Ukraine: ୟୁକ୍ରେନରେ ରୁଷ୍ର ରାତିତମାମ ଆକ୍ରମଣ, ୧୫ ମୃତ
କିବ୍: ୟୁକ୍ରେନ୍ ରାଜଧାନୀ କିବ୍ ଓ ଏହାର ଆଖପାଖ ଅଞ୍ଚଳରେ ରୁଷ୍ ରାତିତମାମ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ଆକ୍ରମଣ କରିଛି।
ଏଥିରେ ଅତି କମ୍ରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି।
କିବ୍ଠାରୁ ପ୍ରାୟ ୪୫ କିମି ଦୂର ଡାଇମର୍ ସହରରେ ଏକ ପାଞ୍ଚମହଲା କୋଠା ଉପରେ ରୁଷ୍ ଆକ୍ରମଣ କରିଥିଲା।
ଏଠାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା କିବ୍ ଆଞ୍ଚଳିକ ଅଧିକାରୀ ତିମୁର ତକାଚେଙ୍କୋ କହିଛନ୍ତି।
ୟୁକ୍ରେନ୍ର ଜରୁରୀ ସେବା ବିଭାଗ ଅନୁଯାୟୀ, ଦୁଇ ଜଣ ଶିଶୁଙ୍କ ସମେତ ୧୧ ଜଣଙ୍କ ସହ ଯୋଗାଯୋଗ ହୋଇପାରୁନାହିଁ।
ଉଦ୍ଧାରକାରୀ ଦଳ ଜଣେ ୭୯ ବର୍ଷୀୟା ମହିଳା ଓ ଜଣେ ଶିଶୁଙ୍କ ସମେତ ଅନ୍ୟ କେତେଜଣଙ୍କୁ ଉଦ୍ଧାର କରିଛନ୍ତି।
Advertisment ଆହୁରି ପଢନ୍ତୁ: Ashok Leyland: ସିଙ୍ଗୁରରେ ହେବ ଅଶୋକ ଲେଲ୍ୟାଣ୍ଡର ଟ୍ରକ୍ କାରଖାନା!
ଏହା ବ୍ୟତୀତ ବିଷ୍ଣେଭେ ସହରର ଏକ ସୁପର୍ମାର୍କେଟ୍ ଉପରେ ରୁଷୀୟ ଆକ୍ରମଣରେ ତିନିଜଣଙ୍କ ମୃତ୍ୟୁ ହୋଇଛି।
ଏଥିରେ ତିନିଜଣ ଶିଶୁଙ୍କ ସମେତ ୧୫ ଜଣ ଆହତ ହୋଇଛନ୍ତି।
ସେହିପରି ବିଲା ସେର୍କଭା ସହରରେ ଏକ ଘର ଉପରେ ଆକ୍ରମଣ ହେବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି।
ଏଥିରେ ଘରଟି ମଧ୍ୟ ଜଳିଯାଇଛି।
ଏହି ତିନିଟି ସ୍ଥାନରେ ମୋଟ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି।
ଅନ୍ୟପକ୍ଷରେ ୟୁକ୍ରେନ୍ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି କହିଛନ୍ତି ଯେ ୟୁକ୍ରେନ୍ ସେନା ରୁଷ୍ର ଏକ ଯୁଦ୍ଧଜାହାଜକୁ ବୁଡ଼ାଇ ଦେଇଛି।
ତାଙ୍କ ଅନୁଯାୟୀ, 'କର୍ବେଟ୍ ମର୍କ୍ୟୁରି' ନାମକ ଏହି ଜାହାଜଟି ରୁଷ୍ର ଏକ ନୂଆ ଯୁଦ୍ଧଜାହାଜ ଏବଂ ୨୦୨୩ରେ ଏହାକୁ ମୁତୟନ କରାଯାଇଥିଲା।
ୟୁକ୍ରେନ୍ ନିର୍ମିତ ସାତଟି ନାଭାଲ ଡ୍ରୋନ୍ ବ୍ୟବହାର କରି ଏହାକୁ ବୁଡ଼ାଇ ଦିଆଯାଇଥିବା ଜେଲେନସ୍କି ଦାବି କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
