Terracotta Exhibition: ଟେରାକୋଟା ଓ କୁମ୍ଭାର ଶିଳ୍ପ’ର ସମୃଦ୍ଧି ପାଇଁ ଆମେ ପ୍ରତିବଦ୍ଧ: ମନ୍ତ୍ରୀ
ଭୁବନେଶ୍ବର: ଟେରାକୋଟା ଏବଂ କୁମ୍ଭାର ଶିଳ୍ପରେ କାର୍ଯ୍ୟରତ ହସ୍ତଶିଳ୍ପୀମାନଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ରାଜ୍ୟସ୍ତରୀୟ ’ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ‘ମୃତ୍ତିକା’-୨୦୨୬’ ଆଜିଠାରୁ ଆରମ୍ଭ ହୋଇଛି। ସ୍ଥାନୀୟ ଇଡକୋ ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ଏହି ପ୍ରଦର୍ଶନୀର ଶୁଭାରମ୍ଭ କରି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ କହିଛନ୍ତି; ଓଡ଼ିଶାର ପ୍ରାଚୀନ ହସ୍ତଶିଳ୍ପର ଜୀବନ୍ତ ନିଦର୍ଶନ ହେଉଛି “ଟେରାକୋଟା ଓ କୁମ୍ଭାର ଶିଳ୍ପ।” ଏହି ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିବା ସମସ୍ତ ହସ୍ତଶିଳ୍ପୀଙ୍କୁ ନିଃଶୁଳ୍କ ଷ୍ଟଲ ପ୍ରଦାନ କରାଯାଇଛି। ଏହା ସହ ସେମାନଙ୍କ ଯାତାୟାତ ଖର୍ଚ୍ଚ, ଦୈନିକ ଭତ୍ତା ଏବଂ ସାମଗ୍ରୀ ପରିବହନ ଖର୍ଚ୍ଚ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଛି। “ଟେରାକୋଟା ଓ କୁମ୍ଭାର ଶିଳ୍ପ”ର ସମୃଦ୍ଧି ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ ଅଛନ୍ତି ବୋଲି ଶ୍ରୀ ବଳ ସାମନ୍ତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଏହି ଉଦ୍ଘାଟନୀ ଉତ୍ସବରେ ବିଭାଗୀୟ କମିସନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର ଯୋଗ ଦେଇ କହିଥିଲେ, ଗୋଟିଏ ସ୍ଥାନରେ ଟେରାକୋଟା ଏବଂ କୁମ୍ଭାର ହସ୍ତଶିଳ୍ପକୁ ପ୍ରଦର୍ଶିତ କରିବା ସହ ଶିଳ୍ପୀମାନଙ୍କ ସମୃଦ୍ଧି ପାଇଁ ଏକ ବ୍ୟବସାୟିକ ମଞ୍ଚ ଯୋଗାଇଦେବା ହେଉଛି ଏହି ପ୍ରଦର୍ଶନୀର ପ୍ରଧାନ ଆଭିମୁଖ୍ୟ।
ଦୀପାବଳୀକୁ ଦୃଷ୍ଟିରେ ରଖି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଏହାର ଆୟୋଜନ ହୋଇଛି। ଏହା ଆସନ୍ତା ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଚଳିତଥର ୨୧୮ଟି ଷ୍ଟଲ୍ ଖୋଲିଛି । ପ୍ରତ୍ୟେକ ଦିନ ଦିବା ୧୧ ଘଟିକାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ଖୋଲା ରହିବ। ଓଡିଶାର ୨୬ ଜିଲ୍ଲାରୁ ପ୍ରାୟ ୩୮୦ ଜଣ ଟେରାକୋଟା ଏବଂ କୁମ୍ଭାର ହସ୍ତଶିଳ୍ପୀ ଏହି ପ୍ରଦର୍ଶନୀରେ ଅଂଶଗ୍ରହଣ କରିଛନ୍ତି। ଚଳିତଥର ପ୍ରାୟ ୩ କୋଟି ଟଙ୍କାରୁ ଅଧିକ ବ୍ୟବସାୟ ହେବ ବୋଲି ଆକଳନ କରାଯାଇଛି। ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରତି ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଛି । ଥିମ୍ ପ୍ୟାଭିଲିୟନରେ ଟେରାକୋଟା ହସ୍ତଶିଳ୍ପର ଯାତ୍ରା ପ୍ରଦର୍ଶିତ ହୋଇଛି।
ଏହି ସମାରୋହରେ ହସ୍ତଶିଳ୍ପ ନିର୍ଦ୍ଦେଶିକା ନିବେଦିତା ପୃଷ୍ଟି, ହସ୍ତତନ୍ତ, ବୟନ, ହସ୍ତଶିଳ୍ପ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ବିକ୍ରମାଦିତ୍ୟ ବାରିକ, ସ୍ୱତନ୍ତ୍ର ଅଧିକାରୀ ଇନ୍ଦିରା ବେହେରା, ଯୁଗ୍ମ ସଚିବ ମମତା ନାୟକ, ବିତ୍ତ ପରାମର୍ଶଦାତା ମଧୁସ୍ମିତା ବେହେରା ହସ୍ତଶିଳ୍ପ ଉପ-ନିର୍ଦ୍ଦେଶକ ମାନଗୋଵିନ୍ଦ ଜେନା, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଉଦଘାଟନ ଅବସରରେ ଉଭୟ ମନ୍ତ୍ରୀ ଓ ସଚିବ ପ୍ରଦର୍ଶନୀ ବୁଲି ଦେଖିବା ସହ ଶିଳ୍ପୀମାନଙ୍କ ଭଲ ମନ୍ଦ ବିଷୟରେ ପଚାରି ବୁଝିଥିଲେ। ବାର୍ତ୍ତାଳାପ ସମୟରେ ଶିଳ୍ପୀ ମାନେ ଟେରାକୋଟା ଶିଳ୍ପ ସହ ଯୋଡି ହୋଇ ରହିଥିବା ଅନୁଭୂତି, ହସ୍ତଶିଳ୍ପ ଯୋଗୁ ବ୍ୟବସାୟରେ ହେଉଥିବା ଲାଭ ବିଷୟରେ ଉଲ୍ଲେଖ କରିଥିଲେ।
ସୂଚନାଯୋଗ୍ୟ ଯେ, ଏହି ହସ୍ତଶିଳ୍ପରେ ରାଜ୍ୟରେ ୪୪ ହଜାରରୁ ଅଧିକ କାରିଗର ନିଜର ଜୀବିକା ନିର୍ବାହ କରୁଛନ୍ତି। ରାଜ୍ୟ ସରକାରଙ୍କ ଦ୍ଵାରା ସ୍ୱୀକୃତିପ୍ରାପ୍ତ ୬୪ ଗୋଟି ହସ୍ତଶିଳ୍ପ ମଧ୍ୟରୁ “ଟେରାକୋଟା ଏବଂ କୁମ୍ଭାର ଶିଳ୍ପ” ହେଉଛି ଅନ୍ୟତମ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
