Electric Fans Used to Dry Damaged Expressway: ଉଦଘାଟନକୁ ମାସେ ନପୂରୁଣୁ ଧସିଲା ରାସ୍ତା, ନିର୍ମାଣ ଗୁଣବତ୍ତା ଉପରେ ଉଠିଲା ପ୍ରଶ୍ନ

Aug 06, 2026 - 17:03
Electric Fans Used to Dry Damaged Expressway: ଉଦଘାଟନକୁ ମାସେ ନପୂରୁଣୁ ଧସିଲା ରାସ୍ତା, ନିର୍ମାଣ ଗୁଣବତ୍ତା ଉପରେ ଉଠିଲା ପ୍ରଶ୍ନ

ଉଦଘାଟନର କିଛି ସପ୍ତାହ ପରେ ରାସ୍ତାରେ ଫାଟ, ଏବେ ଶୁଖାଇବା ପାଇଁ ଲାଗିଛି ବଡ଼ ବଡ଼ ପଙ୍ଖା। ଉତ୍ତରପ୍ରଦେଶର କାନପୁର-ଲକ୍ଷ୍ନୌ ଏକ୍ସପ୍ରେସୱେର ଏକ ଅଂଶ ପ୍ରବଳ ବର୍ଷା ପରେ ଧସିଯିବାରୁ ମରାମତି କାମ ଜାରି ରହିଛି। ରାସ୍ତା ତଳର ମାଟିର ଆର୍ଦ୍ରତା କମାଇବା ପାଇଁ ସେଠାରେ ହାଇ ପାୱାର ଇଲେକ୍ଟ୍ରିକ୍ ପଙ୍ଖା ଲଗାଯାଇଛି।

ଘଟଣାସ୍ଥଳର ଦୃଶ୍ୟରେ କ୍ଷତିଗ୍ରସ୍ତ ରାସ୍ତା ଉପରେ ବଡ଼ ବଡ଼ ଫ୍ୟାନ୍ ଚାଲୁଥିବା ଦେଖାଯାଇଛି। ମାଟି ଶୁଖିବା ପରେ ହିଁ ନୂଆ ନିର୍ମାଣ କାମ ଆରମ୍ଭ କରାଯିବ ବୋଲି ଅଧିକାରୀମାନେ କହିଛନ୍ତି।ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ବା ଏନଏଚଏଆଇ ଅନୁସାରେ, ଲଗାତାର ବର୍ଷା ଯୋଗୁଁ ରାସ୍ତା ତଳର ସ୍ତରରେ ପାଣି ପଶିଥିଲା। ଏହା ଫଳରେ ମାଟି ଦୁର୍ବଳ ହୋଇ ରାସ୍ତାର ଏକ ଅଂଶ ଧସିଯାଇଥିଲା।

ରାସ୍ତା ଧସିବା ପରେ କାନପୁର ଓ ଲକ୍ଷ୍ନୌ ମଧ୍ୟରେ ଯାତାୟାତ ପ୍ରଭାବିତ ହୋଇଛି। ଏବେ ଉଭୟ ଦିଗର ଯାନବାହନକୁ ଗୋଟିଏ ସର୍ଭିସ ରୋଡ଼ ଦେଇ ଚଳାଚଳ କରାଯାଉଛି। ତେବେ ମରାମତି ଯନ୍ତ୍ରପାତି ଓ ଚାଲୁଥିବା ଟ୍ରାଫିକ୍ ଏକାସାଙ୍ଗେ ରହିବାରୁ ଯାତ୍ରୀଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି।

କିଛି ଗାଡ଼ି ଚାଳକ ଅଭିଯୋଗ କରିଛନ୍ତି ଯେ, ଟୋଲ ପ୍ଲାଜାରେ ସୂଚନା ନ ଦେଇ ଟୋଲ ଆଦାୟ କରାଯାଇଥିଲା। ଆଗରୁ ରାସ୍ତା ବନ୍ଦ ଓ ଡାଇଭର୍ସନ ବିଷୟରେ ଜାଣିଥିଲେ ସେମାନେ ବିକଳ୍ପ ମାର୍ଗ ବାଛିଥାନ୍ତେ ବୋଲି କହିଛନ୍ତି।

ଏହି ଘଟଣା ଏକ୍ସପ୍ରେସୱେ ନିର୍ମାଣର ଗୁଣବତ୍ତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି। ରିପୋର୍ଟ ଅନୁସାରେ, ସେହି ସ୍ଥାନରେ ଏକ ମାସ ମଧ୍ୟରେ ପୁଣି ମରାମତି ଆବଶ୍ୟକ ହୋଇଥିଲା। ଏହାଛଡ଼ା ବର୍ଷା ପରେ ଏକ୍ସପ୍ରେସୱେର ଅନ୍ୟ ୭ରୁ ୮ଟି ସ୍ଥାନରେ ମଧ୍ୟ ରାସ୍ତା ଖସିବା ଖବର ଆସିଛି।

ଏନଏଚଏଆଇ ଏହି ଘଟଣାର ପ୍ରାଯୁକ୍ତିକ ତଦନ୍ତ ପାଇଁ ଆଇଆଇଟି ଖଡ଼ଗପୁରକୁ ଦାୟିତ୍ୱ ଦେଇଛି। ସମ୍ପୂର୍ଣ୍ଣ ଏକ୍ସପ୍ରେସୱେର ରାସ୍ତା ଗୁଣବତ୍ତା ଯାଞ୍ଚ ପାଇଁ ଲେଜର ପ୍ରୋଫାଇଲୋମିଟର ସର୍ଭେ ମଧ୍ୟ କରାଯିବ।

ନିର୍ମାଣ କମ୍ପାନୀ ପିଏନସି ଇନ୍ଫ୍ରାଟେକ୍‌କୁ ନୋଟିସ୍ ଜାରି କରାଯାଇଛି। ଅଭିଯୋଗ ସାବ୍ୟସ୍ତ ହେଲେ କମ୍ପାନୀକୁ ନନ୍-ପରଫର୍ମିଂ କଣ୍ଟ୍ରାକ୍ଟର ଘୋଷଣା କରାଯାଇପାରେ। ପ୍ରାୟ ୩ କୋଟି ଟଙ୍କାର ମରାମତି ଖର୍ଚ୍ଚ କମ୍ପାନୀ ବହନ କରିବ।

ଏହାସହ ନିର୍ମାଣ ନିରୀକ୍ଷଣରେ ଥିବା କିଛି ଅଧିକାରୀଙ୍କୁ ହଟାଇ ଦିଆଯାଇଛି ଏବଂ ଦୁଇ ବର୍ଷ ପାଇଁ ଏନଏଚଏଆଇ ଓ ସମ୍ବନ୍ଧିତ ପ୍ରକଳ୍ପରେ କାମ କରିବା ଉପରେ ରୋକ ଲଗାଯାଇଛି। ମରାମତି ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ପ୍ରଭାବିତ ଅଂଶରେ ଟୋଲ ଆଦାୟ ବନ୍ଦ ରହିବ। ଏହାର ରାଜସ୍ୱ କ୍ଷତି ନିର୍ମାଣ କମ୍ପାନୀଠାରୁ ଆଦାୟ କରାଯିବ ବୋଲି ଏନଏଚଏଆଇ କହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।