Ram temple: ରାମ ମନ୍ଦିର ଦାନ ଅର୍ଥ ଚୋରି ମାମଲାରେ ଚାର୍ଜସିଟକୁ ନେଇ କଂଗ୍ରେସର ପ୍ରଶ୍ନବାଣ
ନୂଆଦିଲ୍ଲୀ: ଅଯୋଧ୍ୟା ସ୍ଥିତ ରାମ ମନ୍ଦିର ର ଦାନ ଅର୍ଥ ଓ ଅଳଙ୍କାର ଚୋରି ମାମଲାରେ ଦାଖଲ ହୋଇଥିବା ୭୪,୦୦୦ ପୃଷ୍ଠାର ଚାର୍ଜସିଟକୁ ନେଇ କଂଗ୍ରେସ ରବିବାର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି।
କେବଳ ଆଠ ଜଣ କର୍ମଚାରୀଙ୍କୁ ଅଭିଯୁକ୍ତ ଦର୍ଶାଇ ଟ୍ରଷ୍ଟର ଶୀର୍ଷ ପଦାଧିକାରୀମାନଙ୍କୁ ସୁରକ୍ଷା ଦେବାକୁ ଉଦ୍ୟମ କରାଯାଉଛି କି ବୋଲି କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ପ୍ରଶ୍ନ କରିଛନ୍ତି।
ଏହି ମାମଲାରେ ସ୍ୱତନ୍ତ୍ର ତଦନ୍ତକାରୀ ଦଳର କାର୍ଯ୍ୟଶୈଳୀ ଉପରେ ସନ୍ଦେହ ପ୍ରକଟ କରିବା ସହ ସମଗ୍ର ଘଟଣାର ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ନିରପେକ୍ଷ ତଦନ୍ତ କରାଯାଉ ବୋଲି କଂଗ୍ରେସ ଦାବି କରିଛି।
Advertisment ସୋସିଆଲ ମିଡିଆ ପ୍ଲାଟଫର୍ମ ''ଏକ୍ସ''ରେ ଏକ ବିସ୍ତୃତ ପୋଷ୍ଟ କରି ଜୟରାମ ରମେଶ ଅଭିଯୋଗ କରିଛନ୍ତି ଯେ, ଚାର୍ଜସିଟ୍ ତଥ୍ୟ ଅନୁଯାୟୀ ଗତ ୨୦୨୬ ଜୁନ୍ ୪ ତାରିଖ ରାତିରେ ଟ୍ରଷ୍ଟ ମହାସଚିବ ଚମ୍ପତ ରାୟଙ୍କ ହ୍ୱାଟସଆପକୁ ଚୋରିର ଭିଡିଓ ପହଞ୍ଚିଥିଲା, ଯେଉଁଥିରେ ବାଥରୁମ୍ ଭିତରେ ୨.୨୫ ଲକ୍ଷ ଟଙ୍କାର ନୋଟ୍ ବଣ୍ଡଲ ରଖାଯାଇଥିବା ଦେଖିବାକୁ ମିଳିଥିଲା।
ଏହାର ପରଦିନ ଅର୍ଥାତ୍ ଜୁନ୍ ୫ ତାରିଖରେ ଚମ୍ପତ ରାୟଙ୍କ ବାସଭବନରେ ଅନିଲ ମିଶ୍ର, ଗୋପାଳ ଜୀ ଏବଂ ନରେନ୍ଦ୍ର ଜୀ ଲାପଟପରେ ଏହି ଭିଡିଓ ଦେଖିଥିଲେ।
ତେବେ ଶୀର୍ଷ ପଦାଧିକାରୀଙ୍କ ନିକଟରେ ପ୍ରମାଣ ଥିବା ସତ୍ତ୍ୱେ ଦୀର୍ଘ ୨୧ ଦିନ ବିଳମ୍ବରେ ଅର୍ଥାତ୍ ଜୁନ୍ ୨୫ ତାରିଖରେ କାହିଁକି ଏଫଆଇଆର୍ ରୁଜୁ ହେଲା ବୋଲି ରମେଶ ପ୍ରଶ୍ନ କରିଛନ୍ତି।
ବଡ଼ ମୁଣ୍ଡଙ୍କୁ ଘଣ୍ଟ ଘୋଡ଼ାଯାଉଥିବା ଅଭିଯୋଗ କଂଗ୍ରେସ ନେତାଙ୍କ କହିବା ଅନୁଯାୟୀ, ଜୁନ୍ ୧୩ରେ ରାଜ୍ୟ ସରକାର ଏସଆଇଟି ଗଠନ କରିଥିଲେ ଏବଂ ଜୁନ୍ ୨୩ରେ ପ୍ରାରମ୍ଭିକ ରିପୋର୍ଟ ଆସିବା ପରେ ଜୁନ୍ ୨୫ରେ ଏଫଆଇଆର୍ ରୁଜୁ ହୋଇ ଆଠ ଜଣଙ୍କୁ ଗିରଫ କରାଯାଇଥିଲା।
ଏହି ୨୧ ଦିନ ମଧ୍ୟରେ ଅଭିଯୁକ୍ତମାନେ ଫେରାର ନହୋଇ ରହିବା ପଛରେ କାହାର ଅଭୟ ଥିଲା ବୋଲି ସେ ସନ୍ଦେହ ପ୍ରକଟ କରିଛନ୍ତି।
ଏହାସହ ଚୋରି ସାମଗ୍ରୀ ଓ ଅର୍ଥ ଚମ୍ପତ ରାୟ, ଗୋବିନ୍ଦ ଗିରି ଏବଂ ଅନ୍ୟ ପଦାଧିକାରୀଙ୍କ ଉପସ୍ଥିତିରେ ଫେରସ୍ତ କରାଯାଇଥିଲେ ମଧ୍ୟ ସେମାନଙ୍କୁ ଅଭିଯୁକ୍ତ କରିବା ବଦଳରେ ଚାର୍ଜସିଟରେ କେବଳ ସାକ୍ଷୀ ଭାବେ ଦର୍ଶାଯାଇଛି।
ଏହାବ୍ୟତୀତ ୨୦୨୧ ମସିହାର ବହୁଚର୍ଚ୍ଚିତ ଜମି କିଣାବିକା ବିବାଦ ପ୍ରସଙ୍ଗ ଉଠାଇ ଜୟରାମ ରମେଶ କହିଛନ୍ତି ଯେ, ୨ କୋଟି ଟଙ୍କାରେ କିଣାଯାଇଥିବା ଜମିକୁ ମାତ୍ର ୧୦ ମିନିଟ୍ ପରେ ଟ୍ରଷ୍ଟକୁ ୧୮.୫ କୋଟି ଟଙ୍କାରେ ବିକ୍ରି କରାଯାଇଥିଲା।
ସେତେବେଳେ ସରକାର ଗଠନ କରିଥିବା ତଦନ୍ତ କମିଟିର ରିପୋର୍ଟ ଆଜି ପର୍ଯ୍ୟନ୍ତ ସାର୍ବଜନୀନ ହୋଇନାହିଁ ଏବଂ ଚଳିତ ବର୍ଷ ଜୁଲାଇ ମାସରେ ଏହାର ପୁନଃତଦନ୍ତ ଆରମ୍ଭ ହୋଇ ଚମ୍ପତ ରାୟଙ୍କୁ ପଚରାଉଚରା କରାଯାଇଥିଲେ ମଧ୍ୟ ଚାର୍ଜସିଟରେ ସେନେଇ କୌଣସି ଉଲ୍ଲେଖ ନାହିଁ।
ଚାର୍ଜସିଟରେ ୩୦୪ଟି ଚୋରି ଘଟଣାର ଉଲ୍ଲେଖ ଥିଲେ ସୁଦ୍ଧା ସିସିଟିଭି ଫୁଟେଜର ତାରିଖୱାରୀ ସମୟସୀମା କାହିଁକି ସାର୍ବଜନୀନ କରାଯାଇ ନାହିଁ ଏବଂ ସନ୍ତୋଷ ଦୁବେଙ୍କ ଦ୍ୱାରା କରାଯାଇଥିବା ୨୦୦ କୋଟିରୁ ଅଧିକ ଟଙ୍କାର ହେରଫେର ଅଭିଯୋଗ ଉପରେ କାହିଁକି ଏଫଆଇଆର୍ ରୁଜୁ ହେଲା ନାହିଁ ବୋଲି କଂଗ୍ରେସ ବିଜେପି ସରକାରଙ୍କୁ ପାଞ୍ଚୋଟି ପ୍ରଶ୍ନ ପଚାରିଛି।
ରାମ ମନ୍ଦିର କୋଟି କୋଟି ଭାରତୀୟଙ୍କ ଆସ୍ଥାର ପ୍ରତୀକ ହୋଇଥିବାରୁ ପ୍ରଭୁ ଶ୍ରୀରାମଙ୍କ ନାମରେ ଅର୍ପଣ କରାଯାଇଥିବା ପ୍ରତିଟି ଟଙ୍କାର ହିସାବ ମିଳିବା ଆବଶ୍ୟକ ବୋଲି ଜୟରାମ ରମେଶ ଦୃଢ଼ ଦାବି କରିଛନ୍ତି।
ବାତ୍ୟା ଅକଭାନ୍ ସମୟରେ ସମନ୍ୱିତ କାର୍ଯ୍ୟକୁ ପ୍ରଶଂସା; ଜଳଭଣ୍ଡାର ପରିଚାଳନା, ପୁନରୁଦ୍ଧାର କାର୍ଯ୍ୟ ଓ ଜଳସେଚନ ବ୍ୟବସ୍ଥାର ଉନ୍ନତି ଉପରେ ଗୁରୁତ୍ୱ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
