Puri: ଜଗା ଦର୍ଶନ ପାଇଁ ଯାଇଥିଲେ ପୁରୀ, ଏପଟେ ଘରେ ପଶି ସବୁ ଲୁଟିନେଲେ ଚୋର
ବେତନଟୀ: ମନରେ ଥିଲା ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବାର ଅଭିଳାଷ।
ପରିବାର ସହ ପୁରୀ ଯାଇଥିଲେ ଜଗା ଦର୍ଶନ ପାଇଁ।
ହେଲେ ଏପଟେ ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଘରେ ପଶି ସବୁକିଛି ଲୁଟିନେଲେ ଦୁର୍ବୃତ୍ତ।
ବହୁ କଷ୍ଟରେ ଝାଳବୁହା ପରିଶ୍ରମ କରି ସଞ୍ଚୟ କରିଥିବା ଟଙ୍କା ଓ ସୁନାରୂପା ଅଳଙ୍କାର ହରାଇ ଏବେ ଭାଙ୍ଗିପଡ଼ିଛନ୍ତି ପରିବାର।
ନିଜର ଖଣ୍ଡିଏ ଜମି କିଣି ଘର କରିବାର ସ୍ୱପ୍ନ ଦେଖିଥିବା ଜଣେ ପରିଶ୍ରମୀ ବ୍ୟବସାୟୀଙ୍କ ସ୍ୱପ୍ନକୁ ଛାରଖାର କରିଦେଇଛନ୍ତି ଚୋର।
Advertisment ସୂଚନା ଅନୁଯାୟୀ, ବୈଶିଙ୍ଗା-ରୁପ୍ସା ରାସ୍ତାର ପ୍ରିୟାଂଶି ରାଧେ କଲେଜ ନିକଟରେ ସୁଶୀଲ କୁମାର ସାହୁଙ୍କ ଘର ଭଡ଼ା ନେଇ ଗତ ୩ ବର୍ଷ ଧରି ରହିଆସୁଥିଲେ ଉତ୍ତରପ୍ରଦେଶର ଫିରୋଜାବାଦ ଅଞ୍ଚଳର ରାଜକୁମାର ଜୈନ, ତାଙ୍କ ସ୍ତ୍ରୀ ଭାରତୀ ବେହେରା ଓ ୧୦ ବର୍ଷୀୟ ପୁଅ।
ରାଜକୁମାର ହାଟକୁ ହାଟ ବୁଲି ଛୋଟ ଷ୍ଟେସନାରୀ ସାମଗ୍ରୀ ବିକ୍ରି କରି ନିଜ ପରିବାର ଚଳାଇବା ସହ ଭବିଷ୍ୟତ ପାଇଁ ଟଙ୍କା ସଞ୍ଚୟ କରୁଥିଲେ।
ଆହୁରି ପଢନ୍ତୁ: Arrested: ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଦେଉଥିବା ୧୦ ଜଣଙ୍କୁ ଗିରଫ କଲା କାଶ୍ମୀର ପୁଲିସ ତାଙ୍କର ନିଜସ୍ୱ ଘର କିମ୍ବା ଜମି ନଥିବାରୁ ଦିନେ ଖଣ୍ଡିଏ ଜମି କିଣି ନିଜର ଘରଟିଏ ନିର୍ମାଣ କରିବାକୁ ସ୍ୱପ୍ନ ଦେଖିଥିଲେ।
ଏଥିପାଇଁ ବହୁ କଷ୍ଟରେ ୩ ଲକ୍ଷ ଟଙ୍କା ସଞ୍ଚୟ କରି ଘରର ଆଲମିରାରେ ରଖିଥିଲେ।
ତେବେ ଗତ ସୋମବାର ରାଜକୁମାର ନିଜ ପରିବାର ସହ ପୁରୀ ଯାଇଥିବା ବେଳେ ଆଜି ସକାଳେ ଘରକୁ ଫେରି ଦେଖିଥିଲେ ଘରର ତାଲା ଭଙ୍ଗାଯାଇଛି।
ଏହା ଦେଖି ସେ ହତବାକ୍ ହୋଇପଡ଼ିଥିଲେ।
ଘର ଭିତରକୁ ଯାଇ ଦେଖିବା ବେଳକୁ ଶୋଇବା ଘରର ଆଲମିରା ଓ କବାଟ ଭଙ୍ଗାଯାଇଥିବା ସହ ଘରର ସମସ୍ତ ଆସବାବପତ୍ର ଏଣେତେଣେ ବିଛାଡ଼ି ହୋଇ ପଡ଼ିଥିଲା।
ଯାଞ୍ଚ କରିବା ପରେ ଆଲମିରାରେ ରଖିଥିବା ଜମି ୩ ଲକ୍ଷ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଅଳଙ୍କାର ଚୋରି ହୋଇଥିବା ଜଣାପଡ଼ିଥିଲା।
ଦୀର୍ଘ ଦିନର ପରିଶ୍ରମ ଓ ସଞ୍ଚୟର ଫଳ ଆଖି ପିଛୁଳାକେ ହରାଇ ବସିଥିବା ରାଜକୁମାରଙ୍କ ପରିବାର ପାଇଁ ଏହି ଘଟଣା ଏକ ବଡ଼ ଆଘାତ ସୃଷ୍ଟି କରିଛି।
ଘଟଣା ସମ୍ପର୍କରେ ରାଜକୁମାର ଲିଖିତ ଅଭିଯୋଗ କରିବା ପରେ ବୈଶିଙ୍ଗା ପୁଲିସ ୫୮୭/୨୬ନଂ ନମ୍ବରରେ ଏକ ମାମଲା ରୁଜୁ କରି ଘଟଣାସ୍ଥଳରେ ପହଞ୍ଚିଛି।
ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ପୁଲିସ ତଦନ୍ତ ଓ ଛାନଭିନ ଆରମ୍ଭ କରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
