Suspended: ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା: ବିଦ୍ୟାଭାରତୀ ପଣ୍ଡା ଚାକିରିରୁ ନିଲମ୍ବିତ
ଉଦଳା/ ପାରଳାଖେମୁଣ୍ଡି: ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ରାଜ୍ୟ ସରକାର ଚାକିରିରୁ ନିଲମ୍ବିତ କରିଛନ୍ତି।
ତାଙ୍କୁ ପ୍ରାଣୀ ସଂପଦ ବିଭାଗ ନିଲମ୍ବିତ କରିଥିବା ଜଣାଯାଇଛି।
ଜେଲ୍ ଯିବା ପରେ ବିଦ୍ୟାଭାରତୀ ପଣ୍ଡାଙ୍କୁ କାହିଁକି ଚାକିରିରୁ ନିଲମ୍ବିତ କରାଯାଉନାହିଁ ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ହେଉଥିଲା।
ସୂଚନାଯୋଗ୍ୟ, ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ବିଦ୍ୟାଭାରତୀ ପଣ୍ଡା ଏବେ ଜେଲରେ ଅଛନ୍ତି।
ବିଦ୍ୟାଭାରତୀଙ୍କ ବାପ ଘର ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଞ୍ଚଳରେ।
Advertisment ଯୋଜନାବଦ୍ଧ ହତ୍ୟା ଅଭିଯୋଗ ପ୍ରକାଶ ଥାଉକି, ୨୦୨୧ ଜୁଲାଇ ୧୧ ତାରିଖରେ ପାରଳାଖେମୁଣ୍ଡିସ୍ଥିତ ସରକାରୀ ବାସଭବନରେ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ରହସ୍ୟଜନକ ପରିସ୍ଥିତିରେ ନିଆଁରେ ପୋଡ଼ି ହୋଇ ଗୁରୁତର ଆହତ ହୋଇଥିଲେ।
ତାଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ପୋଡ଼ିଯାଇଥିଲା।
ପ୍ରଥମେ ତାଙ୍କୁ ବ୍ରହ୍ମପୁର ଓ ପରେ କଟକର ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା।
ସେଠାରେ ଜୁଲାଇ ୧୨ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା।
ଏହାକୁ ଏକ ଦୁର୍ଘଟଣା ନୁହେଁ, ବରଂ ଯୋଜନାବଦ୍ଧ ହତ୍ୟା ବୋଲି ଅଭିଯୋଗ କରି ମୃତକଙ୍କ ବାପା ଅଭିରାମ ମହାପାତ୍ର ଜୁଲାଇ ୧୪ ତାରିଖରେ ପାରଳାଖେମୁଣ୍ଡି ଥାନାରେ ଏତଲା ଦେଇଥିଲେ।
ଏଥିରେ ତତ୍କାଳୀନ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା, ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ନାମ ଉଲ୍ଲେଖ କରିଥିଲେ।
ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଅଗଷ୍ଟ ୨୦୨୧ରେ ରାଜ୍ୟ ସରକାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ।
କ୍ରାଇମବ୍ରାଞ୍ଚ ତଦନ୍ତ କରି ତିନି ଅଭିଯୁକ୍ତଙ୍କୁ ହତ୍ୟା ମାମଲାରୁ ମୁକ୍ତ ରଖି ଅବହେଳାଜନିତ ମୃତ୍ୟୁ ଓ ଅଗ୍ନିକାଣ୍ଡ ସମ୍ପର୍କିତ ଦଫାରେ ଚାର୍ଜସିଟ୍ ଦାଖଲ କରିଥିଲା।
ଏହାକୁ ବିରୋଧ କରି ମୃତ ସୌମ୍ୟରଞ୍ଜନଙ୍କ ବାପା ଅଦାଲତରେ ପ୍ରତିବାଦ ପିଟିସନ୍ ଦାଖଲ କରିଥିଲେ।
ଏହାର ଶୁଣାଣି କରି ୧୨ ଏପ୍ରିଲ ୨୦୨୩ରେ ପାରଳାଖେମୁଣ୍ଡି ଏସ୍ଡିଜେଏମ୍ ଅଦାଲତ ତିନି ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ଓ ଅପରାଧିକ ଷଡ଼ଯନ୍ତ୍ର ଦଫାରେ ବିଚାର ପ୍ରକ୍ରିୟା ଆଗକୁ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଥିଲେ।
ଡିଏଫ୍ଓ ସଂଗ୍ରାମ ବେହେରା ଓ ରୋଷେୟା ମନ୍ମଥ କୁମ୍ଭ ଜେଲ୍ରେ ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ବିଦ୍ୟାଭାରତୀ ଓ ତତ୍କାଳୀନ ଡିଏଫ୍ଓ ସଂଗ୍ରାମ ବେହେରା ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ।
ତେବେ ୨୦୨୫ ଜୁଲାଇରେ ଉଚ୍ଚ ନ୍ୟାୟାଳୟ ସେମାନଙ୍କ ଆବେଦନ ଖାରଜ କରିଥିଲେ।
ପରବର୍ତ୍ତୀ ସମୟରେ ସଂଗ୍ରାମ ବେହେରାଙ୍କ ଆଗୁଆ ଜାମିନ ଆବେଦନ ମଧ୍ୟ ଖାରଜ ହୋଇଥିଲା।
ଏହାପରେ ସେ ୨୦୨୬ ଜୁଲାଇ ୨୭ ତାରିଖରେ ପାରଳାଖେମୁଣ୍ଡି ଏସ୍ଡିଜେଏମ୍ ଅଦାଲତରେ ଆତ୍ମସମର୍ପଣ କରିଥିଲେ।
ତାଙ୍କ ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା।
ଅନ୍ୟ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କୁ ୨୦୨୬ ସେପ୍ଟେମ୍ବର ୩୦ ତାରିଖରେ ପୁଲିସ ତାଙ୍କ ଗ୍ରାମରୁ ଗିରଫ କରିଥିଲା।
ଉଭୟ ଏବେ ବି ଜେଲ୍ରେ ଅଛନ୍ତି।
Tragic Accident: ଘରକୁ ଫେରିବା ବାଟକୁ ଚାହିଁ ବସିଥିଲେ ପରିବାର ଲୋକେ, ଅଭାବନୀୟ ଦୁର୍ଘଟଣାରେ ଜୀବନ ହରାଇଲେ ଯୁବକ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
