Renewable Energy: ନଭେମ୍ବରରେ ହେବ ଗ୍ଲୋବାଲ୍ ଏନର୍ଜି ଲିଡର୍ସ ସମିଟ୍
"ଭୁବନେଶ୍ବର: ଓଡ଼ିଶା ସରକାର ୨୦୩୦ ସୁଦ୍ଧା ସବୁଜ ଶକ୍ତି କ୍ଷମତାକୁ ୧୧ ଗିଗାୱାଟ୍ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି।
ସୌର, ଭାସମାନ ସୌର, ପବନ, ପମ୍ପଡ୍ ଷ୍ଟୋରେଜ୍ ଓ ହାଇବ୍ରିଡ୍ ପ୍ରକଳ୍ପ ଜରିଆରେ ଏହି ଲକ୍ଷ୍ୟ ହାସଲ କରାଯିବ।
ରାଜ୍ୟ ସରକାର ନିବେଶକମାନଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦେଉଛନ୍ତି।
ଓଡ଼ିଶାରେ ନିଜ ପ୍ରକଳ୍ପ ସ୍ଥାପନ କରିବା ପାଇଁ ଆଗେଇ ଆସିବାକୁ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ନିବେଶକମାନଙ୍କୁ କହିଛନ୍ତି।
ଗୁରୁବାର ସିଆଇଆଇ ଓଡ଼ିଶା ପକ୍ଷରୁ ଆୟୋଜିତ ଶକ୍ତି କନ୍କ୍ଲେଭ୍ ୨୦୨୬କୁ ସମ୍ବୋଧିତ କରି ସେ କହିଲେ ୨୦୩୦ ସୁଦ୍ଧା ଅକ୍ଷୟ ଶକ୍ତି କ୍ଷମତାକୁ ୧୧ ଗିଗାୱାଟ୍ରେ ପହଞ୍ଚାଇବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।
ଛଅଟି ସ୍ଥାନରେ ବ୍ୟାଟେରି ଷ୍ଟୋରେଜ୍ ପ୍ରକଳ୍ପ ସ୍ଥାପନ କରାଯାଉଛି।
Advertisment ରାଜ୍ୟରେ ବାର୍ଷିକ ୩.୫ ନିୟୁତ ଟନ୍ କ୍ଷମତାର ଗ୍ରିନ ହାଇଡ୍ରୋଜେନ ଓ ଗ୍ରିନ ଆମୋନିଆ ଉତ୍ପାଦନ ହେବାକୁ ଯାଉଛି।
ଶକ୍ତି କ୍ଷେତ୍ରରେ ୨ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର ହୋଇଛି।
ବିଦ୍ୟୁତ୍ ସଞ୍ଚାରଣ ଭିତ୍ତିଭୂମି କ୍ଷେତ୍ରରେ ୩୦ ହଜାର କୋଟି ଟଙ୍କା ନିବେଶ ହେବା ଆଶା କରାଯାଉଛି ବୋଲି ସେ କହିଥିଲେ।
ସ୍ବଚ୍ଛ, ସବୁଜ ଶକ୍ତି ଉପରେ ଟାଟା ପାୱାରର ଅଭିଯାନ କନ୍କ୍ଲେଭ୍କୁ ସମ୍ବୋଧିତ କରି ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ବିଶାଲ କୁମାର ଦେବ କହିଥିଲେ ଯେ ବିଦ୍ୟୁତ୍ ବଣ୍ଟନ ଓ ସଞ୍ଚାରଣ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ୪୫୦୦ କୋଟି ଟଙ୍କା ନିବେଶ କରାଯିବ।
ଆସନ୍ତା ନଭେମ୍ବର ୨୪-୨୫ରେ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଥିବା "ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ୍ ୨୦୨୬"ରେ ଅଂଶଗ୍ରହଣ କରିବାକୁ ସେ ନିବେଶକମାନଙ୍କୁ ଆହ୍ବାନ ଦେଇଛନ୍ତି।
ସିଆଇଆଇ ଓଡ଼ିଶାର ଅଧ୍ୟକ୍ଷ ଅନିଲ କୁମାର ସିଂହ ଏକ ସ୍ବଚ୍ଛ ଶକ୍ତି ହବ୍ ଭାବେ ଓଡ଼ିଶାର ବଢ଼ୁଥିବା ଗୁରୁତ୍ବ ଉପରେ ଆଲୋକପାତ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ସିଆଇଆଇ ପୂର୍ବାଞ୍ଚଳ ଶକ୍ତି ସବ୍-କମିଟିର ଅଧ୍ୟକ୍ଷ ଦେବେଶ ଗୋୟଲ, ଏନ୍ଟିପିସିର ଆଞ୍ଚଳିକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବିଜୟ ଚାନ୍ଦ, ଅଶୋକ ଭରତ ଓ ଶୁଭଙ୍କର ଚକ୍ରବର୍ତ୍ତୀ ଉପସ୍ଥିତ ଥିଲେ।
ସିଆଇଆଇ ଓଡ଼ିଶାର ଉପାଧ୍ୟକ୍ଷ ମଣିକାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
"