TMC: ମହୁଆ-ମମତାଙ୍କ ମଧ୍ୟରେ ବଢୁଛି ଦୂରତା

Jun 25, 2026 - 00:36
TMC: ମହୁଆ-ମମତାଙ୍କ ମଧ୍ୟରେ ବଢୁଛି ଦୂରତା

କୋଲକାତା: ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ମତଭେଦ ବଢୁଥିବା ନେଇ ସଙ୍କେତ ମିଳିଛି। ମହୁଆଙ୍କ ଏକ ସାଂପ୍ରତିକ ବୟାନରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ପ୍ରଶଂସା ତାଙ୍କ ରାଜନୈତିକ ଭବିଷ୍ୟତ ଏବଂ ଦଳରେ ତାଙ୍କର ସ୍ଥିତିକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିବିସି ସହ ଏକ ସାକ୍ଷାତକାରରେ ମହୁଆ କହିଛନ୍ତି, ଶୁଭେନ୍ଦୁ ମୋର ଭଲ ବନ୍ଧୁ। ଯେତେବେଳେ ଆମେ ଏକାଠି ଦଳରେ ଥିଲୁ, ସେ ମୋତେ ବହୁତ ସମର୍ଥନ କରିଥିଲେ। ଯେତେବେଳେ ମୁଁ କରିମପୁରରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲି, ସେତେବେଳେ ସେ ଏକମାତ୍ର ବ୍ୟକ୍ତି ଥିଲେ ଯିଏ ମୋ ପାଇଁ ପ୍ରଚାର କରିବାକୁ ଆସିଥିଲେ। ଯେତେବେଳେ ୨୦୧୪ରେ ମୁଁ ଲୋକସଭା ଟିକେଟ ନପାଇ ରାତିସାରା କାନ୍ଦୁଥିଲି, ସେହି ସମୟରେ କେବଳ ଶୁଭେନ୍ଦୁ ଅଧିକାରୀ ହିଁ ମୋତେ ସମର୍ଥନ କରିଥିଲେ। ଆଜି ଆମେ ଦୁହେଁ ଭିନ୍ନ ଭିନ୍ନ ଦଳରେ ଅଛୁ ଏବଂ ଭିନ୍ନ ପରିସ୍ଥିତିରେ ରହିଛୁ ବୋଲି ସେ କହିଥିଲେ।

ମହୁଆଙ୍କ ଏହି ମନ୍ତବ୍ୟ ପରେ ସେ ଟିଏମ୍‌ସି ସହ ସମ୍ପର୍କ ଛିନ୍ନ କରିପାରନ୍ତି ବୋଲି ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଚାଲିଛି। ଏହି ଘଟଣା ତୃଣମୂଳ କଂଗ୍ରେସ ମଧ୍ୟରେ ଥିବା ଆଭ୍ୟନ୍ତରୀଣ ଅସନ୍ତୋଷକୁ ପଦାରେ ପକାଇଛି। ଦଳର ଜଣେ ପ୍ରମୁଖ ଓ ସ୍ପଷ୍ଟବାଦୀ ଚେହେରା ଭାବେ ଜଣାଶୁଣା ମହୁଆଙ୍କ ଏଭଳି ମନୋଭାବ ଦର୍ଶାଉଛି ଯେ, ସଙ୍କଟ ସମୟରେ ଦଳ ପକ୍ଷରୁ ତାଙ୍କୁ ଆବଶ୍ୟକ ସହଯୋଗ ମିଳିନାହିଁ। ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ତାଙ୍କୁ ସମର୍ଥନ କରିବା ଘଟଣା ପଶ୍ଚିମବଙ୍ଗ ରାଜନୀତିରେ ଏକ ନୂଆ ମୋଡ଼ ଆଣିପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି। ଆଗାମୀ ନିର୍ବାଚନ ପୂର୍ବରୁ ଟିଏମ୍‌ସି ଏକ ବଡ଼ ଆହ୍ୱାନର ସାମ୍ନା କରୁଥିବା ବେଳେ ମହୁଆଙ୍କ ଏହି ଆଭିମୁଖ୍ୟ ମମତା ବାନାର୍ଜୀଙ୍କ ପାଇଁ ଚିନ୍ତା ବଢ଼ାଇଛି। ମହୁଆ ମମତାଙ୍କ ନେତୃତ୍ୱକୁ ଗ୍ରହଣ କରି ଦଳରେ ରହିବେ ନା ନିଜ ପାଇଁ ଏକ ନୂଆ ରାଜନୈତିକ ପଥ ବାଛିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି।

Attack row: ମମତା ବାନାର୍ଜୀ ହସ୍ପିଟାଲ ସିଇଓଙ୍କୁ ଧମକ ଦେବାର ଅଡିଓ ଭାଇରାଲ