India's Infant Mortality: ଭାରତରେ ଶିଶୁ ମୃତ୍ୟୁ ହାର ୨୪କୁ ହ୍ରାସ: SRS ୨୦୨୪ ରିପୋର୍ଟରେ ବଡ଼ ସଫଳତା
ନୂଆଦିଲ୍ଲୀ: ଭାରତରେ ଶିଶୁ ମୃତ୍ୟୁ ହାରରେ ଗତ ଏକ ଦଶନ୍ଧି ମଧ୍ୟରେ ଉଲ୍ଲେଖନୀୟ ହ୍ରାସ ରେକର୍ଡ କରାଯାଇଛି। ସାମ୍ପଲ୍ ରେଜିଷ୍ଟ୍ରେସନ୍ ସିଷ୍ଟମ୍ (SRS) ୨୦୨୪ର ରିପୋର୍ଟ ଅନୁଯାୟୀ, ଦେଶରେ ପ୍ରତି ୧,୦୦୦ ଜୀବିତ ଜନ୍ମରେ ଶିଶୁ ମୃତ୍ୟୁ ହାର ହ୍ରାସ ପାଇ ୨୪ ରେ ପହଞ୍ଚିଛି। ବର୍ଷ ୨୦୧୯ ରେ ଏହି ସଂଖ୍ୟା ୩୦ ଥିଲା। ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସେବାର ସମ୍ପ୍ରସାରଣ ଏବଂ ପ୍ରାତିଷ୍ଠାନିକ ପ୍ରସବ ରେ ହୋଇଥିବା ବୃଦ୍ଧି ଯୋଗୁଁ ଏହି ସୁଧାର ଆସିଛି ବୋଲି ମାନାଯାଉଛି। ଯଦିଓ ଜାତୀୟ ସ୍ତରରେ ସ୍ଥିତି ଭଲ ଦେଖାଯାଉଛି, ତଥାପି ବିଭିନ୍ନ ରାଜ୍ୟଗୁଡ଼ିକ ମଧ୍ୟରେ ଏବେ ବି ବଡ଼ ପାର୍ଥକ୍ୟ ରହିଛି। ୪୨ ଜଣଙ୍କ ମଧ୍ୟରୁ ଜଣେ ଶିଶୁ ନିଜର ପ୍ରଥମ ଜନ୍ମଦିନ ଦେଖିପାରନ୍ତି ନାହିଁ।
ଆହୁରି ପଢ଼ନ୍ତୁ: ମମତାଙ୍କ ନାମରେ ଏତଲା: ଅମିତ ଶାହଙ୍କ ଉପରେ ଲଗାଇଥିଲେ ଅଭିଯୋଗ
ରିପୋର୍ଟ ଅନୁସାରେ, ଭାରତରେ ଏବେ ବି ପ୍ରତି ୪୨ ଜଣ ଶିଶୁଙ୍କ ମଧ୍ୟରୁ ଜଣେ ନିଜର ପ୍ରଥମ ଜନ୍ମଦିନ ଦେଖିବା ପୂର୍ବରୁ ଆଖି ବୁଜୁଛି। ଗ୍ରାମାଞ୍ଚଳରେ ସ୍ଥିତି ଅଧିକ ଚିନ୍ତାଜନକ, ଯେଉଁଠି ପ୍ରତି ୩୭ ଜଣରୁ ଜଣେ ଶିଶୁର ମୃତ୍ୟୁ ଏକ ବର୍ଷ ବୟସ ପୂର୍ବରୁ ହୋଇଯାଉଛି। ସହରାଞ୍ଚଳରେ ଏହି ଅନୁପାତ କିଛିଟା ଭଲ ରହିଛି ଓ ସେଠାରେ ପ୍ରତି ୫୯ ଜଣରୁ ଜଣେ ଶିଶୁର ମୃତ୍ୟୁ ରେକର୍ଡ କରାଯାଇଛି। ବିଶେଷଜ୍ଞଙ୍କ ମତରେ, ଡାକ୍ତରଖାନା ବା ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରସବ ବୃଦ୍ଧି ପାଇବା ଶିଶୁ ମୃତ୍ୟୁ ହାର କମାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ବର୍ଷ ୨୦୧୯ରେ ଯେଉଁଠି ୮୩ ପ୍ରତିଶତରୁ କମ୍ ପ୍ରସବ ଡାକ୍ତରଖାନାରେ ହେଉଥିଲା, ୨୦୨୪ ସୁଦ୍ଧା ତାହା ୯୫ ପ୍ରତିଶତରୁ ଅଧିକ ହୋଇଛି। ଏହା ସତ୍ତ୍ୱେ କେବଳ ଡାକ୍ତରଖାନାରେ ପ୍ରସବ କରାଇବା ଦ୍ୱାରା ହିଁ ସମସ୍ୟାର ସମାଧାନ ହେବ ନାହିଁ ବରଂ ଜନ୍ମ ପରେ ନବଜାତ ଶିଶୁର ଯତ୍ନ ନେବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ ବୋଲି ରିପୋର୍ଟ ସୂଚାଇଛି।
କେଉଁ ରାଜ୍ୟଗୁଡ଼ିକରେ ସ୍ଥିତି ସବୁଠାରୁ ଖରାପ
ରାଜ୍ୟଗୁଡ଼ିକ କଥା ବିଚାର କଲେ, ଛତିଶଗଡ଼ର ସ୍ଥିତି ସବୁଠାରୁ ଚିନ୍ତାଜନକ ଦେଖାଯାଉଛି। ଏଠାରେ ପ୍ରତି ୧,୦୦୦ ଜୀବିତ ଜନ୍ମରେ ଶିଶୁ ମୃତ୍ୟୁ ହାର ୩୬ ରେକର୍ଡ କରାଯାଇଛି, ଯାହା ଦେଶରେ ସବୁଠାରୁ ଅଧିକ। ଏହା ପଛକୁ ଉତ୍ତର ପ୍ରଦେଶ ଏବଂ ମଧ୍ୟ ପ୍ରଦେଶ ରହିଛନ୍ତି, ଯେଉଁଠାରେ ଏହି ସଂଖ୍ୟା ୩୫ ରହିଛି। ନବଜାତ ମୃତ୍ୟୁ ହାର ମାମଲାରେ ମଧ୍ୟ ମଧ୍ୟ ପ୍ରଦେଶ ଓ ଛତିଶଗଡ଼ ସବୁଠାରୁ ଉପରେ ରହିଥିବା ବେଳେ ଉତ୍ତର ପ୍ରଦେଶର ସ୍ଥିତି ମଧ୍ୟ ଉଦ୍ବେଗଜନକ ରହିଛି।
କେଉଁ ରାଜ୍ୟଗୁଡ଼ିକରେ ସ୍ଥିତି ଭଲ ଅଛି
ଏହାର ଓଲଟା, ଗୋଆ ଓ ସିକିମ୍ ଦେଶର ସବୁଠାରୁ ଭଲ ପ୍ରଦର୍ଶନ କରୁଥିବା ରାଜ୍ୟ ଭାବେ ଉଭା ହୋଇଛନ୍ତି। ଉଭୟ ରାଜ୍ୟରେ ପ୍ରତି ୧,୦୦୦ ଜୀବିତ ଜନ୍ମରେ ଶିଶୁ ମୃତ୍ୟୁ ହାର ମାତ୍ର ୭ ରେକର୍ଡ କରାଯାଇଛି। କେରଳ ୮ ସହ ତୃତୀୟ ସ୍ଥାନରେ ରହିଛି। ତାମିଲନାଡୁ ଏବଂ ଦିଲ୍ଲୀରେ ଏହି ସଂଖ୍ୟା ୧୧ ଥିବା ବେଳେ ତ୍ରିପୁରାରେ ୧୨ ରହିଛି। ମହାରାଷ୍ଟ୍ର (୧୪), କର୍ଣ୍ଣାଟକ (୧୫), ପଞ୍ଜାବ (୧୬), ତେଲେଙ୍ଗାନା (୧୭) ଏବଂ ଆନ୍ଧ୍ର ପ୍ରଦେଶ (୧୮) ର ମୃତ୍ୟୁ ହାର ଜାତୀୟ ହାର (ରାଷ୍ଟ୍ରୀୟ ହାରାହାରି) ଠାରୁ କମ୍ ରହି ଭଲ ପ୍ରଦର୍ଶନ କରିଛନ୍ତି।
ଏବେ ବି ସବୁଠାରୁ ବଡ଼ ଆହ୍ୱାନ କ’ଣ
ତେବେ ସବୁଠାରୁ ବଡ଼ ଆହ୍ୱାନ ହେଉଛି ନବଜାତ ଶିଶୁଙ୍କ ମୃତ୍ୟୁ। ରିପୋର୍ଟ ଅନୁଯାୟୀ, ୨୦୨୪ ରେ ହୋଇଥିବା ମୋଟ ଶିଶୁ ମୃତ୍ୟୁ ମଧ୍ୟରୁ ପ୍ରାୟ ୭୩ ପ୍ରତିଶତ ମୃତ୍ୟୁ ଶିଶୁ ଜନ୍ମ ହେବାର ପ୍ରଥମ ୨୮ ଦିନ ମଧ୍ୟରେ ହିଁ ହୋଇଛି। ଆଗାମୀ ବର୍ଷଗୁଡ଼ିକରେ ଶିଶୁ ମୃତ୍ୟୁ ହାରକୁ ଆହୁରି କମାଇବା ପାଇଁ ଗର୍ଭାବସ୍ଥା ସମୟରେ ଉତ୍ତମ ଯତ୍ନ, ମାତୃ ପୋଷଣ, ସୁରକ୍ଷିତ ପ୍ରସବ ଏବଂ ଜନ୍ମ ପରେ ନବଜାତ ଶିଶୁକୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇବା ଉପରେ ଅଧିକ ଧ୍ୟାନ ଦେବାକୁ ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଭାରତ ଏହି ଦିଗରେ ଏକ ଦୀର୍ଘ ପଥ ଅତିକ୍ରମ କରିଛି, କିନ୍ତୁ ଏବେ ବି ଅନେକ ରାଜ୍ୟରେ ସୁଧାରର ବଡ଼ ସୁଯୋଗ ରହିଛି।
ଆହୁରି ପଢ଼ନ୍ତୁ: ବିଶ୍ୱର ଖାଦ୍ୟ ଥାଳିରେ ବିଷ: ଚେତାବନୀ ଦେଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ
ଅଧିକ ଦେଖନ୍ତୁ:
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।