Odisha Teachers Salary Hike: ଶିକ୍ଷକ ଓ କର୍ମଚାରୀଙ୍କ ଦାବି ପୂରଣ ନେଇ ଫିଟିଲା ବାଟ; ୧୫ଟି ପ୍ରସ୍ତାବକୁ ମୋହନ ସରକାରଙ୍କ ମୋହର
ଦରମା ବଢ଼ିବ, ଶିକ୍ଷକଙ୍କୁ ମିଳିବ ପଦୋନ୍ନତି।
ବିଧାନସଭା ଶୀତ ଅଧିବେଶନ ପୂର୍ବରୁ ଶିକ୍ଷକ ଓ କର୍ମଚାରୀଙ୍କ ଦୀର୍ଘଦିନର ଦାବିକୁ ବିଚାର ପରେ ୧୫ଟି ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ରାଜ୍ୟ ସରକାର।
ପ୍ରାଥମିକ ଶିକ୍ଷକଙ୍କୁ ନିୟମିତ କରିବାଠୁ ଆରମ୍ଭ କରି ପଦୋନ୍ନତି ସମେତ ବ୍ଲକଗ୍ରାଣ୍ଟରୁ ବଞ୍ଚିତ ୧୯୪ଟି ହାଇସ୍କୁଲ ଅନୁଦାନଭୁକ୍ତ ହେବ।
Advertisment ଏହି ନିଷ୍ପତ୍ତି ଯୋଗୁଁ ନିଜ ହକ୍ ପାଇଁ ଲଢ଼େଇ କରି ଆସୁଥିବା ବିଭିନ୍ନ ବର୍ଗର ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ଉପକୃତ ହେବେ।
ସରକାରଙ୍କ ଘୋଷଣା ପରେ ବି ଅସନ୍ତୋଷ ଜାହିର କରିଛି ପ୍ରାଥମିକ ଶିକ୍ଷକ ସଂଘ।
ବ୍ଲକଗ୍ରାଣ୍ଟ ଶିକ୍ଷକ ଓ ଶିକ୍ଷାବିତ କିନ୍ତୁ ସ୍ବାଗତ କରିଛନ୍ତି।
ଦୀର୍ଘଦିନର ଦାବି ପୂରଣ ପାଇଁ ରାଜରାସ୍ତାରେ ଆନ୍ଦୋଳନ।
ଧାରଣା, ବିକ୍ଷୋଭ ପୁଣି ସରକାରଙ୍କ ନିକଟରେ ବାରମ୍ବାର ଗୁହାରି...ଶେଷରେ ଶିକ୍ଷକଙ୍କ ୧୫ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଲେ ରାଜ୍ୟ ସରକାର।
ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକରେ ଶିକ୍ଷକଙ୍କ ଦାବି ଉପରେ ବଡ଼ ନିଷ୍ପତ୍ତି ନିଆଯାଇଛି।
Advertisment ଏହାପରେ ଚର୍ଚ୍ଚା, ବାସ୍ତବରେ ବଦଳିବ କି ହଜାର ହଜାର ଶିକ୍ଷକଙ୍କ ଭାଗ୍ୟ ?
ଅଶୋକ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ରିପୋର୍ଟ ଆଧାରରେ ସରକାର ପ୍ରାଥମିକ ସ୍ତରରୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ଶିକ୍ଷକଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଛନ୍ତି।
ଯେଉଁଥିରେ ସରକାରୀ ବିଦ୍ୟାଳୟରେ କାର୍ଯ୍ୟରତ ପାର୍ଟ-ଟାଇମ୍ କଳା, ସଙ୍ଗୀତ ଓ କ୍ରୀଡ଼ା ଶିକ୍ଷକଙ୍କ ମାସିକ ପାରିଶ୍ରମିକ ୧୦ରୁ ୧୬ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।
ସରକାରୀ ବ୍ଲକଗ୍ରାଣ୍ଟର ଅନୁଦାନରୁ ବଞ୍ଚିତ ୧୯୪ଟି ଉଚ୍ଚ ବିଦ୍ୟାଳୟକୁ ଅନୁଦାନଭୁକ୍ତ କରାଯିବ।
୬ ବର୍ଷ ପୂରଣ କରି ୨୦୨୨ ମସିହାରେ ନିୟମିତ ହୋଇଥିବା ସରକାରୀ ମାଧ୍ୟମିକ ବିଦ୍ୟାଳୟର ଟିଜିଟି ଓ ପିଇଟି ଶିକ୍ଷକଙ୍କ ବକେୟା ଦରମା, ପ୍ରାଥମିକ ଶିକ୍ଷକଙ୍କର ନିୟମିତ ପଦୋନ୍ନତି, ୨୦୧୬ରୁ ୨୦୧୮ ଭିତରେ ନିଯୁକ୍ତ ଶିକ୍ଷା ସହାୟକଙ୍କୁ ନିୟମିତ କରିବା ଭଳି ଦାବି ରହିଥିଲା।
ଏହାଦ୍ୱାରା ପ୍ରାଥମିକ ଶିକ୍ଷକଙ୍କଠୁ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ, ଅନୁଦାନପ୍ରାପ୍ତ ଓ ଅଣଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନରେ କାର୍ଯ୍ୟରତ ଶିକ୍ଷକ ଓ କର୍ମଚାରୀ ଉପକୃତ ହେବେ।
ସରକାରଙ୍କ ଘୋଷଣା ପରେ ବି ସବୁ ଶିକ୍ଷକ ସଂଘ ଖୁସି ନୁହନ୍ତି।
ଦୀର୍ଘଦିନର ଦାବିକୁ ଗ୍ରହଣ କରିଥିବାରୁ ସରକାରଙ୍କୁ ଧନ୍ୟବାଦ ଜଣାଇଛି ବ୍ଲକଗ୍ରାଣ୍ଟ ଶିକ୍ଷକ ସଂଘ।
ତେବେ ବ୍ଲକଗ୍ରାଣ୍ଟ କର୍ମଚାରୀଙ୍କ ପେନସନ୍ ମାମଲା ହାଇକୋର୍ଟରେ ବିଚାରାଧୀନ ଥିବାରୁ କୋର୍ଟଙ୍କ ରାୟ ପରେ ନିଷ୍ପତ୍ତି ନିଆଯିବ।
ଅନ୍ୟପଟେ ପ୍ରାଥମିକ ଶିକ୍ଷକଙ୍କ ଅସନ୍ତୋଷ ଜାହିର କରିବା ସହ ଘୋଷଣାରେ କୌଣସି ନୂଆ ନାହିଁ ବୋଲି କହିଛି।
କେନ୍ଦ୍ରୀୟ ହାରରେ ଦରମା, ୬ ବର୍ଷର ଠିକା କାର୍ଯ୍ୟକାଳକୁ ମୂଳ ଚାକିରିରେ ସାମିଲ ସହ ନୋସନାଲ୍ ଇନକ୍ରିମେଣ୍ଟ ଦେବାକୁ ଦାବି ଦୋହରାଇଛି।
ଏଥିସହ ବିଧାନସଭା ଅଧିବେଶନରେ ପୁଣି ଆନ୍ଦୋଳନକୁ ଓହ୍ଲାଇବାକୁ ଧମକ ଦେଇଛି ପ୍ରାଥମିକ ଶିକ୍ଷକ ସଂଘ।
ଅନ୍ୟପଟେ କିନ୍ତୁ ସରକାରଙ୍କ ନିଷ୍ପତ୍ତିକୁ ଶିକ୍ଷାବିତ୍ ସ୍ବାଗତ କରିଛନ୍ତି।
ବିଭିନ୍ନ ଦାବି ନେଇ ରାଜ୍ୟର ଶିକ୍ଷକ ଓ କର୍ମଚାରୀଙ୍କର ବାରମ୍ବାର ଆନ୍ଦୋଳନ ପରେ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଢ଼ିଥିଲେ।
ଯାହାର ଅଧ୍ୟକ୍ଷ ଭାବେ ଅଶୋକ କୁମାର ତ୍ରିପାଠୀଙ୍କୁ ଦାୟିତ୍ବ ଦିଆଯାଇଥିଲା।
ବିଧାନସଭା ଅଧିବେଶନ ପୂର୍ବରୁ ଶିକ୍ଷକ ଆନ୍ଦୋଳନକୁ ପ୍ରଶମିତ କରିବା ପାଇଁ ସରକାରଙ୍କ ଏହି ନିଷ୍ପତ୍ତି କେତେଦୂର ସଫଳ ହେଉଛି, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।
ବିଶେଷ କରି ଅସନ୍ତୁଷ୍ଟ ପ୍ରାଥମିକ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ପରବର୍ତ୍ତୀ ପଦକ୍ଷେପ କ'ଣ ରହୁଛି, ତାହା ଉପରେ ବି ରହିବ ନଜର।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
