Space Mission: ପ୍ରଥମ ପାକିସ୍ତାନୀ ମହାକାଶଚାରୀଙ୍କୁ ମହାକାଶ ପଠାଇଲା ଚୀନ୍
ବେଜିଂ: ମହାକାଶ ଗବେଷଣା କ୍ଷେତ୍ରରେ ଚୀନ୍ ବୁଧବାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି।
ଚୀନ୍ ପକ୍ଷରୁ ତିନିଜଣ ମହାକାଶଚାରୀଙ୍କୁ ନେଇ 'ସେନଝୋଉ-୨୪' ମାନବବାହୀ ମହାକାଶଯାନର ସଫଳ ଉତକ୍ଷେପଣ କରାଯାଇଛି।
ବଡ଼ କଥା ହେଉଛି, ଏହି ଦଳରେ ପାକିସ୍ତାନୀ ନାଗରିକ ମହମ୍ମଦ ଜିଶାନ ଅଲ୍ଲୀ ସାମିଲ ଅଛନ୍ତି, ଯିଏକି ଚୀନର ନିଜସ୍ୱ 'ତିଆଙ୍ଗଙ୍ଗ' ମହାକାଶ ଷ୍ଟେସନ ପରିଦର୍ଶନ କରିବାରେ ପ୍ରଥମ ବିଦେଶୀ ମହାକାଶଚାରୀ ହେବାର ଗୌରବ ଅର୍ଜନ କରିବାକୁ ଯାଉଛନ୍ତି।
ଉତ୍ତର-ପଶ୍ଚିମ ଚୀନର ଜିଉକୁଆନ ଉପଗ୍ରହ ଉତକ୍ଷେପଣ କେନ୍ଦ୍ରରୁ 'ଲଙ୍ଗ ମାର୍ଚ୍ଚ-୨ଏଫ୍' ରକେଟ୍ ସହାୟତାରେ ଏହି ମହାକାଶଯାନ ଉଡ଼ାଣ ଭରିବାର ମାତ୍ର କିଛି ମିନିଟ୍ ପରେ ଅଧିକାରୀମାନେ ଏହାକୁ ସମ୍ପୂର୍ଣ୍ଣ ସଫଳ ବୋଲି ଘୋଷଣା କରିଛନ୍ତି।
Advertisment ଏହି ତିନିଜଣିଆ ଦଳରେ ମିଶନ କମାଣ୍ଡର ତଥା ପାଇଲଟ୍ ଟାଙ୍ଗ ହଙ୍ଗବୋ, ଫ୍ଲାଇଟ୍ ଇଞ୍ଜିନିୟର ୱୁ ୟି ଏବଂ ପାକିସ୍ତାନୀ ମହାକାଶଚାରୀ ଅଲ୍ଲୀ ରହିଛନ୍ତି।
ଚୀନର ମାନବବାହୀ ମହାକାଶ କାର୍ଯ୍ୟକ୍ରମରେ କୌଣସି ବିଦେଶୀ ନାଗରିକ ସାମିଲ ହେବା ଏହା ପ୍ରଥମ ଘଟଣା।
ଉତକ୍ଷେପଣର ପ୍ରାୟ ତିନି ଘଣ୍ଟା ମଧ୍ୟରେ 'ସେନଝୋଉ-୨୪' ତିଆଙ୍ଗଙ୍ଗ ମହାକାଶ ଷ୍ଟେସନ ସହ ଯୋଡ଼ି ହେବ।
ସାଧାରଣତଃ ଚୀନ୍ ମହାକାଶଚାରୀମାନେ ସେଠାରେ ପ୍ରାୟ ଛଅ ମାସ ଧରି ରହୁଥିବା ବେଳେ ଅଲ୍ଲୀ କକ୍ଷପଥରେ ପ୍ରାୟ ଏକ ସପ୍ତାହ ବିତାଇବା ପରେ 'ସେନଝୋଉ-୨୩' ମହାକାଶଯାନ ଯୋଗେ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିବେ।
ତିଆଙ୍ଗଙ୍ଗର ଗୁରୁତ୍ୱ ବଢ଼ିବାରେ ଲାଗିଛି ଉଲ୍ଲେଖଯୋଗ୍ୟ ଯେ, ଚୀନ୍ ସେନା ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ର ସମ୍ପୃକ୍ତି ନେଇ ଆଶଙ୍କା ପ୍ରକାଶ ପାଇବା ପରେ ଚୀନକୁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ୍) ରୁ ବାଦ୍ ଦିଆଯାଇଥିଲା।
ଏହାପରେ ଚୀନ୍ ନିଜସ୍ୱ ଜ୍ଞାନକୌଶଳରେ ତିଆଙ୍ଗଙ୍ଗ ମହାକାଶ ଷ୍ଟେସନ ନିର୍ମାଣ କରିଥିଲା, ଯାହା ୨୦୨୨ ମସିହାରୁ କାର୍ଯ୍ୟକ୍ଷମ ହୋଇଛି।
ବର୍ତ୍ତମାନ ବିଶ୍ୱରେ ନିଜସ୍ୱ ମହାକାଶ ଷ୍ଟେସନ ପରିଚାଳନା କରୁଥିବା ଚୀନ୍ ହେଉଛି ଏକମାତ୍ର ଦେଶ।
ଯଦିଓ ଫୁଟବଲ ପଡ଼ିଆ ଆକାରର ଆଇଏସଏସ ତୁଳନାରେ ତିଆଙ୍ଗଙ୍ଗ ଆକାରରେ ଛୋଟ, ତେବେ ୨୦୩୧ ପ୍ରାରମ୍ଭରେ ନାସା ପକ୍ଷରୁ ଆଇଏସଏସକୁ ଅବସର ଦେବାକୁ ଯୋଜନା ହେଉଥିବାରୁ ତିଆଙ୍ଗଙ୍ଗର ଗୁରୁତ୍ୱ ବଢ଼ିବାରେ ଲାଗିଛି।
'ସେନଝୋଉ-୨୪' ଅଭିଯାନ ସମୟରେ ମହାକାଶ ଜୀବବିଜ୍ଞାନ, ପଦାର୍ଥ ବିଜ୍ଞାନ, ମହାକାଶ ଚିକିତ୍ସା ଏବଂ ନୂତନ ମହାକାଶ ପ୍ରଯୁକ୍ତିବିଦ୍ୟା ଉପରେ ୯୦ରୁ ଅଧିକ ବୈଜ୍ଞାନିକ ପରୀକ୍ଷଣ କରାଯିବ ବୋଲି ଚୀନ୍ ଅଧିକାରୀମାନେ ସୂଚନା ଦେଇଛନ୍ତି।
Nuclear Weapons: ଇସ୍ରାଏଲ ପାଖରେ ରହିଛି ଶକ୍ତିଶାଳୀ କ୍ଷେପଣାସ୍ତ୍ର: ଲକ୍ଷ୍ୟଭେଦ ପରିସରରେ ଇରାନ-ପାକିସ୍ତାନ-ମସ୍କୋ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
