21 JUNE 2026

Welcome!

Unlock your personalized experience.
Sign Up

Rainfall estimates: ଗୁମ୍ଫା ପାଣିରୁ ବର୍ଷାର ଆକଳନ: ଗଡ଼ପଦରରେ କୃଷିଭିତ୍ତିକ ପର୍ବ ବିରିପାଣି ଯାତ୍ରା

Jun 21, 2026 - 06:20
Rainfall estimates: ଗୁମ୍ଫା ପାଣିରୁ ବର୍ଷାର ଆକଳନ: ଗଡ଼ପଦରରେ କୃଷିଭିତ୍ତିକ ପର୍ବ ବିରିପାଣି ଯାତ୍ରା

ଜୟପୁର: ଯେଉଁଠି ବୈଜ୍ଞାନିକଙ୍କ ଆକଳନ ଫେଲ୍‌ ମାରୁଛି, ସେଇଠି ମା’ଙ୍କ ଆଦେଶକୁ ଲୋକେ ମାନନ୍ତି। ପୂଜା ସମୟରେ ପାହାଡ଼ ଉପରେ ଗୁମ୍ଫାରେ ଥିବା ପାଣିକୁ ନେଇ ଆକଳନ ହୋଇଥାଏ ବର୍ଷା ପରିମାଣ। ଚାଷ ବି କେମିତି ହେବ ସେ ନେଇ କହିଥାନ୍ତି ପୂଜକ। ବିଶ୍ବାସକୁ ନେଇ ଶହ ଶହ ବର୍ଷ ଧରି ଚାଲିଆସିଛି ବିରିପାଣି ଯାତ୍ରା ପରମ୍ପରା। ଯାହାକୁ କୋରାପୁଟ ଜିଲ୍ଲା ଜୟପୁର ବ୍ଲକର ଗଡ଼ପଦର ସମେତ ଆଖାପାଖ ଅଞ୍ଚଳର ଶତାଧିକ ଗ୍ରାମବାସୀ ମାନି ଆସୁଛନ୍ତି।

Long live life: ଜୀବନ ଜିନ୍ଦାବାଦ୍‌: ଆଉ ଜଣେ ପାଞ୍ଚଟଙ୍କିଆ ଡାକ୍ତର

ଗଡ଼ପଦରରେ କୃଷିଭିତ୍ତିକ ପର୍ବ ବିରିପାଣି ଯାତ୍ରା
ଲୁହାକଣ୍ଟା ମାଳ ଧରି ପୂଜକ ବୁଲିଲେ ଗାଁ
ଶିଶୁଙ୍କ ପେଟରୋଗ ହେଲେ ଗୁହାରିଆ ପଡ଼ନ୍ତି

ରାଜରାଜୁଡ଼ା ଅମଳରୁ ଚାଲି ଆସିଥିବା ଏହି ପ୍ରସିଦ୍ଧ ଯାତ୍ରାରେ ଚଳିତବର୍ଷ ଭଲ ବର୍ଷା ଓ ଉତ୍ତମ ଚାଷ ହେବା ନେଇ ଆକଳନ କରାଯାଇଛି। ଗ୍ରାମବାସୀଙ୍କ ଉତ୍ତମ ସ୍ବାସ୍ଥ୍ୟ ଓ ଆର୍ଥିକ ଉନ୍ନତି ଲାଗି ମା’ଙ୍କ ନିକଟରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି। ଶନିବାର ଅନୁଷ୍ଠିତ ଯାତ୍ରାରେ ମନ୍ଦିର ସମ୍ମୁଖରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ମନସ୍କାମନା ପୂରଣ ପାଇଁ ମାନସିକଧାରୀ ମା’ଙ୍କ ନିକଟରେ କୁକୁଡ଼ା ଓ ଛେଳି ବଳି ଦେଇଥିଲେ। ଲାଠି ମାଧ୍ୟମରେ ମା’ଙ୍କୁ ଆବାହନ କରିବା ପରେ ପୂଜକ ଲୁହାକଣ୍ଟା ମାଳ ଧରି ଗାଁ ପରିକ୍ରମା କରିଥିଲେ। ମା’ଙ୍କ ଆଶୀର୍ବାଦ ପାଇଁ ବହୁ ଭକ୍ତଙ୍କ ସମେତ ପେଟଜନିତ ରୋଗରେ ପୀଡ଼ିତ ଶିଶୁ ଗୁହାରିଆ ପଡ଼ିଥିଲେ। ମା’ଙ୍କ ପ୍ରତୀକ ଲାଠିଧାରୀ ଶିଶୁଙ୍କ ପେଟରେ ଲୁହାକଣ୍ଟାମାଳ ରଖି ପାଦରେ ଚାପିଥିଲେ। ଏପରି କରିବା ଦ୍ବାରା ପିଲାମାନେ ନିରୋଗ ରହନ୍ତି ବୋଲି ସ୍ଥାନୀୟ ଲୋକଙ୍କ ଦୃଢ଼ ବିଶ୍ବାସ। 

Weather: ମୌସୁମୀ ଛୁଇଁବାକୁ ଆହୁରି ୪ ଦିନ, ଜଳୁଛି ପଶ୍ଚିମ ଓଡ଼ିଶା

ପରମ୍ପରା ଅନୁସାରେ, ଶୁକ୍ରବାର ଅପରାହ୍ଣରେ ମା’ଙ୍କୁ ଆବାହନ କରାଯାଇଥିଲା। ପୂଜାରେ ସାମିଲ ହୋଇଥିବା ଶିରାମାନେ ଉପବାସ ରହିଥିଲେ। ଶନିବାର ଭୋରରୁ ମନ୍ଦିରର ମୁଖ୍ୟପୂଜକ ଠାକୁରାଣୀଙ୍କ ମାର୍ଜନା ଓ ବାଳଧୂପ ନୀତି ସମ୍ପନ୍ନ କରିଥିଲେ। ଏହାପରେ ରଣ୍ଡାପାଲୀ, ଛତଡ଼ିପୁଟ ଓ ଦଳେଇପୁଟ ଅଞ୍ଚଳରୁ ଶୋଭାଯାତ୍ରାରେ ଲାଠିଧାରୀମାନେ ଗଡ଼ପଦର ମନ୍ଦିରକୁ ଆସିଥିଲେ। ଗାଁ ପରିକ୍ରମା ପରେ ଲାଠିଧାରୀ ଓ ଭକ୍ତମାନେ ପାହାଡ଼ ଉପର ଗୁମ୍ଫାକୁ ଯାଇଥିଲେ। ସେଠାରେ ଗୁପ୍ତପୂଜା କରାଯାଇ ମା’ଙ୍କୁ ଦୀପ ଓ କ୍ଷୀର ଅର୍ପଣ କରାଯାଇଥିଲା। ଗୁମ୍ଫା ଭିତରକୁ କୁକୁଡ଼ା ଚିଆଁ ଛଡ଼ାଯିବା ପରେ ସେଠାରୁ ପାଣି ବାହାର କରାଯାଇଥିଲା। ଗୁମ୍ପାରୁ ବାହାରିଥିବା ପାଣିର ପରିମାଣକୁ ଦେଖି ଚଳିତ ବର୍ଷ କେତେ ପରିମାଣର ବର୍ଷା ହେବ ସେ ନେଇ ମୁଖ୍ୟପୂଜକ ଆକଳନ କରିଥିଲେ। ଏହି ପବିତ୍ର ପାଣିକୁ ଭକ୍ତମାନଙ୍କ ମଧ୍ୟରେ ପ୍ରସାଦ ଭାବେ ବଣ୍ଟନ କରାଯାଇଥିଲା। ପାହାଡ଼ରୁ ପୂଜାର୍ଚ୍ଚନା ସାରି ଫେରିବା ପରେ ଗାଁ ନିକଟସ୍ଥ ପୂଜାସ୍ଥଳରେ ଅନ୍ୟାନ୍ୟ ନୀତିକାନ୍ତି ଶେଷ ହୋଇଥିଲା।