TVK : ତାମିଲନାଡ଼ୁର ଏକମାତ୍ର ରାଜ୍ୟସଭା ଆସନ କଂଗ୍ରେସକୁ ଦେଲେ ବିଜୟ
ଚେନ୍ନାଇ: ତାମିଲନାଡ଼ୁରେ ଟିଭିକେ ସହିତ ମେଣ୍ଟ କଂଗ୍ରେସ ପାର୍ଟି ପାଇଁ ଲାଭଦାୟକ ହୋଇଛି। ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ପଦକ୍ଷେପ ସ୍ବରୂପ ମୁଖ୍ୟମନ୍ତ୍ରୀ ବିଜୟ ତାମିଲନାଡୁର ଖାଲିଥିବା ଏକମାତ୍ର ରାଜ୍ୟସଭା ଆସନକୁ ମେଣ୍ଟ ସହଯୋଗୀ କଂଗ୍ରେସକୁ ଆବଣ୍ଟିତ କରିଛନ୍ତି। ବରିଷ୍ଠ କଂଗ୍ରେସ ନେତା ତଥା ତାମିଲନାଡୁ ପ୍ରଭାରୀ ଗିରିଶ ଚୋଡଙ୍କାର ବିଜୟଙ୍କୁ ଭେଟିବା ପରେ ଏହି ଘୋଷଣା କରାଯାଇଥିଲା। ତାମିଲନାଡୁରେ ଟିଭିକେ ସବୁଠାରୁ ବଡ଼ ଦଳ ହୋଇଥିଲେ ମଧ୍ୟ ସଂଖ୍ୟା ଗରିଷ୍ଠତା ହାସଲ କରିପାରି ନଥିଲା। ଟିଭିକେ କଂଗ୍ରେସ ଓ ଅନ୍ୟ ସହଯୋଗୀ ଦଳମାନଙ୍କ ସହାୟତାରେ ସରକାର ଗଠନ କରିଛି। ସରକାରଙ୍କ ସ୍ଥିରତା ପାଇଁ କଂଗ୍ରେସର ୫ ବିଧାୟକଙ୍କ ସମର୍ଥନ ଗୁରୁତ୍ୱପୂର୍ଣ୍ଣ ରହିଛି।
ଆହୁରି ପଢ଼ନ୍ତୁ: ଭାରତରେ ଶିଶୁ ମୃତ୍ୟୁ ହାର ୨୪କୁ ହ୍ରାସ: SRS ୨୦୨୪ ରିପୋର୍ଟରେ ବଡ଼ ସଫଳତା
କଂଗ୍ରେସ ରଣନୀତିଜ୍ଞ ପ୍ରବୀଣ ଚକ୍ରବର୍ତ୍ତୀ ଦଳର ପ୍ରାର୍ଥୀ ହୋଇପାରନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି। ତାମିଲନାଡୁରେ କଂଗ୍ରେସ-ଟିଭିକେ ମେଣ୍ଟ ଗଠନର ଶ୍ରେୟ ଚକ୍ରବର୍ତ୍ତୀଙ୍କୁ ଯାଏ। ତାମିଲନାଡୁ ବିଧାନସଭାକୁ ନିର୍ବାଚିତ ହେବା ପରେ ଏଆଇଏଡିଏମ୍କେ ନେତା ସିଭି ଷଣ୍ମୁଗମ୍ ସଂସଦରୁ ଇସ୍ତଫା ଦେବା ପରେ ରାଜ୍ୟସଭା ଆସନ ଖାଲି ପଡ଼ିଥିଲା। କଂଗ୍ରେସ ନେତାମାନେ ବିଜୟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ଏନ୍ଡିଟିଭି ସହିତ କଥାବାର୍ତ୍ତା ସମୟରେ କଂଗ୍ରେସ ସାଂସଦ ଜୋଥିମଣି କହିଛନ୍ତି ଯେ, ଅତିରିକ୍ତ ଆସନ ସଂସଦରେ ଦଳର ସ୍ୱରକୁ ମଜବୁତ କରିବାରେ ସାହାଯ୍ୟ କରିବ। ଏହା ବିଜେପିର ଶକ୍ତିକୁ ମୁକାବିଲା କରିବା ପାଇଁ ରାଜ୍ୟସଭାରେ କଂଗ୍ରେସର ସ୍ୱରକୁ ମଜଭୁତ କରିବ ସେ କହିଛନ୍ତି। ଡିଏମକେ ସହିତ ଅଲଗା ହୋଇ ବିଜୟଙ୍କ ଦଳ ସହିତ ମେଣ୍ଟ କରିବା ପରେ କଂଗ୍ରେସ ସଂସଦୀୟ ଶକ୍ତି ହ୍ରାସ ପାଇଛି। ନେତାମାନେ ବିଶ୍ୱାସ କରନ୍ତି ଯେ, ରାଜ୍ୟସଭା ଆସନ କେବଳ ଉଚ୍ଚ ସଦନରେ ଦଳର ଉପସ୍ଥିତିକୁ ଉନ୍ନତ କରିବ ନାହିଁ ବରଂ ୨୦୨୯ ଲୋକସଭା ନିର୍ବାଚନ ଓ ତାମିଲନାଡୁ, କେରଳ ଓ ପୁଡୁଚେରୀରେ ଭବିଷ୍ୟତର ରାଜନୈତିକ ପ୍ରତିଯୋଗିତା ପୂର୍ବରୁ କଂଗ୍ରେସ ଓ ଟିଭିକେ ମଧ୍ୟରେ ସହଯୋଗକୁ ଆହୁରି ଗଭୀର କରିବ। ଟିଭିକେର ଏହି ପଦକ୍ଷେପକୁ ଡିଏମ୍କେ ପକ୍ଷରୁ ସମାଲୋଚନା କରାଯାଇଛି। ଡିଏମ୍କେ ମୁଖପାତ୍ର ଏ. ସରବନନ୍ ଅଭିଯୋଗ କରି କହିଛନ୍ତି ଯେ, ଟିଭିକେ ସଂସଦରେ ବିଜେପି ସହିତ ସିଧାସଳଖ ମୁକାବିଲାକୁ ଏଡାଇବାକୁ ଚେଷ୍ଟା କରୁଛି। ଟିଭିକେ ନେତାମାନେ ଏହି ଅଭିଯୋଗକୁ ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରିଛନ୍ତି। ଦଳର ଜଣେ ବରିଷ୍ଠ ପଦାଧିକାରୀ ନାମ ଗୋପନ ରଖି କହିଛନ୍ତି ଯେ, ମେଣ୍ଟକୁ ମଜବୁତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।
ଆହୁରି ପଢ଼ନ୍ତୁ: ଆମ୍ବ-ପଣସ ପାଇଁ ଅମାନିଆ ହାତୀ; ଲୋକଙ୍କର ଭୟ ବଢ଼ାଇଲେ ୨୧ଟିକିଆ ହାତୀପଲ
ଅଧିକ ଦେଖନ୍ତୁ:
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।