକ ଭାରତୀୟ ପଥପ୍ରାନ୍ତ ଖାଦ୍ୟ ଦୋକାନରୁ ଖଲିପତ୍ର ଥାଳିଆ ଓ ଦନା ଅନ୍ତର୍ଦ୍ଧାନ ହୋଇ ବିଦେଶକୁ ଚାଲିଗଲାଣି।
ଆଜି ସମଗ୍ର ୟୁରୋପ୍ରେ ଥିବା ଅନେକ ରେସ୍ତୋରଁା, ହୋଟେଲ୍ ଓ ପରିବେଶ-ସଚେତନ ବ୍ୟବସାୟ ସଂସ୍ଥାନ ପ୍ଲାଷ୍ଟିକ୍ ପ୍ଲେଟ୍ର ବିକଳ୍ପ ଭାବେ ଖଲିପତ୍ର ବ୍ୟବହାର କରୁଛନ୍ତି।ପ୍ରଥମେ ୨୦୧୬ରେ ଜର୍ମାନ୍ ଷ୍ଟାର୍ଟଅପ୍ "ଲିଫ୍ ରିପବ୍ଲିକ୍" ପତ୍ର ବାସନ ପ୍ରଚଳନ କରିଥିଲା। "ଲିପ୍ ରିପବ୍ଲିକ୍" କେତୋଟି ପତ୍ରକୁ ଏକତ୍ରକରି ସିଲେଇ କରି ତା"ଉପରେ ଉଦ୍ଭିଦଭିତ୍ତିକ ଜଳନିରୋଧକ ପ୍ରଲେପ ଲଗାଇଥିଲା।
ଏହା ପ୍ଲାଷ୍ଟିକ୍, ଅଠା ଓ ରାସାୟନିକ ପଦାର୍ଥମୁକ୍ତ ହୋଇଥିବାରୁ ପରିବେଶ ଅନୁକୂଳ ପ୍ଲେଟ୍ ଭାବେ ପ୍ରଶଂସିତ ହୋଇଥିଲା।Advertisment Excise Raid: ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢ଼ଉ, ଗଞ୍ଜେଇ-ମଦ ଜବତ କୌଣସି କାରଣରୁ ଭାରତରୁ ଶାଳପତ୍ର ଯୋଗାଣ ବ୍ୟାହତ ହେବାରୁ ଲିଫ୍ ରିପବ୍ଲିକ୍ ଏ ଧରଣର ବାସନ ପ୍ରସ୍ତୁତି ବନ୍ଦ କରିଦେଲା।
କିନ୍ତୁ, ୟୁରୋପ୍ରେ ଏହାର ଚାହିଦା ହ୍ରାସ ପାଇଲା ନାହିଁ।
ଆଜି ମଧ୍ୟ କେତେକ ୟୁରୋପୀୟ କମ୍ପାନି ଜୈବବିଘଟନ ଉପଯୋଗୀ ପତ୍ର-ବାସନ ବିକ୍ରୟ କରୁଛନ୍ତି।
ଏଟ୍ସି ଓ ଟାପାରି ଭଳି ଅନ୍ଲାଇନ୍ ମାର୍କେଟ୍ପ୍ଲେସ୍ ସବୁ ଭାରତରୁ ହାତ-ତିଆରି ଖଲିପତ୍ର ବାସନ ନେଇ ଗଚ୍ଛିତ ରଖୁଛନ୍ତି।
ଭାରତରୁ ରପ୍ତାନି ହେଉଥିବା ହାତ-ତିଆରି ଖଲିପତ୍ର ବର୍ଲିନ୍, ଅାମ୍ଷ୍ଟର୍ଡାମ୍ ଅଥବା କୋପେନ୍ହାଗେନ୍ ଆଦି ନଗରୀରେ ଥିବା ରେସ୍ତୋରଁାରେ ଅଗ୍ରାଧିକାର ପାଉଛି।
ୟୁରୋପୀୟ ଗ୍ରାହକମାନେ କ୍ରୟ କରୁଥିବା ଖଲିପତ୍ର ଥାଳିଆ ସବୁ ଭାରତୀୟ ଅରଣ୍ୟରୁ ହିଁ ଯାଉଛି।
ଗଛ ଉପରେ କୌଣସି ଆଞ୍ଚ ନ ଆଣି ଶାଳପତ୍ର ତୋଳା ଯାଉଛି।
ଏଥିରେ ତିଆରି ଥାଳିଆ ମଜଭୁତ, ଜଳ-ପ୍ରତିରୋଧୀ ଏବଂ ରାସାୟନିକ ପଦାର୍ଥମୁକ୍ତ।
ସବୁଠୁ ବଡ଼ କଥା ହେଉଛି, ଏହା ୟୁରୋପିୟାନ୍ ଫୁଡ୍ ସେଫ୍ଟି ଷ୍ଟାଣ୍ଡାର୍ଡ ଉପଯୋଗୀ ଏବଂ ୨୮ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ବିଘଟିତ ହୋଇଯାଉଛି।
କେନ୍ଦ୍ରୀୟ ଓ ପୂର୍ବ ଭାରତରେ ବହୁଯୁଗରୁ ଦୈନନ୍ଦିନ ଜୀବନରେ ଲୋକେ ଖଲିପତ୍ର ଥାଳିଆରେ ଖିଆପିଅା କରନ୍ତି।
ଶାଳପତ୍ରଗୁଡ଼ିକୁ ବାଉଁଶରୁ ତିଆରି ସରୁକାଠିରେ ସିଲେଇ କରାଯାଇ ଦନା, ଥାଳିଆ ଇତ୍ୟାଦି ତିଆରି ହୁଏ।
ପୁଣି ଖଲି ଦୁଇ ପ୍ରକାର -ଶାଳ ଓ ଶିଆଳି।
ଶିଆଳି ପତ୍ର ଶାଳ ଅପେକ୍ଷା ନରମ ଓ ମସୃଣ।
ଖଲିପତ୍ର ସମଗ୍ର ଭାରତ ଓ ନେପାଳରେ ମନ୍ଦିର ଭୋଜି, ବିବାହ ଭୋଜି, ପଙ୍କ୍ତି ଭୋଜନ, ପଥପାର୍ଶ୍ବ ଖାଦ୍ୟ ଦୋକାନରେ ବ୍ୟବହୃତ ହୁଏ।
ପ୍ରାଚୀନ ଆୟୁର୍ବେଦ ଶାସ୍ତ୍ର ଚରକ ସଂହିତାରେ ବି ଖଲିପତ୍ରରେ ଭୋଜନ କରିବା ପ୍ରସଙ୍ଗ ଉେଲ୍ଲଖ ଅଛି।
ସେଥିରେ ଆଚାର୍ଯ୍ୟ ଚରକ କହିଛନ୍ତି- ପତ୍ର ଥାଳିଆରୁ ନିଜ ହାତରେ ଖାଦ୍ୟ ଖାଇଲେ ସ୍ପର୍ଶ ଶକ୍ତି ବୃଦ୍ଧିପାଏ ଓ ଭୋଜନ ତୃପ୍ତିକର ହୁଏ।
Flood In Odisha: ବନ୍ୟା ପରେ କ୍ଷୟକ୍ଷତିର ସ୍ଥିତି ପରଖିଲେ ବିଧାୟକଙ୍କ ସହିତ ପ୍ରଶାସନିକ ଅଧିକାରୀ ଏବେ ଭାରତରେ ବ୍ୟାବହାରିକ ସୁବିଧା ଦୃଷ୍ଟିରୁ ପତ୍ର ତିଆରି ବାସନର ସ୍ଥାନ ନେଇଛି କାଗଜ ଓ ପ୍ଲାଷ୍ଟିକ୍ ନିର୍ମିତ ପ୍ଲେଟ୍ ଓ ଦନା।
ମାତ୍ର ଏହା ପରିବେଶ ପ୍ରତି କ୍ଷତିକାରକ।
କିଛି ବର୍ଷ ତଳେ ଗୃହ ନିର୍ମାଣ ଓ ନଗରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ପ୍ଲାଷ୍ଟିକ୍ ଆବର୍ଜନା ପରିଚାଳନା ସମ୍ବନ୍ଧରେ ପ୍ରକାଶ କରିଥିବା ରିପୋର୍ଟରେ ଉଲ୍ଲେଖ ଥିଲା ଯେ ବର୍ଷକୁ ଭାରତରେ ପ୍ରାୟ ୯.୪ ନିୟୁତ ଟନ୍, ସେହି ହିସାବରେ ଦିନକୁ ୨୬,୦୦୦ ଟନ୍ ପ୍ଲାଷ୍ଟିକ୍ ଆବର୍ଜନା ବାହାରୁଛି।
ସେଥିରୁ ପ୍ରାୟ ୫.୬ ନିୟୁତ ଟନ୍ ପୁନଃପ୍ରକ୍ରିୟାକରଣ କରାଯାଉଛି।
ବାକି ୩.୮ ନିୟୁତ ଟନ୍ ସଂଗୃହୀତ ହୋଇ ନ ପାରି ପରିବେଶ ଦୂଷିତ କରୁଛି।
ସୂଚନାଯୋଗ୍ୟ, ସମୁଦାୟ ପ୍ଲାଷ୍ଟିକ୍ ଆବର୍ଜନାର ୪୩ ପ୍ରତିଶତରୁ ଅଧିକ ବାହାରୁଛି ସିଙ୍ଗଲ୍-ୟୁଜ୍ ଉତ୍ପାଦ ଅର୍ଥାତ୍ ଯାହାକୁ ଥରେମାତ୍ର ବ୍ୟବହାର କରାଯାଇ ତତ୍କ୍ଷଣାତ୍ ଫିଙ୍ଗିଦିଆଯାଉଛି।
ଆଗରୁ ଖଲିପତ୍ର ପ୍ରସ୍ତୁତି ଏକ କୁଟୀର ଶିଳ୍ପ ଥିଲା।
ସାଧାରଣତଃ ଜନଜାତି ବର୍ଗର ମହିଳାମାନେ ଖଲିପତ୍ର ସିଲେଇ କରୁଥିଲେ ଓ ଜଣେ ଦୈନିକ ହାତରେ ପ୍ରାୟ ୧୦୦ଟି ଥାଳିଆ ପ୍ରସ୍ତୁତ କରିପାରୁଥିଲେ।
କିନ୍ତୁ, ଏବେ ମେସିନ୍ ସାହାଯ୍ୟରେ ଦୈନିକ ହଜାର ହଜାର ଖଲିପତ୍ର ଥାଳିଆ ତିଆରି କରାଯାଇପାରୁଛି।
ସୁତରାଂ, ପରିସ୍ଥିତି ଓ ପରିବେଶ ପ୍ରତି ଧ୍ୟାନ ଦେଇ ଭାରତରେ ବିକଳ୍ପ ଭାବେ ଖଲିପତ୍ର ବ୍ୟବହାର ବ୍ୟାପକ କରାଯିବା ଉଚିତ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।