Odisha’s CRMP Household Travel Survey: ଆପଣ କେମିତି ଯାତାୟାତ କରୁଛନ୍ତି? ଜାଣିବାକୁ ଘରକୁ ଘର ଯିବେ ସରକାରୀ ଟିମ୍
ଓଡ଼ିଶାରେ ଯାତାୟାତ ବ୍ୟବସ୍ଥାକୁ ଅଧିକ ସୁରକ୍ଷିତ, ସୁଗମ ଓ ସୁଲଭ କରିବା ଲକ୍ଷ୍ୟରେ ନଭେମ୍ବର ୨୩ ତାରିଖରୁ ରାଜ୍ୟରେ ଘରୋଇ ଯାତ୍ରା ସର୍ଭେ ବା ହାଉସହୋଲ୍ଡ ଟ୍ରାଭେଲ୍ ସର୍ଭେ ଆରମ୍ଭ ହେବ।
ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ ଅଞ୍ଚଳ ପାଇଁ ପ୍ରସ୍ତୁତ ହେଉଥିବା ସମନ୍ୱିତ ଆଞ୍ଚଳିକ ଗମନାଗମନ ଯୋଜନା (CRMP)ର ଏହା ଏକ ଅଂଶ।
Advertisment ରାଜ୍ୟର ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ସର୍ଭେ କରାଯିବ।
ଏଥିରେ ସର୍ଭେ ଟିମ୍ ଚୟନ କରାଯାଇଥିବା ଘରକୁ ଯାଇ ପରିବାର ସଦସ୍ୟଙ୍କ ଯାତାୟାତ ସମ୍ପର୍କିତ ବିଭିନ୍ନ ତଥ୍ୟ ସଂଗ୍ରହ କରିବେ।
ପରିବାରରେ କେତୋଟି ଗାଡ଼ି ରହିଛି, ଦୈନନ୍ଦିନ ଯାତାୟାତର ଧାରା, କେଉଁ ଉଦ୍ଦେଶ୍ୟରେ ଯାତ୍ରା କରୁଛନ୍ତି, କେଉଁ ଯାନ ବ୍ୟବହାର କରୁଛନ୍ତି, ଯାତ୍ରାର ସମୟ ଓ ଖର୍ଚ୍ଚ ଆଦି ବିଷୟରେ ତଥ୍ୟ ନିଆଯିବ।
ଏହା ସହିତ ଯାତାୟାତ ସମୟରେ ଲୋକମାନେ କେଉଁ ସମସ୍ୟାର ସାମ୍ନା କରୁଛନ୍ତି ଏବଂ ଏହାର ସମାଧାନ ପାଇଁ ସେମାନଙ୍କର କ'ଣ ପରାମର୍ଶ ରହିଛି, ସେନେଇ ମଧ୍ୟ ମତାମତ ନିଆଯିବ।
ସଂଗୃହୀତ ସମସ୍ତ ତଥ୍ୟ କେବଳ ଯୋଜନା ପ୍ରସ୍ତୁତି ଉଦ୍ଦେଶ୍ୟରେ ବ୍ୟବହାର କରାଯିବ।
Advertisment ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ କହିଛନ୍ତି ଯେ, ଏକ ସୁବ୍ୟବସ୍ଥିତ ଯାତାୟାତ ବ୍ୟବସ୍ଥା ପାଇଁ ଲୋକଙ୍କ ଦୈନନ୍ଦିନ ଯାତ୍ରା ଆବଶ୍ୟକତା ଓ ସମସ୍ୟାକୁ ବୁଝିବା ଜରୁରୀ।
ଏହି ସର୍ଭେ ମାଧ୍ୟମରେ ଲୋକଙ୍କ ଯାତାୟାତ ଅଭ୍ୟାସ, ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ସୂଚନା ମିଳିବ।
ଏହା ଭବିଷ୍ୟତରେ ଅଧିକ ସୁରକ୍ଷିତ, ସୁଗମ, ସୁଲଭ ଓ ସମନ୍ୱିତ ପରିବହନ ବ୍ୟବସ୍ଥା ଗଠନରେ ସହାୟକ ହେବ।
ଏହି CRMP ଯୋଜନା ଅଧୀନରେ ଲୋକ ଓ ସାମଗ୍ରୀର ଦୀର୍ଘମିଆଦୀ ଯାତାୟାତ ବ୍ୟବସ୍ଥାର ରୂପରେଖ ପ୍ରସ୍ତୁତ କରାଯିବ।
ଘରୋଇ ଯାତ୍ରା ସର୍ଭେ ସହିତ ଟ୍ରାଫିକ୍ ଓ ପରିବହନ ସର୍ଭେ, ସାଧାରଣ ପରିବହନ ବ୍ୟବସ୍ଥାର ମୂଲ୍ୟାଙ୍କନ, ମାଲ ପରିବହନ ଓ ଲଜିଷ୍ଟିକ୍ସ ସମ୍ପର୍କିତ ଅଧ୍ୟୟନ ଏବଂ ନାଗରିକ ଓ ବିଭିନ୍ନ ସଂସ୍ଥା ସହ ଆଲୋଚନା ମଧ୍ୟ କରାଯିବ।
ଏହି ପ୍ରକଳ୍ପକୁ ଏସିଆନ୍ ଡେଭଲପମେଣ୍ଟ ବ୍ୟାଙ୍କ (ADB)ର ସହଯୋଗରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ କାର୍ଯ୍ୟକାରୀ କରୁଛି।
ତେଣୁ ସର୍ଭେ ପାଇଁ ଚୟନ ହୋଇଥିବା ଘରର ବାସିନ୍ଦାମାନେ ସର୍ଭେ ଟିମ୍କୁ ସହଯୋଗ କରିବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।
ଲୋକଙ୍କ ମତାମତ ଆଧାରରେ କେଉଁଠି ସୁରକ୍ଷିତ ରାସ୍ତା, ଉନ୍ନତ ସାଧାରଣ ପରିବହନ ଓ ଆଞ୍ଚଳିକ ସଂଯୋଗ ବ୍ୟବସ୍ଥାର ଆବଶ୍ୟକତା ରହିଛି, ତାହା ଚିହ୍ନଟ କରାଯାଇପାରିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
