Resigns from BJD ବ୍ରଜରାଜନଗରରେ ବିଜେଡିକୁ ଝଟକା, ଇସ୍ତଫା ଦେଲେ ପୂର୍ବତନ ଉପନଗରପାଳ ଜୟନ୍ତ ଦୀକ୍ଷିତ
"ବ୍ରଜରାଜନଗର :ବ୍ରଜରାଜନଗର ରାଜନୀତିରେ ଏକ ବଡ଼ ହଲଚଳ ହୋଇଛି।
ବିଜୁ ଜନତା ଦଳର ଜଣେ ଟାଣୁଆ ନେତା ତଥା ବ୍ରଜରାଜନଗର ପୌର ପରିଷଦର ପୂର୍ବତନ ଉପନଗରପାଳନ ଜୟନ୍ତ ଦୀକ୍ଷିତ ଦଳର ସମସ୍ତ ପଦପଦବିରୁ ଇସ୍ତଫା ଦେଇଛନ୍ତି।
ବିଜେପି, ଯେଉଁ ଦଳରୁ ସେ ନିଜର ଛାତ୍ର ରାଜନୀତି ଆରମ୍ଭ କରିଥିଲେ ସେହି ଦଳକୁ ଫେରିବା ନେଇ ଆଲୋଚନା ଜୋର ଧରିଛି।
Advertisment ନିଜ ଇସ୍ତଫାପତ୍ରରେ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି କୃତଜ୍ଞତା ଜଣାଇ ଦଳ ଛାଡ଼ିବା ଘୋଷଣା କରିଛନ୍ତି।
ତାଙ୍କର ଏହି ପଦକ୍ଷେପକୁ ଅଞ୍ଚଳରେ ବିଜେଡି ପାଇଁ ଏକ ବଡ଼ ରାଜନୈତିକ ଝଟକା ଭାବେ ଦେଖାଯାଉଛି।
ଜୟନ୍ତ ଦୀକ୍ଷିତଙ୍କ ରାଜନୈତିକ ଯାତ୍ରା ଛାତ୍ର ଜୀବନରୁ ଆରମ୍ଭ ହୋଇଥିଲା।
ସେ ବ୍ରଜରାଜନଗର ମହାବିଦ୍ୟାଳୟର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ।
ଛାତ୍ର ରାଜନୀତି ପରେ ସେ ବଜରଙ୍ଗ ଦଳ ସଭାପତି ଭାବରେ ୧୯୯୫ ରୁ ୨୦୦୦ ମସିହା ପର୍ଯ୍ୟନ୍ତ ସଂଗଠନରେ ସକ୍ରିୟ ଭାବେ କାର୍ଯ୍ୟ କରିଥିଲେ।
ଏହି ସମୟରେ ବିଭିନ୍ନ ସାମାଜିକ ଓ ରାଷ୍ଟ୍ରବାଦୀ କାର୍ଯ୍ୟକ୍ରମରେ ସେ ଅଂଶଗ୍ରହଣ କରି ଅଞ୍ଚଳରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।
ପରବର୍ତ୍ତୀ ସମୟରେ ସେ ଭାରତୀୟ ଜନତା ଯୁବ ମୋର୍ଚ୍ଚାର ନଗର ସଭାପତି ଏବଂ ଜିଲ୍ଲା ଭାଜପା ସମ୍ପାଦକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ।
୨୦୧୦ ମସିହାରେ ଜୟନ୍ତ ଦୀକ୍ଷିତ ବିଜେଡିରେ ଯୋଗ ଦେଇଥିଲେ ଏବଂ ଅଳ୍ପ ସମୟ ମଧ୍ୟରେ ଦଳର ଜଣେ ପ୍ରଭାବଶାଳୀ ନେତା ଭାବେ ପରିଚିତ ହୋଇଥିଲେ।
୨୦୧୩ ମସିହାରେ ସେ ବ୍ରଜରାଜନଗର ପୌରପାଳିକାର ଉପନଗରପାଳ ଭାବେ ନିର୍ବାଚିତ ହୋଇଥିଲେ।
ଏହାପରେ ସେ ପଶ୍ଚିମ ଓଡ଼ିଶାରେ ଦଳୀୟ ସଂଗଠନକୁ ସୁଦୃଢ଼ କରିବାରେ ଉଲ୍ଲେଖନୀୟ ଭୂମିକା ନେଇଥିଲେ।
ସେ ବରଗଡ଼ ଓ କୁଚିଣ୍ଡା ବିଧାନସଭା କ୍ଷେତ୍ରର ପର୍ଯ୍ୟବେକ୍ଷକ (ଅବଜର୍ଭର) ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।ରାଜ୍ୟରେ ବିଜେଡି ସରକାର କ୍ଷମତାରୁ ବିଦାୟ ନେବା ପରେ ବ୍ରଜରାଜନଗର ପୌରପାଳିକାରେ ଘଟିଥିବା ରାଜନୈତିକ ପରିବର୍ତ୍ତନରେ ମଧ୍ୟ ତାଙ୍କର ଭୂମିକା ଚର୍ଚ୍ଚାରେ ରହିଥିଲା।
ବିଜେଡି ନଗରପାଳଙ୍କ ବିରୋଧରେ ଆସିଥିବା ଅବିଶ୍ୱାସ ପ୍ରସ୍ତାବ ଏବଂ ପରବର୍ତ୍ତୀ କ୍ଷମତା ପରିବର୍ତ୍ତନରେ ତାଙ୍କର ରଣନୀତିକ ଭୂମିକାକୁ ରାଜନୈତିକ ମହଲରେ ଗୁରୁତ୍ୱପୂର୍ଣ୍ଣ ବୋଲି ଆକଳନ କରାଯାଉଛି।
Brajrajnagar Murder: ବ୍ରଜରାଜନଗରରେ ଯୁବକକୁ ନିର୍ମମ ହତ୍ୟା : ଘଟଣାର ୪ଦିନ ପରେ ଗଳିତ ମୃତଦେହ ଉଦ୍ଧାର ସମ୍ପ୍ରତି ଭାଜପାର ଶୀର୍ଷ ନେତୃତ୍ୱଙ୍କ ସହ ତାଙ୍କର ବଢ଼ୁଥିବା ଘନିଷ୍ଠତା ରାଜନୈତିକ ମହଲରେ ଆଲୋଚନାର ବିଷୟ ପାଲଟିଛି।
ଏକ ଶିକ୍ଷାନୁଷ୍ଠାନର ବାର୍ଷିକ ଉତ୍ସବରେ ରାଜ୍ୟ ଓ କେନ୍ଦ୍ର ସ୍ତରର ଭାଜପା ନେତାମାନଙ୍କ ଉପସ୍ଥିତି ସମୟରେ ଜୟନ୍ତ ଦୀକ୍ଷିତଙ୍କୁ ମିଳିଥିବା ବିଶେଷ ଗୁରୁତ୍ୱ ମଧ୍ୟ ରାଜନୈତିକ ଚର୍ଚ୍ଚାକୁ ଆହୁରି ବଢ଼ାଇଥିଲା।
ଉଲ୍ଲେଖଯୋଗ୍ୟ ଯେ, ସେ ବର୍ତ୍ତମାନ ଶିକ୍ଷା ନିକେତନର ସଭାପତି ଭାବେ କାର୍ଯ୍ୟରତ ଅଛନ୍ତି।
ରାଜନୀତି ବ୍ୟତୀତ ସାମାଜିକ ଓ ବ୍ୟବସାୟିକ କ୍ଷେତ୍ରରେ ମଧ୍ୟ ତାଙ୍କର ଦୃଢ଼ ପରିଚୟ ରହିଛି।
ସେ ଓଡ଼ିଶା ପ୍ରଦେଶ ଡ୍ରଗ୍ସ ଆଣ୍ଡ କେମିଷ୍ଟ ଆସୋସିଏସନର ଉପସଭାପତି ଏବଂ ଝାରସୁଗୁଡ଼ା ଜିଲ୍ଲା ସଭାପତି ଭାବେ କାର୍ଯ୍ୟରତ ଅଛନ୍ତି।
ସ୍ଥାନୀୟ ଯୁବବର୍ଗଙ୍କ ମଧ୍ୟରେ ତାଙ୍କର "ଇ ମାଟିର ପୁଅ" ଅଭିଯାନ ବେଶ୍ ଲୋକପ୍ରିୟ ହୋଇଥିଲା, ଯାହା ତାଙ୍କୁ ଜନସାଧାରଣଙ୍କ ସହ ଜଡ଼ିତ ନେତା ଭାବେ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା।
ଜୟନ୍ତ ଦୀକ୍ଷିତଙ୍କ ଇସ୍ତଫା ପରେ ତାଙ୍କର ଭାଜପାକୁ ସମ୍ଭାବ୍ୟ ପ୍ରତ୍ୟାବର୍ତ୍ତନ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।
ଯଦିଓ ସେ ଏପର୍ଯ୍ୟନ୍ତ ନିଜର ପରବର୍ତ୍ତୀ ରାଜନୈତିକ ପଦକ୍ଷେପ ସମ୍ପର୍କରେ କୌଣସି ସାର୍ବଜନୀନ ଘୋଷଣା କରିନାହାନ୍ତି, ତଥାପି ତାଙ୍କର ଇସ୍ତଫା ବ୍ରଜରାଜନଗର ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିଛି।
"