Odisha's Glorious Maritime Heritage Goes Global: ପାରାଦୀପରୁ ବାଲିଦ୍ୱୀପ, ସାତ ଦରିଆ ଡେଇଁ ଗୁଞ୍ଜିଲା ଆ କା ମା ବୈ
କେଉଁଠି ନଦୀର ଛାତିରେ, ତ ଆଉ କେଉଁଠି ମହୋଦଧିର ଢେଉରେ...
ଭାସିଛି କଦଳୀ ପାଟୁକା ଡଙ୍ଗା।
ଡଙ୍ଗାରେ ପାନ, ଗୁଆ ରଖି 'ଆ କା ମା ବୈ' ଗାଇ ନିଜ ପରମ୍ପରାକୁ ମନେ ପକାଇଛନ୍ତି ଓଡ଼ିଆ।
ଏହି ପରମ୍ପରାକୁ ଆହୁରି ଜୀବନ୍ତ କରିବାକୁ ପାରାଦୀପ ବନ୍ଦରରେ ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର ବୋଇତ ବନ୍ଦାଣ ଉତ୍ସବ।
ସୁସଜ୍ଜିତ ବୋଇତରେ ସାତ ସାଧବପୁଅଙ୍କୁ ମେଲାଣି ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଏହି ଅବସରରେ ଓଡ଼ିଶାର ବିକାଶକୁ ନେଇ ବଡ଼ ଚିତ୍ର ରଖିଛନ୍ତି ମୁଖ୍ୟମନ୍ତ୍ରୀ।
ସାଢ଼େ ୨୩ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶରେ ରାଜ୍ୟରେ ୨୦୦ଟି ପ୍ରକଳ୍ପ ହେବା ସହ ୩ ଲକ୍ଷରୁ ଅଧିକ ନିଯୁକ୍ତି ଓ ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ପାରାଦୀପକୁ ପୂର୍ବ ଏସିଆ ଅର୍ଥନୀତିର ମୁଖଶାଳା କରିବା ସହ ଓଡ଼ିଶାକୁ ଶିଳ୍ପ, ଶିକ୍ଷା ଓ ଦକ୍ଷତା ବିକାଶର ନୂଆ କେନ୍ଦ୍ର କରିବା ଉପରେ ଦେଇଛନ୍ତି ଗୁରୁତ୍ୱ।
Advertisment ଦିନ ଥିଲା, ପାଲଟଣା ବୋଇତରେ ସାତ ସମୁଦ୍ର ତେର ନଈ ପାର ହେଉଥିଲେ ସାଧବପୁଅ।
ଜାଭା, ସୁମାତ୍ରା, ବୋର୍ଣ୍ଣିଓ ଓ ବାଲିଦ୍ୱୀପକୁ ନେଉଥିଲେ ଓଡ଼ିଶାର ସାମଗ୍ରୀ।
ସେମାନଙ୍କ ଯାତ୍ରାର ଶୁଭ ମନାସି ବନ୍ଦାପନା କରୁଥିଲେ ସାଧବାଣୀ।
ଆଜି ସେହି ଇତିହାସକୁ ଆଖି ଆଗରେ ଜୀବନ୍ତ କରିଥିଲା ପାରାଦୀପର ବୋଇତ ବନ୍ଦାଣ ଉତ୍ସବ।
କେବଳ ପରମ୍ପରାର ସ୍ମୃତି ନୁହେଁ, ପାରାଦୀପ ଆଜି ଆଧୁନିକ ନୌବାଣିଜ୍ୟର ଏକ ପ୍ରମୁଖ କେନ୍ଦ୍ର।
ମେଜର ପୋର୍ଟରୁ ମେଗା ପୋର୍ଟରେ ପରିଣତ ହୋଇ ବିଶ୍ୱ ନୌବାଣିଜ୍ୟରେ ନିଜର ସ୍ଥାନ ମଜଭୁତ କରିଛି ପାରାଦୀପ ବନ୍ଦର।
ଏପଟେ ଓଡ଼ିଶାର ନୌବାଣିଜ୍ୟ ପରମ୍ପରାକୁ ଆନ୍ତର୍ଜାତୀୟ ମଞ୍ଚରେ ପହଞ୍ଚାଇଛନ୍ତି ଓଡ଼ିଶା ସରକାର।
ଓଡ଼ିଶା ଓ ଇଣ୍ଡୋନେସିଆ ସରକାରଙ୍କ ମିଳିତ ସହଯୋଗରେ ବାଲିଦ୍ୱୀପରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି ବୋଇତ ବନ୍ଦାଣ ଉତ୍ସବ 'ଓଡ଼ିଶା ପରବ'।
ଏଥିରେ ଯୋଗ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
