Talcher-Bimlagarh railway project: ତାଳଚେର-ବିମଳାଗଡ଼ ରେଳପଥ ପ୍ରକଳ୍ପରେ ବିଳମ୍ବ, ୨୦୨୯ ମାର୍ଚ୍ଚକୁ ବଢ଼ିଲା ନିର୍ମାଣ ଅବଧି
ରାଉରକେଲା: ଖଣି, ଶିଳ୍ପକାରଖାନାରେ ଭରପୁର ସୁନ୍ଦରଗଡ଼ ଜିଲ୍ଲାରେ ରେଳସେବା ବିକାଶ ଅବଶ୍ୟମ୍ଭାବି ହେଲାଣି।
ଏଠାକାର ଖଣିଜପଦାର୍ଥ ପରିବହନ ସମେତ ଯାତ୍ରୀ ପରିବହନ ପାଇଁ, ନୂତନ ରେଳପଥ, ଟ୍ରେନ୍ ଚଳାଚଳ ଏକମାତ୍ର ବିକଳ୍ପ ପାଲଟିଛି।
ଏହି ଉଦ୍ଦେଶ୍ୟ ନେଇ ତାଳଚେର-ବିମଳାଗଡ଼ ରେଳପଥ ପ୍ରକଳ୍ପ ଆରମ୍ଭ ହୋଇଥିଲା।
ବିଡ଼ମ୍ବନା, ଜିଲ୍ଲା ପ୍ରଶାସନର ଚିରାଚରିତ ଅବହେଳା ଯୋଗୁ ଏହି ବହୁ ପ୍ରତିକ୍ଷିତ ପ୍ରକଳ୍ପର ଭାଗ୍ୟ ଫିଟିପାରୁନି।
ବର୍ଷ ଗଡ଼ୁଛି, ଅବଧି ବି ବଦଳୁଛି, କିନ୍ତୁ ପ୍ରକଳ୍ପର ଆଶାନୁରୂପ ଅଗ୍ରଗତି ଦେଖିବାକୁ ମିଳୁନି।
Advertisment ଏହି ରେଳପଥ ସୁନ୍ଦରଗଡ଼-ଦେବଗଡ଼- ଅନୁଗୁଳ ଜିଲ୍ଲାକୁ ଅନ୍ତର୍ଭୁକ୍ତ କରି ଉତ୍ତର ଓଡ଼ିଶାକୁ ସଂଯୋଗ କରିବ।
୨୦୦୩-୦୪ ରେଲ୍ୱେ ବଜେଟ୍ରେ ଏହି ପ୍ରକଳ୍ପ ଅନୁମୋଦିତ ହୋଇଥିଲା।
୧୫୦ କିଲୋମିଟର ବିଶିଷ୍ଟ ଏହି ରେଳ ପ୍ରକଳ୍ପର ମୋଟ ବ୍ୟୟ ଅଟକଳ ୭୨୭ କୋଟି ଟଙ୍କାରୁ ବୃଦ୍ଧି ପାଇ ୩,୩୯୦ କୋଟି ଟଙ୍କାରେ ପହଞ୍ଚିଲାଣି।
ଗତ ମାର୍ଚ୍ଚ ସୁଦ୍ଧା ଏହି ପ୍ରକଳ୍ପରେ ୧,୯୦୧ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଥିବା ବେଳେ ଚଳିତ ଆର୍ଥିକବର୍ଷ ୨୦୨୬-୨୭ ପାଇଁ ୯୫୦ କୋଟି ଟଙ୍କା ବରାଦ କରାଯାଇଛି।
ଜମି ଅଧିଗ୍ରହଣରେ ବ୍ୟାପକ ଶିଥିଳତା ଓ କୋର୍ଟ ମାମଲା ଯୋଗୁ ପ୍ରକଳ୍ପର ସାମଗ୍ରିକ ଅଗ୍ରଗତି ପ୍ରାୟ ୩୨ ପ୍ରତିଶତରେ ସୀମିତ ରହିଛି।
ଫଳରେ ପ୍ରକଳ୍ପର ନିର୍ମାଣ ଅବଧିକୁ ୨୦୨୯ ମାର୍ଚ୍ଚକୁ ବୃଦ୍ଧି କରାଯାଇଛି।
ସାଂପ୍ରତିକ ନିର୍ମାଣ ସ୍ଥିତି, ଅତ୍ୟନ୍ତ ନୈରାଶ୍ୟଜନକ।
ଏହି ପ୍ରକଳ୍ପର କେବଳ ୪୮ କିଲୋମିଟର ବିଶିଷ୍ଟ ତାଳଚେର-ଖମାର ସେକ୍ସନ କାର୍ଯ୍ୟକ୍ଷମ ହୋଇସାରିଛି।
ଅବଶିଷ୍ଟ ଅଞ୍ଚଳ, ଯଥା- ଖମାର-ଗୋଲାବନ୍ଧ (୩୫ କିଲୋମିଟର) ଗୋଲାବନ୍ଧ-ମହୁଲଡିହା (୩୫ କିଲୋମିଟର) ଏବଂ ମହୁଲଡିହା-ବିମଳାଗଡ଼ (୩୨ କିଲୋମିଟର), କମି ସମସ୍ୟା ଯୋଗୁ ଅଧପନ୍ତରିଆ ହୋଇ ପଡ଼ିରହିଛି।
ଅବଶ୍ୟ ଉପଲବ୍ଧ ଜମିରେ ବ୍ରିଜ୍, ଆର୍ଓବି, ଷ୍ଟେସନ ନିର୍ମାଣ କାର୍ଯ୍ୟ ଜାରି ରହିଛି।
ମହୁଲଡିହା-ବିମଳାଗଡ଼ ସେକ୍ସନ ପାଇଁ ଜଙ୍ଗଲ ଓ ବନ୍ୟପ୍ରାଣୀ ମଞ୍ଜୁରୀ ମଧ୍ୟ ମିଳିସାରିଛି।
ଜମି ଅଧିଗ୍ରହଣରେ ମନ୍ଥରତା ପ୍ରକଳ୍ପ ପାଇଁ ଆବଶ୍ୟକ ମୋଟ ୮୬୩ ହେକ୍ଟର (ପ୍ରାୟ ୨,୧୪୪ ଏକର) ଜମି ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୭୫୬ ହେକ୍ଟର (୧,୮୬୮ ଏକର) ଜମି ଅଧିଗ୍ରହଣ କରାଯାଇଛି।
ବାକି ୧୦୭ ହେକ୍ଟର (ପ୍ରାୟ ୨୭୫.୬୭ ଏକର) ଜମି ଅଧିଗ୍ରହଣ, ଏଯାବତ ସମ୍ଭବ ହୋଇପାରିନି।
ଏହି ଅବଶିଷ୍ଟ ଜମି ମଧ୍ୟରେ ୨୦୨.୧୫ ଏକର ବେସରକାରୀ (ଘରୋଇ) ଜମି, ୧୩.୭ ଏକର ଜଙ୍ଗଲ ଜମି ଓ ୫୯.୮୨୧ ଏକର ସରକାରୀ ଜମି ରହିଛି।
ସୁନ୍ଦରଗଡ଼ ଜିଲ୍ଲାରେ ପ୍ରାୟ ୨୦ ପ୍ରତିଶତ ଏବଂ ଦେଓଗଡ଼ ଜିଲ୍ଲାରେ ପ୍ରାୟ ୯୦ ପ୍ରତିଶତ ଘରୋଇ ଜମିର ଭୌତିକ ଦଖଲ ଏଯାଏ ରେଳବାଇକୁ ମିଳିପାରିନାହିଁ।
ନିକଟରେ ଓଡ଼ିଶା ସରକାରଙ୍କ ରାଜସ୍ୱ ସଚିବ ଏହି ଜମି ସମସ୍ୟାର ସମାଧାନ ଓ କ୍ଷତିପୂରଣ ମାମଲାଗୁଡ଼ିକୁ ଶୀଘ୍ର ଶେଷ କରି ରେଳବାଇକୁ ଜମି ହସ୍ତାନ୍ତର କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।
ତାଳଚେର-ଖମାର: ଏହି ସେକ୍ସନର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ କାର୍ଯ୍ୟକ୍ଷମ ଖମାର-ଗୋଲାବନ୍ଧ: ଏହି ଅଞ୍ଚଳରେ ଆବଶ୍ୟକ ୧୩୭ ହେକ୍ଟର ଜମି ମଧ୍ୟରୁ କେବଳ ୧୧୦ ହେକ୍ଟର ଜମି ଅଧିଗ୍ରହଣ କରାଯାଇଛି।
ଉପଲବ୍ଧ ଜମିରେ କାର୍ଯ୍ୟ ଜାରି ରହିଛି।
ଏଠାରେ ମୋଟ ୬୧ଟି ଛୋଟ ପୋଲ ମଧ୍ୟରୁ ୪୧ଟି ଶେଷ ହୋଇଥିବା ବେଳେ ବାକିଗୁଡ଼ିକର କାମ ଚାଲିଛି।
ସେହିପରି ୧୧ଟି ରେଳ ଓଭର ବ୍ରିଜ ମଧ୍ୟରୁ ୩ଟି ଓ ୧୬ଟି ରେଳ ଅଣ୍ଡର ବ୍ରିଜ ମଧ୍ୟରୁ ୧୨ଟିର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି।
ଏହା ସହିତ ପାଳଲହଡ଼ା ସଦର ନିକଟରେ ପାଳଲହଡ଼ା ଷ୍ଟେସନ ବିଲ୍ଡିଂର ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି।
ଗୋଲାବନ୍ଧ-ମହୁଲଡିହା: ଏହି ଭାଗ ପାଇଁ ଆବଶ୍ୟକ ୧୧୩ ହେକ୍ଟର ଜମିରୁ ବର୍ତ୍ତମାନ ସୁଦ୍ଧା ୬୯ ହେକ୍ଟର ଜମି ଅଧିଗ୍ରହଣ କରାଯାଇଛି।
ମହୁଲଡିହା-ବିମଳାଗଡ଼: ଏହି ଶେଷ ସେକ୍ସନ ପାଇଁ ୧୩୪ ହେକ୍ଟର ଜମି ମଧ୍ୟରୁ ୧୦୮ ହେକ୍ଟର ଜମି ମିଳିସାରିଛି।
ଉପଲବ୍ଧ ଜମିରେ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ମୋଟ ୭୨ଟି ଛୋଟ ପୋଲ ମଧ୍ୟରୁ ୩୯ଟି ଏବଂ ୨୫ଟି ଆର୍ୟୁବି ମଧ୍ୟରୁ ୧୨ଟିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି।
Fisherman Dies: ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡ଼ି ମାଛ ଧରାଳିଙ୍କ ମୃତ୍ୟୁ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
