Tarun Tejpal Sentenced To 10 Years Jail: ଦୁଷ୍କର୍ମ ମାମଲାରେ ତରୁଣ ତେଜପାଲଙ୍କୁ ୧୦ ବର୍ଷ ଜେଲ

Aug 06, 2026 - 15:46
Tarun Tejpal Sentenced To 10 Years Jail: ଦୁଷ୍କର୍ମ ମାମଲାରେ ତରୁଣ ତେଜପାଲଙ୍କୁ ୧୦ ବର୍ଷ ଜେଲ

ମହିଳା ସହକର୍ମୀଙ୍କୁ ଦୁଷ୍କର୍ମ ମାମଲାରେ ତେହେଲକାର ପ୍ରତିଷ୍ଠାତା ତରୁଣ ତେଜପାଲଙ୍କୁ ବଡ଼ ଝଟକା। ଗୋଆ ବେଞ୍ଚର ବମ୍ବେ ହାଇକୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷର କଠୋର କାରାଦଣ୍ଡ ଶୁଣାଇଛନ୍ତି। ୨୦୨୧ରେ ଟ୍ରାଏଲ କୋର୍ଟ ଦେଇଥିବା ରାୟକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଏଥିସହ ତେଜପାଲଙ୍କୁ ଦୁଇ ସପ୍ତାହ ମଧ୍ୟରେ ଗୋଆ ପୋଲିସ ନିକଟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

୨୦୧୩ ନଭେମ୍ବରରେ ତେଜପାଲ ଗୋଆର ଏକ ରିସର୍ଟରେ ଲିଫ୍ଟ ଭିତରେ ଜଣେ କନିଷ୍ଠ ସହକର୍ମୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଦୀର୍ଘ ଆଇନଗତ ପ୍ରକ୍ରିୟା ପରେ ହାଇକୋର୍ଟ ତାଙ୍କୁ ଦୁଷ୍କର୍ମ ଓ ଯୌନ ଉତ୍ପୀଡ଼ନ ସମ୍ବନ୍ଧୀୟ ଆଇପିସିର ବିଭିନ୍ନ ଧାରାରେ ଦୋଷୀ ସାବ୍ୟସ୍ତ କରିଛନ୍ତି।

କୋର୍ଟ ଦୁଷ୍କର୍ମ ସମ୍ବନ୍ଧୀୟ ଦୁଇଟି ଧାରାରେ ୧୦ ବର୍ଷ ଲେଖାଏଁ କାରାଦଣ୍ଡ ଏବଂ ପ୍ରତ୍ୟେକରେ ୫ ଲକ୍ଷ ଟଙ୍କା ଜରିମାନା ଲାଗୁ କରିଛନ୍ତି। ତେବେ ସମସ୍ତ ଦଣ୍ଡ ଏକାସାଙ୍ଗେ ଚାଲିବାରୁ ତେଜପାଲଙ୍କୁ ସର୍ବାଧିକ ୧୦ ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ।

ରାୟ ଘୋଷଣା ପରେ ୬୨ ବର୍ଷୀୟ ତରୁଣ ତେଜପାଲ ବୟସ ଓ ପାରିବାରିକ ପରିସ୍ଥିତି ଦର୍ଶାଇ କୋର୍ଟଙ୍କୁ କୋହଳ ଦେଖାଇବାକୁ ଅନୁରୋଧ କରିଥିଲେ। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯୁକ୍ତି ରଖି କୁହାଯାଇଥିଲା ଯେ, ପୀଡ଼ିତାଙ୍କ ପାଇଁ ତେଜପାଲ ଜଣେ ଭରସାଯୋଗ୍ୟ ବ୍ୟକ୍ତି ଥିଲେ ଏବଂ ଏଭଳି ଅପରାଧ ବିରୋଧରେ ସମାଜକୁ ସ୍ପଷ୍ଟ ବାର୍ତ୍ତା ଦେବା ଆବଶ୍ୟକ।

ଦୋଷୀ ସାବ୍ୟସ୍ତ ହେବା ପରେ ତେଜପାଲ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ତେଜପାଲ। ହାଇକୋର୍ଟ ପକ୍ଷରୁ ଦୁଇ ସପ୍ତାହ ସମୟ ଦିଆଯାଇଥିବାରୁ ସେ ଏହି ସମୟ ମଧ୍ୟରେ ସୁପ୍ରିମକୋର୍ଟରେ ଆଇନଗତ ବିକଳ୍ପ ଅବଲମ୍ବନ କରିପାରିବେ। ତେବେ ହାଇକୋର୍ଟଙ୍କ ବିସ୍ତୃତ ରାୟ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।