Three Deaths in One Month: ଝିଅ ବାହାଘର ପୂର୍ବରୁ ଉଠିଲା ବାପାଙ୍କ କୋକେଇ, ୨୦ ଦିନ ତଳେ ମାଆଙ୍କୁ ହରାଇଥିଲା ଝିଅ
ଯେଉଁ ଘରେ ବାଜିଥାନ୍ତା ସାହାନାଇ, ସେହି ଘରୁ ଉଠିଲା କୋକେଇ।
ଯେଉଁ ବାପା ନିଜ ଝିଅକୁ ବେଦୀରେ ବସାଇ କନ୍ୟାଦାନ କରିଥାନ୍ତେ, ସେହି ବାପାଙ୍କୁ ଶେଷ ବିଦାୟ ଦେବାକୁ ପଡ଼ିଲା।
ଝିଅର ବାହାଘର ପାଇଁ ଘରେ ଚାଲିଥିଲା ଜୋରଦାର ପ୍ରସ୍ତୁତି।
ବନ୍ଧୁବାନ୍ଧବଙ୍କ ଗହଳି ଲାଗିଥିଲା।
ବରଯାତ୍ରୀଙ୍କୁ ସ୍ୱାଗତ କରିବାକୁ ସମସ୍ତେ ଅପେକ୍ଷା କରିଥିଲେ।
ହେଲେ ହଠାତ୍ ଗୋଟିଏ ଖବର ସବୁକିଛି ଓଲଟପାଲଟ କରିଦେଲା।
ଖୁସିର ମାହୋଲ ମୁହୂର୍ତ୍ତକ ମଧ୍ୟରେ ଶୋକରେ ବଦଳିଗଲା।
ଝିଅର ହାତରେ ମେହେନ୍ଦି ଲାଗିବା ପୂର୍ବରୁ ବାପାଙ୍କ ଜୀବନ ଚାଲିଗଲା।
Advertisment ଏଭଳି ଏକ ହୃଦୟବିଦାରକ ଘଟଣା ଉତ୍ତରପ୍ରଦେଶର ପ୍ରୟାଗରାଜ ଜିଲ୍ଲା ହଣ୍ଡିଆ ଥାନା ଅଞ୍ଚଳର ବିଝବନିୟାପୁର ଗାଁରେ ଘଟିଛି।
ଗାଁର ରାମନରେଶ ଯାଦବ ନିଜ ଝିଅ ପୁନମଙ୍କ ବାହାଘର ପାଇଁ ବେଶ୍ ଖୁସି ଥିଲେ।
ଘରେ ବିବାହର ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଥିଲା।
ମାତ୍ର ବରଯାତ୍ରୀ ଆସିବା ପୂର୍ବରୁ ଏକ ଟ୍ରକ୍ ଧକ୍କାରେ ରାମନରେଶଙ୍କ ମୃତ୍ୟୁ ହୋଇଥିଲା।
ଏହି ଖବର ଘରେ ପହଞ୍ଚିବା ମାତ୍ରେ ଚାରିଆଡ଼େ କାନ୍ଦବୋବାଳି ପଡ଼ିଥିଲା।
ଯେଉଁ ଦୁଆରେ ବରଯାତ୍ରୀଙ୍କୁ ସ୍ୱାଗତ କରାଯାଇଥାନ୍ତା, ସେହି ଦୁଆରେ ବାପାଙ୍କ ଶବ ଦେଖି ଭାଙ୍ଗି ପଡ଼ିଥିଲେ ପରିବାର ଲୋକେ।
ତେବେ ଏହି ପରିବାରର ଦୁଃଖ ଏତିକିରେ ସୀମିତ ନୁହେଁ।
ମାତ୍ର ୨୦ ଦିନ ପୂର୍ବରୁ ରାମନରେଶଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା।
ଏହାର ଦିନକ ପୂର୍ବରୁ ତାଙ୍କ ସାନଭାଇ ମଧ୍ୟ ଆଖି ବୁଜିଥିଲେ।
ଗୋଟିଏ ମାସ ଭିତରେ ପରିବାରର ତିନି ତିନି ଜଣ ଆତ୍ମୀୟଙ୍କୁ ହରାଇବା ପରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି।
ମାଆଙ୍କୁ ହରାଇବାର ଦୁଃଖ ମନରୁ ଲିଭିନଥିବା ବେଳେ ବାପାଙ୍କୁ ମଧ୍ୟ ହରାଇଛନ୍ତି ପୁନମ।
Advertisment ଘଟଣା ପରେ ଗାଁ ଲୋକେ ରାମନରେଶଙ୍କ ପରିବାର ପାଖରେ ପହଞ୍ଚି ସମବେଦନା ଜଣାଇଥିଲେ।
ଅସହାୟ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ କ୍ଷତିପୂରଣ ଦେବାକୁ ପ୍ରଶାସନ ନିକଟରେ ଦାବି କରିଥିଲେ।
ଅନ୍ୟପଟେ ହଣ୍ଡିଆ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି।
ଦୁର୍ଘଟଣାର କାରଣ ନେଇ ତଦନ୍ତ ଜାରି ରହିଛି।
ହେଲେ ଏବେ ସେହି ଘରେ ନାହିଁ ବାହାଘରର ହସ, ନା ଶୁଭୁଛି ସାହାନାଇ।
ଝିଅର ବିଦାୟ ପୂର୍ବରୁ ବାପାଙ୍କ ବିଦାୟ ଯେମିତି ସମସ୍ତଙ୍କ ହୃଦୟକୁ ଦୋହଲାଇ ଦେଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
