Protest rally: ୧୯୮୪ ଶିଖ୍ ବିରୋଧୀ ଦଙ୍ଗାକୁ ନେଇ ଦିଲ୍ଲୀରେ ବିଜେପିର ପ୍ରତିବାଦ ପଦଯାତ୍ରା
ନୂଆଦିଲ୍ଲୀ: କେନ୍ଦ୍ରୀୟ ଦିଲ୍ଲୀର ରାମଲୀଳା ମୈଦାନରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର ଏବଂ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ପ୍ରକ୍ରିୟା ବିରୋଧରେ ଇଣ୍ଡି ମେଣ୍ଟ ପକ୍ଷରୁ ମହାସମାବେଶ କରାଯାଉଥିବା ବେଳେ ଏହାର ଜବାବରେ ପଶ୍ଚିମ ଦିଲ୍ଲୀରେ ବିଜେପି ପକ୍ଷରୁ ଏକ ବିଶାଳ ପଦଯାତ୍ରା କରାଯାଇଛି।
୧୯୮୪ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ଶିଖ ସମୁଦାୟ ଉପରେ ହୋଇଥିବା ହିଂସାକାଣ୍ଡକୁ ନେଇ ବିଜେପି କଂଗ୍ରେସ ଦଳକୁ କଡ଼ା ସମାଲୋଚନା କରିବା ସହ ସାର୍ବଜନୀନ କ୍ଷମା ପ୍ରାର୍ଥନା ଦାବି କରିଛି। ବିଜେପି ନେତୃବୃନ୍ଦ ଅଭିଯୋଗ କରିଛନ୍ତି ଯେ, ଶିଖ୍ମାନଙ୍କ ବିରୋଧରେ ବ୍ୟାପକ ହିଂସାକାଣ୍ଡ ଘଟିଥିବା ଏହି କଳା ଦିବସରେ କଂଗ୍ରେସ ନିଜର ରାଜନୈତିକ ସମାବେଶ ଆୟୋଜନ କରି ଶିଖ ସମୁଦାୟକୁ ଅପମାନିତ କରିଛି। କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ନେତୃତ୍ୱରେ ଆୟୋଜିତ ଏହି ମାର୍ଚ୍ଚରେ ୧୯୮୪ ନଭେମ୍ବର ୧ର ହିଂସାକାଣ୍ଡ କୌଣସି ସ୍ୱତଃସ୍ଫୂର୍ତ୍ତ ଘଟଣା ନଥିଲା, ବରଂ ଏହା ଏକ ସୁଚିନ୍ତିତ ଗଣସଂହାର ଥିଲା ବୋଲି ପ୍ରକାଶ କରାଯାଇଛି।
କେନ୍ଦ୍ରମନ୍ତ୍ରୀ ହରଦୀପ ପୁରୀ କହିଛନ୍ତି ଯେ, ଏହି ହିଂସାକାଣ୍ଡ ଜନସାଧାରଣଙ୍କ ଆକ୍ରୋଶ ଯୋଗୁଁ ସ୍ୱତଃସ୍ଫୂର୍ତ୍ତ ଭାବେ ଘଟିଥିଲା ବୋଲି ଦର୍ଶାଇବା ପାଇଁ ଏକ ଦଳଗତ ଚେଷ୍ଟା କରାଯାଉଛି, ଯାହା ସମ୍ପୂର୍ଣ୍ଣ ଭୁଲ ଅଟେ। ଯଦି ବିରୋଧୀ ଦଳକୁ ଆନ୍ଦୋଳନ ପାଇଁ କୌଣସି ଦିନ ବାଛିବାର ଥିଲା, ତେବେ ସେମାନେ ନଭେମ୍ବର ୧ ତାରିଖକୁ ହିଁ କାହିଁକି ବାଛିଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ଦଙ୍ଗା ସମୟରେ ପ୍ରାୟ ୨,୭୩୩ ଜଣ ନିରୀହ ଶିଖ ସମୁଦାୟର ଲୋକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହା ଏକ ସଂଗଠିତ ଗଣସଂହାର ଥିଲା ଏବଂ ଅଦାଲତ ମଧ୍ୟ ଏହାକୁ ମାନବିକତା ବିରୋଧରେ ଏକ ବଡ଼ ଅପରାଧ ବୋଲି ଅଭିହିତ କରିଛନ୍ତି।
Owaisi: ବିହାର ଏସ୍ଆଇଆର୍ ରାୟ: ପୁନର୍ବିଚାର ପାଇଁ ସୁପ୍ରିମକୋର୍ଟ ଗଲେ ଅୱେସି
ଏହି ପ୍ରତିବାଦ ପଦଯାତ୍ରା ହରି ନଗର ବସ୍ ଡିପୋରୁ ବାହାରି ତିଲକ ନଗର ମେଟ୍ରୋ ଷ୍ଟେସନ ନିକଟରେ ପହଞ୍ଚିଥିଲା। ଶିଖ୍ ବହୁଳ ଏହି ଅଞ୍ଚଳରେ ହଜାର ହଜାର ବିଜେପି କର୍ମୀ ହାତରେ ଜାତୀୟ ପତାକା ତ୍ରିରଙ୍ଗା ଏବଂ ଦଳୀୟ ପତାକା ଧରି ମାର୍ଚ୍ଚ କରିଥିଲେ। କର୍ମୀମାନେ ୧୯୮୪ ହିଂସାକାଣ୍ଡ ପାଇଁ କଂଗ୍ରେସକୁ ଦାୟୀ କରୁଥିବା ପ୍ଲାକାର୍ଡ ପ୍ରଦର୍ଶନ କରିବା ସହ କଂଗ୍ରେସ ଦଳ ଏବଂ ଗାନ୍ଧୀ ପରିବାର ବିରୋଧରେ ଜୋର୍ଦାର ସ୍ଲୋଗାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, କ୍ୟାବିନେଟ ମନ୍ତ୍ରୀ ମନଜିନ୍ଦର ସିଂହ ସିରସା, ଆଶିଷ ସୁଦ୍ ଏବଂ ଦିଲ୍ଲୀ ବିଜେପି ସଭାପତି ହର୍ଷ ମାଲହୋତ୍ରାଙ୍କ ସମେତ ଦଳର ଅନେକ ବରିଷ୍ଠ ନେତୃବୃନ୍ଦ ସାମିଲ ହୋଇଥିଲେ।
ପ୍ରତିବାଦ ସମୟରେ ମୁଣ୍ଡରେ କଳା ପଟି ବାନ୍ଧିଥିବା ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ନିଜର ଅତୀତ ଅନୁଭୂତି ବାଣ୍ଟି କହିଛନ୍ତି ଯେ, ସେହି ଦଙ୍ଗା ସମୟରେ ଜଣେ ଶିଖ ପ୍ରତିବେଶୀ ନିଜ ଜୀବନ ବଞ୍ଚାଇବା ପାଇଁ ତାଙ୍କ ପିତାମାତାଙ୍କ ଘରେ ଆଶ୍ରୟ ନେଇଥିଲେ। ସେହି ଭୟାବହ ହିଂସା ଯୋଗୁଁ ଲକ୍ଷ ଲକ୍ଷ ଶିଖ ଭାଇମାନଙ୍କୁ ନିଜର ପରିଚୟ ଲୁଚାଇବା ଏବଂ ଜୀବନ ରକ୍ଷା ପାଇଁ ବାଧ୍ୟ ହୋଇ କେଶ କାଟିବାକୁ ପଡ଼ିଥିଲା। କଂଗ୍ରେସ ନିଜର ରାଜନୈତିକ ଅଭିଳାଷ ପୂରଣ ପାଇଁ ଆଜିର ଦିନକୁ ବାଛିଛି ଏବଂ ସେମାନେ ଏବେ ମଧ୍ୟ ସେହି କ୍ଷମତା ଲୋଭରେ ବୁଡ଼ି ରହିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ କେବଳ କ୍ଷମତା ହାସଲ କରିବା ପାଇଁ ଦେଶରେ ଅରାଜକତାକୁ ପ୍ରଶ୍ରୟ ଦେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
ସେହିଭଳି ଦିଲ୍ଲୀ ବିଜେପି ସଭାପତି ହର୍ଷ ମାଲହୋତ୍ରା କହିଛନ୍ତି ଯେ, ଶିଖ ବିରୋଧୀ ହିଂସାକାଣ୍ଡରେ ପ୍ରାଣ ହରାଇଥିବା ଶହ ଶହ ନିରୀହ ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ବିଜେପି ପକ୍ଷରୁ ଏହି ପଦଯାତ୍ରା କରାଯାଇଛି। କଂଗ୍ରେସ ଦ୍ବାରା ହୋଇଥିବା ଦଙ୍ଗା ଶିଖମାନଙ୍କ ବିରୋଧରେ ଏକ ସଂଗଠିତ ଗଣସଂହାର ଥିଲା ଏବଂ ସଜ୍ଜନ କୁମାରଙ୍କ ଭଳି କଂଗ୍ରେସ ନେତାମାନେ ଏଥିପାଇଁ ସିଧାସଳଖ ଦାୟୀ ଥିଲେ। ଏହି ନେତାମାନେ ଶିଖ୍ମାନଙ୍କ ଘର ଚିହ୍ନଟ କରି ସେମାନଙ୍କୁ ଆକ୍ରମଣ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ। କଂଗ୍ରେସ ଜାଣିଶୁଣି ନିଜର ପ୍ରତିବାଦ ପାଇଁ ଏହି କଳା ଦିବସକୁ ବାଛିଛି ବୋଲି ମାଲହୋତ୍ରା ଦୃଢ଼ତାର ସହ ପ୍ରକାଶ କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
