Protest: ଚକମା ଦେଲା କଂଗ୍ରେସ; ରାହୁଲଙ୍କୁ ଉଠାଇନେଲା ପୁଲିସ
"ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାକୁ ଅସ୍ତ୍ର କରିଥିବା କଂଗ୍ରେସ ଦଳ ଆଜି ଦିଲ୍ଲୀରେ ସରକାରଙ୍କୁ ଚକମା ଦେଇଛି।
ସଂସଦର ମୌସୁମୀ ଅଧିବେଶନର ଦ୍ବିତୀୟ ଦିନରେ କଂଗ୍ରେସର ତୁଙ୍ଗ ନେତାମାନେ ପ୍ରଧାନମନ୍ତ୍ରୀ ରହୁଥିବା ୭, ଲୋକକଲ୍ୟାଣ ମାର୍ଗସ୍ଥିତ ବାସଭବନ ନିକଟରେ ହଠାତ୍ ଧାରଣାରେ ବସି ଆନ୍ଦୋଳନ କରିଥିଲେ।
ପୁଲିସ ଓ ଗୁଇନ୍ଦା ଏ ସଂପର୍କରେ ସାମାନ୍ୟ ସୁରାକ ପାଇ ନ ଥିଲା।
କଂଗ୍ରେସ ଦଳର ଏହି ରଣନୀତି କିଛି ସମୟ ପାଇଁ ସରକାର ଓ ପ୍ରଶାସନର ନିଦ ହଜାଇ ଦେଇଥିଲା।Advertisment ଅପରାହ୍ଣ ପ୍ରାୟ ସାଢ଼େ ୩ଟାରୁ କଂଗ୍ରେସ ନେତାମାନେ ଧାରଣା ଆରମ୍ଭ କରିଦେଇଥିଲେ।
ଧାରଣାରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ, ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଓ କେରଳ ମୁଖ୍ୟମନ୍ତ୍ରୀ ଭିଡି ସତୀଶନ ମଧ୍ୟ ଧାରଣାରେ ବସିଥିଲେ।
କଂଗ୍ରେସ ସାଂସଦ ଓ ବରିଷ୍ଠ ନେତାମାନେ ସଡ଼କକୁ ଓହ୍ଲାଇବାର କିଛି ସମୟ ପରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଧାରଣା ସ୍ଥଳରେ ପହଞ୍ଚି ରାହୁଲଙ୍କ ସହ ଆଲୋଚନା କରିଥିଲେ।
ଏହାପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହ ଗୃହମନ୍ତ୍ରୀ ଅମିତ ଶାହଙ୍କ ନିକଟକୁ ଯାଇଥିଲେ।
ଶାହଙ୍କ ସହ ଆଲୋଚନା ପରେ ପୁଣି ସେ ରାହୁଲଙ୍କ ସହ କଥା ହୋଇଥିଲେ।
ଏହି ପରିପ୍ରେକ୍ଷୀରେ ସାମାଜିକ ଗଣମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି, ରାହୁଲଙ୍କ ଦାବି ଥିଲା ନିଟ୍ ପ୍ରସଙ୍ଗରେ ସଂସଦରେ ଆଲୋଚନା କରାଯାଉ।
ରାହୁଲଙ୍କ ଉକ୍ତ ଦାବିକୁ ମଧ୍ୟ ଗ୍ରହଣ କରାଯାଇଥିଲା।
କିନ୍ତୁ ରାହୁଲ ତାଙ୍କର ପୂର୍ବ କଥାରୁ ଓହରି ଯାଇ ଆମର ଦୁଇଟି ଦାବି ରହିଛି ବୋଲି କହୁଛନ୍ତି।
ପ୍ରଥମ ଦାବି ସଂସଦରେ ନିଟ୍ ପ୍ରସଙ୍ଗରେ ଆଲୋଚନା ଏବଂ ଦ୍ବିତୀୟ ଦାବି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା।
ଆନ୍ଦୋଳନସ୍ଥଳରେ କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ ମଧ୍ୟ ପହଞ୍ଚି ଉକ୍ତ ସ୍ଥାନ ଆନ୍ଦୋଳନ ପାଇଁ ଉପଯୁକ୍ତ ନୁହେଁ ବୋଲି କହିଥିଲେ।
ଏହାର ଉତ୍ତରରେ ରାହୁଲ କହିଥିଲେ ମୁଁ ଯେଉଁଠି ଚାହିବି ସେଠାରେ ବସି ପାରିବି।
Rahul Gandhi: "ମୋଦୀ ଜଣେ ଯୁବ-ବିରୋଧୀ ପ୍ରଧାନମନ୍ତ୍ରୀ", ଛାତ୍ରଛାତ୍ରୀଙ୍କ ଉପରେ ପୁଲିସର ବର୍ବରତା ନେଇ ସରକାରଙ୍କୁ ରାହୁଲ ଗାନ୍ଧୀଙ୍କ କଡ଼ା ସମାଲୋଚନା ଧାରଣାସ୍ଥଳରେ କଂଗ୍ରେସ ନେତାମାନେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ସ୍ଲୋଗାନ ଦେଇଥିଲେ।
ଧାରଣା ଚାଲିଥିବାବେଳେ ପୁଲିସ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି, କଂଗ୍ରେସ ନେତା କହ୍ନେୟା କୁମାରଙ୍କ ସମେତ ଅନ୍ୟ ନେତାଙ୍କୁ ବସ୍ ଭିତରକୁ ନେଇଯାଇଥିଲେ।
କଂଗ୍ରେସର ଏହି ପ୍ରଦର୍ଶନ ଅତ୍ୟନ୍ତ ଗୋପନୀୟ ରଖାଯାଇଥିଲା।
ରାହୁଲଙ୍କ ସମେତ ସବୁ ନେତା ଦଳର ଅଧ୍ୟକ୍ଷ ଖଡ଼ଗେଙ୍କ ଘରୁ ଧାରଣା ସ୍ଥଳ ପର୍ଯ୍ୟନ୍ତ ଚାଲିଚାଲି ଆସିଥିଲେ।
ଧାରଣା ସ୍ଥଳରେ ରାହୁଲ ଓ ଖଡ଼ଗେ ହାତକୁ ଧଳା ଦଉଡ଼ିରେ ବାନ୍ଧିଥିବା ଦେଖାଯାଇଥିଲା।
ଆଜି ଥିଲା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଜନ୍ମଦିନ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଭଳି ନେତାମାନେ ତାଙ୍କୁ ସାମାଜିକ ଗଣମାଧ୍ୟମରେ ଜନ୍ମଦିନ ଶୁଭେଚ୍ଛା ଜଣାଇଥିଲେ।
କିନ୍ତୁ ଛାତ୍ର ଓ ପ୍ରଦର୍ଶନକାରୀଙ୍କ ଉପରେ ହୋଇଥିବା ଲାଠିମାଡ଼କୁ ବିରୋଧ କରି ଜନ୍ମଦିନ ପାଳନ କରିବେ ନାହିଁ ବୋଲି ଖଡ଼ଗେ ତୁରନ୍ତ ଘୋଷଣା କରିଥିଲେ।
ଦିପହରରେ ରାହୁଲ, ପ୍ରିୟଙ୍କାଙ୍କ ସମେତ ଅନ୍ୟ ନେତାମାନେ ଖଡ଼ଗେଙ୍କ ସରକାରୀ ବାସଭବନରେ ପହଞ୍ଚିଥିଲେ।
ସୁରକ୍ଷା କର୍ମୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଧରି ନେଇଥିଲେ ଯେ ଖଡ଼ଗେଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବା ପାଇଁ କଂଗ୍ରେସ ନେତାମାନେ ତାଙ୍କ ବାସଭବନରେ ଏକାଠି ହୋଇଛନ୍ତି।
ଖଡ଼ଗେଙ୍କ ବାସଭବନରୁ ପ୍ରଧାନମନ୍ତ୍ରୀଙ୍କ ବାସଭବନର ଦୂରତା କେବଳ ୧ କିଲୋମିଟର।
ଖଡ଼ଗେଙ୍କ ବାସଭବନରେ ବୈଠକ ସରିବା ପରେ ନେତାମାନେ ଗାଡ଼ିରେ ବସିବା ପରିବର୍ତ୍ତେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଡ଼କୁ ଚାଲିବା ଆରମ୍ଭ କରିଦେଇଥିଲେ।
ଦିଲ୍ଲୀ ପୁଲିସ ଅଟକାଇବା ଓ ବ୍ୟାରିକେଡ ଲଗାଇବା ବେଳକୁ ସେମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନର ନିକଟତର ହୋଇଯାଇଥିଲେ।
ରାହୁଲ ଗାନ୍ଧୀ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି ଯେ, ଛାତ୍ରଙ୍କ ଉପରେ ଆକ୍ରମଣ ଅର୍ଥ ପ୍ରତି ଭାରତୀୟଙ୍କ ପରିବାର ଉପରେ ଆକ୍ରମଣ।
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲାଗୁଛି ବିନା ଜବାବରେ ଓ ପରିଣାମର ସାମନା ନ କରି ସେ ଖସିଯିବେ।
କିନ୍ତୁ ସେ ଏହା କରିପାରିବେ ନାହିଁ, ଏଥର ବିଲକୁଲ ନୁହେଁ ବୋଲି ରାହୁଲ କହିଛନ୍ତି।
ଛାତ୍ରଙ୍କୁ ନ୍ୟାୟ ମିଳିବା ଆବଶ୍ୟକ ବୋଲି ଯେଉଁ ଛାତ୍ରମାନେ ଅନୁଭବ କରୁଛନ୍ତି ସେହି ଦେଶଭକ୍ତମାନଙ୍କୁ ମୁଁ ଆହ୍ବାନ କରୁଛି ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ ଆମ ସହ ଧାରଣାରେ ସାମିଲ ହୁଅନ୍ତୁ।
ଆନ୍ଦୋଳନ ସ୍ଥଳକୁ ଖାଲି କରିବା ପାଇଁ ସୁରକ୍ଷା କର୍ମୀମାନେ ପହଞ୍ଚିବା ପରେ ଦିଲ୍ଲୀ ପୁଲିସ ରାହୁଲ ଗାନ୍ଧୀ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଓ ଅନ୍ୟ ନେତାମାନଙ୍କୁ ସେଠାରୁ ବଳପୂର୍ବକ ଉଠାଇ ନେଇଥିଲା।
ରାହୁଲଙ୍କୁ ଉଠାଇ ନିଆଯିବା ସମୟରେ ଦେଶରେ ଏବେ ଗଣତନ୍ତ୍ର ଚାଲିଛି କି ବୋଲି ସେ କହିଥିଲେ।
ଏଥିସହିତ ରାହୁଲଙ୍କ ନାକରୁ ରକ୍ତ ବାହାରିବା କେତେକ ଫଟୋରୁ ଦେଖିବାକୁ ମିଳିଥିଲା।
ଦିଲ୍ଲୀ ପୁଲିସ ରାହୁଲଙ୍କ ସମେତ ଅନ୍ୟ ସାଂସଦ, ଦଳୀୟ ନେତା ଓ କର୍ମୀମାନଙ୍କୁ ଅଟକ ରଖିଥିଲା।
ଦିଲ୍ଲୀର ଲୋକ କଲ୍ୟାଣ ମାର୍ଗରେ ଧାରଣା ପାଇଁ ଅନୁମତି ଦିଆଯାଇ ନ ଥାଏ।
ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଅନ୍ୟ ଭିଭିଆଇପିମାନେ ଏଠାରେ ରହୁଥିବାରୁ ଏହା ଅନ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ।
ଏହି ଅଞ୍ଚଳରେ ବିଏନ୍ଏସ୍ର ଧାରା ୧୬୩ ଲାଗିଥାଏ।
ଫଳରେ ୫ କିମ୍ବା ତା"ଠାରୁ ଅଧିକ ଲୋକଙ୍କୁ ଏକତ୍ରିତ ହେବା କିମ୍ବା ଆନ୍ଦୋଳନ କରିବା ଉପରେ କଟକଣା ରହିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।