Odisha Schools Face Massive Teacher Shortage: ସ୍କୁଲରେ ପିଲା ଅଛନ୍ତି, ଶିକ୍ଷକ ନାହାନ୍ତି! ୩୪ ହଜାର ପଦବୀ ଖାଲି
ପିଲା ଆସୁଛନ୍ତି କିନ୍ତୁ ସ୍କୁଲରେ ଶିକ୍ଷକ ନାହାନ୍ତି।
ତେଣୁ ପାଠପଢ଼ାରେ ମହା ବିଭ୍ରାଟ।
୧୦୦ କି ୨୦୦ ନୁହେଁ, ରାଜ୍ୟର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ଏବେ ୩୪ ହଜାର ୪୬୯ ଶିକ୍ଷକ ପଦବୀ ଖାଲି ପଡ଼ିଛି।
ଗତକାଲି ବିଧାନସଭାରେ ବିଭାଗୀୟ ମନ୍ତ୍ରୀଙ୍କ ଏ ତଥ୍ୟ ପରେ ପ୍ରାଥମିକ ଶିକ୍ଷା କେମିତି ଚାଲୁଛି, ତାକୁ ନେଇ ଉଠିଛି ପ୍ରଶ୍ନ।
ସେପଟେ ଗଣଶିକ୍ଷା ବିଭାଗ, ମାଗଣାରେ କେଜିରୁ ପିଜି ଶିକ୍ଷା, ମଧ୍ୟାହ୍ନ ଭୋଜନ, ୟୁନିଫର୍ମ ଓ ଟେକ୍ସଟ ବୁକ୍ ଭଳି ଯୋଜନା ପରେ ବି ଶିକ୍ଷକ ଅଭାବରୁ ପାଠପଢା ପୁରା ଠପ୍।
ଯାହାକୁ ନେଇ ଏବେ ପିଲାଏ କହିଲେଣି ଏଣିକି ଅଣ୍ଡା ଭାତ ରଖ, ଆମକୁ ଶିକ୍ଷକ ଦିଅ।
Advertisment ଇଏ ପିଲାଙ୍କ ମନର କଥା।
ଆମକୁ ଅଣ୍ଡା ଭାତ ଦରକାର ନାହିଁ।
ଆମକୁ ଶିକ୍ଷକ ଦିଅନ୍ତୁ।
ପାଠ ପଢିବୁ, ଭଲ ମଣିଷ ହେବୁ।
ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ କଙ୍କରେଇ ପ୍ରାଥମିକ ବିଦ୍ୟାଳୟରେ ପଢନ୍ତି ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ।
ଶିକ୍ଷକଙ୍କ ସଂଖ୍ୟା ମାତ୍ର ୬।
ଏଥିରେ ପାଠ ପଢି କେମିତି ହେଉଥିବ ସହଜରେ ବୁଝି ହେଉଛି।
ଏପଟେ ଶିକ୍ଷକ ପଦ ପୂରଣ ଦାବିରେ କୋମଳମତି ଛାତ୍ରଛାତ୍ରୀ କ୍ଲାସ୍ ଛାଡି ପ୍ରତିବାଦ ଜଣାଇଛନ୍ତି।
କେନ୍ଦ୍ରାପଡ଼ା ଜିଲ୍ଲା ଆଳି ପଦନିପାଳ ସରକାରୀ ଡିପିଏସ୍ ନୋଡାଲ ହାଇସ୍କୁଲରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନଥିବାରୁ ସ୍କୁଲରେ ତାଲା ପକାଇ ଧାରଣାରେ ବସିଛନ୍ତି ଅଭିଭିବାକ ଓ ଛାତ୍ରଛାତ୍ରୀ।
ସପ୍ତମ ଯାଏ ଜଣେ ଶିକ୍ଷୟତ୍ରୀ ଏବଂ ଅଷ୍ଟମ ଓ ନବମ ପାଇଁ ୪ ଜଣ ଶିକ୍ଷକରେ ଚାଲୁଛି ସ୍କୁଲ।
ଜିଲ୍ଲା ଶିକ୍ଷାଧିକାରୀଙ୍କୁ ବାରମ୍ବାର ଗୁହାରି କଲେ ବି ଫଳ ଶୂନ।
ଏପଟେ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ୍ ଝରାକଣ୍ଢଳ ୟୁଜିୟୁପି ସ୍କୁଲରେ ବି ସମାନ ସ୍ଥିତି।
୫ ଜଣ ଶିକ୍ଷକଙ୍କ ଭିତରୁ ୨ ଜଣଙ୍କର ବଦଳି ହୋଇଥିବାରୁ ପାଠ ପଢାରେ ଅଚଳାବସ୍ଥା।
ଏଠି ବି ଅସନ୍ତୁଷ୍ଟ ଅଭିଭାବକ ଓ ଗ୍ରାମବାସୀ ସ୍କୁଲରେ ତାଲା ପକାଇ ପ୍ରତିବାଦ କରିବା ଛଡ଼ା ଏମାନଙ୍କ ପାଖରେ ଆଉ କୌଣସି ବାଟ ନାହିଁ।
ଆଉ ଏପଟେ ରାଜ୍ୟରେ ଶିକ୍ଷକ ମରୁଡ଼ି ନେଇ ବିଧାନସଭାରେ ଆସିଛି ସାଂଘାତିକ ତଥ୍ୟ।
ବିଜେଡି ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟଙ୍କ ପ୍ରଶ୍ନରେ ଗଣଶିକ୍ଷା ମନ୍ତ୍ରୀ ଉତ୍ତର ରଖି କହିଛନ୍ତି, ରାଜ୍ୟରେ ୩୪ ହଜାର ୪୬୯ ଶିକ୍ଷକ ପଦବୀ ଖାଲି ପଡ଼ିଛି।
୨୦୨୬ରେ ୬,୧୫୯, ୨୦୨୭ରେ ୫,୫୮୩ ଓ ୨୦୨୮ରେ ୫,୩୮୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅବସର ଗ୍ରହଣ କରିବେ।
ଖାଲି ହେବାକୁ ଥିବା ଶିକ୍ଷକ ପଦବୀ ପର୍ଯ୍ୟାୟକ୍ରମେ ନିଯୁକ୍ତି ଓ ପଦୋନ୍ନତି ମାଧ୍ୟମରେ ପୂରଣ କରିବାକୁ ପ୍ରକ୍ରିୟା ଚାଲୁ ରହିଛି।
ସେହିପରି ବର୍ଷକୁ ୧୫ ହଜାର ଲେଖାଏଁ ଶିକ୍ଷକ ନିଯୁକ୍ତି ଦେଇ ୩ ବର୍ଷରେ ମୋଟ୍ ୪୫ ହଜାର ଶିକ୍ଷକ ପଦବୀ ପୂରଣ କରାଯିବ ବୋଲି ବିଜେଡି ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
Advertisment ରାଜ୍ୟ ତମାମ ସ୍କୁଲରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ଓ ଶିକ୍ଷୟିତ୍ରୀ ନଥିବାରୁ ପାଠ ପଢ଼ା ଏକ ପ୍ରକାର ଅଚଳାବସ୍ଥା।
ପିଲାଙ୍କୁ ସବୁ ସାଧନ ମିଳୁଥିଲେ ବି ଶିକ୍ଷକ ନଥିବାରୁ ପାଠ ପଢା ଠିକରେ ହୋଇପାରୁ ନାହିଁ।
ଏଭଳି ସ୍ଥଳେ ସରକାରୀ ସ୍କୁଲରେ ପିଲାଙ୍କ ଭବିଷ୍ୟତ କେତେ ସୁରକ୍ଷିତ ତାକୁ ନେଇ ଉଠିଛି ପ୍ରଶ୍ନବାଚୀ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
