Supremecourt: ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଲୋକଙ୍କ ଆବେଦନକୁ ପ୍ରାଥମିକତା ଦିଅ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍)କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ସୋମବାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି।
ଭୋଟର ତାଲିକାରୁ ନାମ କଟିଯାଇଥିବା ଲୋକଙ୍କ ଆବେଦନର ଶୁଣାଣିକୁ ଟ୍ରିବ୍ୟୁନାଲ୍ଗୁଡ଼ିକୁ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଅନ୍ୟପକ୍ଷରେ ତାଲିକାରେ ନୂଆ ଭାବେ ସାମିଲ ହୋଇଥିବା ଭୋଟରଙ୍କ ନାଁକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ଆବେଦନଗୁଡ଼ିକର ଶୁଣାଣିକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିବାକୁ କୋର୍ଟ କହିଛନ୍ତି।
ଏହାସହିତ ବର୍ତ୍ତମାନ ୧୯ଟି ଆପିଲେଟ୍ ଟ୍ରିବୁନାଲ ମାମଲାର ଶୁଣାଣି କରୁଥିବାବେଳେ ଆବେଦନଗୁଡ଼ିକର ଶୁଣାଣିକୁ ତ୍ବରାନ୍ବିତ କରିବା ପାଇଁ ଅଧିକ ଆପିଲେଟ୍ ଟ୍ରିବ୍ୟୁନାଲ୍ ଗଠନ କରିବାକୁ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
Advertisment ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗ୍ଚୀ ଓ ଭି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଟ୍ରିବ୍ୟୁନାଲଗୁଡ଼ିକୁ ଆବେଦନଗୁଡ଼ିକୁ ଦୁଇଟି ବର୍ଗରେ ପୃଥକ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଖଣ୍ଡପୀଠଙ୍କ ମତରେ, ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଲୋକଙ୍କ ମତଦାନ ଅଧିକାର ସିଧାସଳଖ ପ୍ରଭାବିତ ହେଉଥିବାରୁ ସେମାନଙ୍କ ମାମଲା ଅଧିକ ଜରୁରୀ।
ତେଣୁ ଏହି ଆବେଦନଗୁଡ଼ିକର ଶୀଘ୍ର ଫଇସଲା ହେବା ଆବଶ୍ୟକ।
ଦ୍ୱିତୀୟ ବର୍ଗରେ ତାଲିକାରେ ଅନ୍ୟ ଭୋଟରଙ୍କ ନାମ ସାମିଲକୁ ବିରୋଧ କରି ହୋଇଥିବା ଆବେଦନ ରହିବ।
ଏହାସହିତ ଆଗକୁ କୋଲକାତା ମ୍ୟୁନିସିପାଲ କର୍ପୋରେସନ (କେଏମ୍ସି) ନିର୍ବାଚନ ଥିବାରୁ ଏଥି ଅନ୍ତର୍ଗତ ବାଦ୍ ପଡ଼ିଥିବା ଭୋଟରଙ୍କ ଆବେଦନକୁ ଅଧିକ ପ୍ରାଥମିକତା ଦେବାକୁ କହିଛନ୍ତି।
ଆହୁରି ପଢନ୍ତୁ: Odisha-Indonesia Tourism ବାଲିରେ ଓଡ଼ିଶା-ଇଣ୍ଡୋନେସିଆ ପର୍ଯ୍ୟଟନ ବୈଠକ: ଓଡ଼ିଶା ପରବ ୨୦୨୬' ଆୟୋଜନ ନେଇ ଆଲୋଚନା ନିର୍ବାଚନ କମିସନଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ପଶ୍ଚିମବଙ୍ଗ ଏସ୍ଆଇଆର୍ ସଂକ୍ରାନ୍ତରେ ମୋଟ ୩୮.୩୧ ଲକ୍ଷ ଆବେଦନ ଦାଖଲ ହୋଇଛି।
ସେଥିମଧ୍ୟରୁ ୨୨.୨୧ ଲକ୍ଷ ଆବେଦନ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ନାମକୁ ପୁନଃ ଯୋଡ଼ିବା ପାଇଁ ହୋଇଥିବାବେଳେ ୧୬.୧୦ ଲକ୍ଷ ଆବେଦନ ତାଲିକାରେ ସାମିଲ ହୋଇଥିବା ନାମକୁ ବିରୋଧ କରି ହୋଇଛି।
ଆବେଦନଗୁଡ଼ିକର ଫଇସଲା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଅଧିକ ଆପିଲେଟ୍ ଟ୍ରିବ୍ୟୁନାଲ୍ ଗଠନ କରିବାକୁ ମଧ୍ୟ ସୁପ୍ରିମକୋର୍ଟ ନିର୍ବାଚନ କମିସନଙ୍କୁ କହିଛନ୍ତି।
ଏଥିପାଇଁ କଲିକତା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସହ ପରାମର୍ଶ କରିବାକୁ ନିର୍ଦ୍ଦେଶ ରହିଛି।
ଆହୁରି ପଢନ୍ତୁ: Prime Minister Narendra Modi: କେତେବେଳେ ଆଲିଙ୍ଗନ କଲେ, ତ କେତେବେଳେ ଧରିଲେ ହାତ...
ମୋଦୀ-ନୀତୀଶଙ୍କ ହସ ହସ ମୁହଁ ଉପରେ ଅଟକିଥିଲା ସମସ୍ତଙ୍କ ନଜର!
ଏହି ପ୍ରସଙ୍ଗରେ ଆବେଦନକାରୀଙ୍କ ପକ୍ଷରୁ ଓକିଲ ପ୍ରଶାନ୍ତ ଭୂଷଣ କୋର୍ଟଙ୍କୁ ଜଣାଇଥିଲେ ଯେ, ଦାଖଲ ହୋଇଥିବା ପ୍ରାୟ ୩୮ ଲକ୍ଷ ଆବେଦନ ମଧ୍ୟରୁ ଏକ ଲକ୍ଷରୁ ଅଧିକ ମାମଲାର ଫଇସଲା ହୋଇଛି।
ଫଇସଲା ହୋଇଥିବା ମାମଲା ମଧ୍ୟରୁ ଅଧିକାଂଶରେ ଭୋଟରଙ୍କ ନାମ ପୁନଃ ସାମିଲ କରିବା ସପକ୍ଷରେ ନିଷ୍ପତ୍ତି ଆସିଥିବା ସେ ଦର୍ଶାଇଥିଲେ।
ଭୋଟର ତାଲିକାରେ ନାମ ନଥିବା ଲୋକଙ୍କ ଗଣତାନ୍ତ୍ରିକ ଅଧିକାର ଯେପରି କ୍ଷୁଣ୍ଣ ନହୁଏ, ସେଥିପାଇଁ ଆବେଦନଗୁଡ଼ିକର ତୁରନ୍ତ ଶୁଣାଣି ଓ ଫଇସଲା ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱ ଦେଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
