TVK MLA VS Babu Dies: ଷ୍ଟାଲିନଙ୍କୁ ହରାଇ ଚର୍ଚ୍ଚାକୁ ଆସିଥିଲେ, ଏବେ ଆରପାରିରେ ଟିଭିକେ ବିଧାୟକ ଭିଏସ୍ ବାବୁ
ତାମିଲନାଡୁ ରାଜନୀତିରୁ ଆସିଲା ଏକ ଦୁଃଖଦ ଖବର।
ଆଖି ବୁଜିଲେ ଟିଭିକେ ବିଧାୟକ ଭିଏସ୍ ବାବୁ।
୭୫ ବର୍ଷ ବୟସରେ ହୃଦ୍ଘାତରେ ତାଙ୍କର ପରଲୋକ ହୋଇଛି।
ଗୁରୁବାର ଅପରାହ୍ନ ୨ଟା ୨୪ ମିନିଟ୍ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି।
ତାଙ୍କ ମୃତ୍ୟୁ ଖବରରେ ତାମିଲନାଡୁ ରାଜନୀତିରେ ଶୋକର ଛାୟା ଖେଳିଯାଇଛି।
Advertisment ଭିଏସ୍ ବାବୁଙ୍କ ଦେହାନ୍ତ ଖବର ଶୁଣି ଗଭୀର ଶୋକ ପ୍ରକାଶ କରିଛନ୍ତି ଡିଏମକେ ମୁଖ୍ୟ ତଥା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ।
ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ଏକ ପୋଷ୍ଟ କରି ଷ୍ଟାଲିନ କହିଛନ୍ତି, ଭିଏସ୍ ବାବୁଙ୍କ ମୃତ୍ୟୁ ଖବର ତାଙ୍କୁ ସ୍ତବ୍ଧ କରିଦେଇଛି।
ଦୀର୍ଘଦିନ ଧରି ହସ୍ପିଟାଲରେ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସୁଥିବା ଖବର ମିଳୁଥିଲା।
ହେଲେ ହଠାତ୍ ଏଭଳି ଖବର ତାଙ୍କୁ ମର୍ମାହତ କରିଛି।
ଶୋକସନ୍ତପ୍ତ ପରିବାର ଓ ତାଙ୍କ ଦଳର ସଦସ୍ୟଙ୍କୁ ଷ୍ଟାଲିନ ସମବେଦନା ଜଣାଇଛନ୍ତି।
ସୂଚନା ଅନୁସାରେ, ଦୀର୍ଘଦିନ ଧରି ଶ୍ୱାସକ୍ରିୟାଜନିତ ସମସ୍ୟାରେ ପୀଡ଼ିତ ଥିଲେ ଭିଏସ୍ ବାବୁ।
ସେପ୍ଟେମ୍ବର ୯ ତାରିଖରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।
ଗୁରୁତର ସ୍ୱାସ୍ଥ୍ୟାବସ୍ଥା ଯୋଗୁଁ ତାଙ୍କୁ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଥିଲା।
Advertisment ହସ୍ପିଟାଲର ମେଡିକାଲ ସର୍ଭିସେସ୍ ନିର୍ଦ୍ଦେଶକ ରାଜେଶ ଅଗ୍ରୱାଲଙ୍କ ସୂଚନା ଅନୁସାରେ, ଡାକ୍ତରୀ ଟିମ୍ର ସମସ୍ତ ପ୍ରୟାସ ଓ ବ୍ୟାପକ ଚିକିତ୍ସା ସତ୍ତ୍ୱେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଧୀରେ ଧୀରେ ଖରାପ ହୋଇଥିଲା।
ଶେଷରେ ହୃଦ୍ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା।
ଷ୍ଟାଲିନଙ୍କୁ ହରାଇ ରଚିଥିଲେ ଇତିହାସ ତେବେ ଭିଏସ୍ ବାବୁଙ୍କ ରାଜନୈତିକ ଯାତ୍ରା ମଧ୍ୟ ବେଶ୍ ରୋଚକ ଥିଲା।
ଚଳିତ ବର୍ଷ ମେ' ମାସରେ ତାମିଲନାଡୁ ବିଧାନସଭା ନିର୍ବାଚନରେ ସେ ଏମିତି ଏକ ଫଳାଫଳ ଦେଇଥିଲେ, ଯାହା ସାରା ଦେଶର ରାଜନୈତିକ ମହଲକୁ ଚକିତ କରିଥିଲା।
ଡିଏମକେ ମୁଖ୍ୟ ଏମ୍କେ ଷ୍ଟାଲିନଙ୍କୁ ତାଙ୍କ ନିଜ ଗଡ଼ କୁହାଯାଉଥିବା କୋଲାଥୁର ଆସନରେ ପରାସ୍ତ କରିଥିଲେ ଭିଏସ୍ ବାବୁ।
ତାହା ପୁଣି ୮,୭୯୫ ଖଣ୍ଡ ଭୋଟ୍ ବ୍ୟବଧାନରେ।
୨୦୧୧ ମସିହାରୁ ଷ୍ଟାଲିନ ଏହି ଆସନକୁ ପ୍ରତିନିଧିତ୍ୱ କରିଆସୁଥିଲେ।
ତେଣୁ ତାଙ୍କୁ ହରାଇବା ଭିଏସ୍ ବାବୁଙ୍କୁ ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ଚେହେରା କରିଦେଇଥିଲା।
ଡିଏମକେରୁ ଏଆଇଏଡିଏମକେ, ପରେ ଟିଭିକେ ଭିଏସ୍ ବାବୁଙ୍କ ରାଜନୈତିକ ଜୀବନ ଅନେକ ମୋଡ଼ ଦେଇ ଗତି କରିଥିଲା।
୨୦୦୬ରୁ ୨୦୧୧ ପର୍ଯ୍ୟନ୍ତ ସେ ଡିଏମକେ ଟିକେଟ୍ରେ ପୁରସୱାଲକମ୍ ଆସନରୁ ବିଧାୟକ ହୋଇଥିଲେ।
ପରେ ୨୦୧୬ ଜୁନ୍ରେ ଏଆଇଏଡିଏମକେରେ ଯୋଗ ଦେଇଥିଲେ।
ଏହାପରେ ୨୦୨୬ ଫେବୃଆରୀ ୭ରେ ଟିଭିକେରେ ସାମିଲ ହୋଇଥିଲେ।
ଯେଉଁ ଷ୍ଟାଲିନଙ୍କ ଦଳରୁ ଦିନେ ସେ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ, ପରବର୍ତ୍ତୀ ସମୟରେ ସେହି ଷ୍ଟାଲିନଙ୍କୁ ନିର୍ବାଚନରେ ପରାସ୍ତ କରି ଚର୍ଚ୍ଚାକୁ ଆସିଥିଲେ।
ହେଲେ ଏବେ ତାଙ୍କର ଅଚାନକ ବିୟୋଗ ତାମିଲନାଡୁ ରାଜନୀତିରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
