Rain: ପ୍ରବଳ ବର୍ଷାରେ ମୁମ୍ବାଇ ବେହାଲ; ବ୍ୟାପକ ଅଞ୍ଚଳ ଜଳବନ୍ଦି
ମୁମ୍ବାଇ: ପ୍ରବଳ ମୌସୁମୀ ବର୍ଷା ଯୋଗୁଁ ଆର୍ଥିକ ରାଜଧାନୀ ମୁମ୍ବାଇର ସ୍ଥିତି ଗମ୍ଭୀର ହୋଇପଡ଼ିଛି। ମଙ୍ଗଳବାର ମୌସୁମୀ ପ୍ରବେଶ କରିବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ସହରର ଅନେକ ଅଞ୍ଚଳରେ ୩୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି, ଯାହାକୁ ପାଣିପାଗ ବିଭାଗ ଅତି ପ୍ରବଳ ବର୍ଷା ଶ୍ରେଣୀରେ ରଖିଛି। ବୁଧବାର ସକାଳୁ ସହରବାସୀ ଜଳମଗ୍ନ ରାସ୍ତା, ଉପୁଡ଼ି ପଡ଼ିଥିବା ଗଛ ଏବଂ ଟ୍ରାଫିକ ଜାମର ସାମ୍ନା କରିଛନ୍ତି। ଗତ ଦଶନ୍ଧି ମଧ୍ୟରେ ଦକ୍ଷିଣ ମୁମ୍ବାଇରେ ଜୁନ୍ ମାସର ସବୁଠାରୁ ଅଧିକ ୨୪୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମୌସୁମୀର ପ୍ରଥମ ବର୍ଷାରେ ହିଁ ଏଭଳି ବିପର୍ଯ୍ୟୟ ଦେଖି ସହରବାସୀ ଆଗାମୀ ଦିନ ପାଇଁ ଚିନ୍ତା ପ୍ରକାଶ କରିଛନ୍ତି।
ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଇଏମ୍ଡି ଆଜି ଭୋର ସମୟରେ ମୁମ୍ବାଇ ଓ ପାଲଘର ପାଇଁ ‘ରେଡ୍ ଆଲର୍ଟ’ ଜାରି କରିଥିଲା, ଯାହାକୁ ପରେ ସକାଳ ୭ଟାରେ ‘ଅରେଞ୍ଜ ଆଲର୍ଟ’କୁ ବଦଳାଇ ଦିଆଯାଇଛି। ଥାଣେ, ରାୟଗଡ଼, ପାଲଘର ଏବଂ ସିନ୍ଧୁଦୁର୍ଗରେ ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଇଛି।
Mumbai: ମୁମ୍ବାଇରେ ମୌସୁମୀ ବିତ୍ପାତ: ରାତିସାରା ପ୍ରବଳ ବର୍ଷା
ରାତିସାରା ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ମାତୁଙ୍ଗାର କିଙ୍ଗ୍ସ ସର୍କଲ, ଦାଦରର ହିନ୍ଦୁ କଲୋନୀ ଭଳି ଆବାସିକ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ପ୍ରମୁଖ ରେଳ ଷ୍ଟେସନ ‘ଦାଦର’ ମଧ୍ୟ ପାଣିରେ ବୁଡ଼ି ରହିଥିବା ଦେଖିବାକୁ ମିଳିଛି। ଦାଦର ଅଞ୍ଚଳରେ ଏକ ବଡ଼ ଗଛ କାର୍ ଉପରେ ପଡ଼ିବା, ଅନେକ ଗଛ ଉପୁଡ଼ିଯିବା ଏବଂ ଘର ଓ ପାଚେରୀ ଭୁଶୁଡ଼ିବା ଭଳି ଘଟଣା ଦେଖିବାକୁ ମିଳିଛି। ବନ୍ୟା ପରିସ୍ଥିତି ଯୋଗୁଁ ଅନ୍ଧେରୀ ସବ୍ୱେକୁ ବନ୍ଦ କରିବାକୁ ପଡ଼ିଛି, ଯେଉଁଠାରେ ଲୋକମାନେ ଆଣ୍ଠୁଏ ପାଣିରେ ଯାତାୟାତ କରୁଥିବା ଦେଖାଯାଇଛି। ଏହି ସ୍ଥିତିକୁ ନେଇ ବିରୋଧୀ ଦଳ ନେତାମାନେ ଶାସକ ବିଜେପି ମେଣ୍ଟ ସରକାରଙ୍କୁ କଟାକ୍ଷ କରିଛନ୍ତି।
ମୁମ୍ବାଇରେ ସାଧାରଣତଃ ଜୁନ୍ ୧୦ ସୁଦ୍ଧା ମୌସୁମୀ ପ୍ରବେଶ କରିଥାଏ, ମାତ୍ର ଚଳିତ ବର୍ଷ ଏହା ୧୩ ଦିନ ବିଳମ୍ବରେ ଜୁନ୍ ୨୩ରେ ପହଞ୍ଚିଛି। ପୂର୍ବରୁ ୨୦୨୩ ମସିହାରେ ଜୁନ୍ ୨୫ ଏବଂ ୧୯୫୮ ତଥା ୧୯୭୪ ମସିହାରେ ସବୁଠାରୁ ବିଳମ୍ବରେ ଜୁନ୍ ୨୮ରେ ମୌସୁମୀ ଆସିଥିଲା। ବୃହନ୍ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ (ବିଏମ୍ସି) ର ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ସେଣ୍ଟ୍ରାଲ ମୁମ୍ବାଇର ନାୟାର ହସ୍ପିଟାଲରେ ସବୁଠାରୁ ଅଧିକ ୭୮.୯୬ ମିଲିମିଟର ବର୍ଷା ହୋଇଛି। ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ରାସ୍ତାଘାଟରେ ଟ୍ରାଫିକ ସମସ୍ୟା ଉପୁଜିଥିଲେ ମଧ୍ୟ ଲୋକାଲ୍ ଟ୍ରେନ୍ ଏବଂ ବେଷ୍ଟ୍ ବସ୍ ସେବା ସ୍ୱାଭାବିକ ଭାବେ ଚାଲୁ ରହିଛି।