Obituary: ପରଲୋକରେ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ପୌତ୍ରବଧୂ
"ଭୁବନେଶ୍ୱର: ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପୌତ୍ରବଧୂ ତଥା ସ୍ୱର୍ଗତ କିଶୋର ଚନ୍ଦ୍ର ମେହେରଙ୍କ ଧର୍ମପତ୍ନୀ ପ୍ରେମଶୀଳା ମେହେରଙ୍କ ଗତକାଲି ରାତି ପ୍ରାୟ ୮ଟା ସମୟରେ ଭୁବନେଶ୍ୱର କଳିଙ୍ଗବିହାରସ୍ଥିତ ବାସଭବନରେ ବିୟୋଗ ହୋଇଯାଇଛି।
ସେ ତାଙ୍କର ସୁପୁତ୍ର ଉତ୍କଳ ବିଶ୍ୱବିଦ୍ୟାଳୟର ପରିଦର୍ଶକ ପ୍ରଫେସର ମଣୀନ୍ଦ୍ର କୁମାର ମେହେରଙ୍କ ପାଖରେ ସେ ରହୁଥିଲେ।
ଦୀର୍ଘଦିନ ହେଲା ତାଙ୍କ ଦେହ ଅସୁସ୍ଥ ଥିଲା।
ମୃତ୍ଯୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା।
ତାଙ୍କ ପଛରେ ସେ ତାଙ୍କର ଏକମାତ୍ର ପୁତ୍ର ମଣୀନ୍ଦ୍ର, ପୁତ୍ରବଧୂ ଦୀପ୍ତିମୟୀ ଓ ନାତି ଶୌଭିକ ସୁମନଙ୍କୁ ଛାଡ଼ି ଯାଇଛନ୍ତି।
Advertisment ପ୍ରେମଶୀଳା ମେହେର ଜଣେ ଅତ୍ୟନ୍ତ ଭଦ୍ର, ଅମାୟିକ, ସାହିତ୍ୟପ୍ରେମୀ, ଭଗବତ୍ ବିଶ୍ୱାସୀ ମହିଳା ଥିଲେ।
ସ୍ୱଭାବ କବି ଗଙ୍ଗାଧରଙ୍କ ସ୍ମୃତି ରକ୍ଷା ପ୍ରତି ସାରା ଜୀବନ ନିଜକୁ ସେ ଉତ୍ସର୍ଗ କରିରଖିଥିଲେ।
ବରପାଲିସ୍ଥିତ କବି ପରିବାରଙ୍କ ନୂତନ ଭବନ "ଗଙ୍ଗାଧର ସ୍ମୃତି ସଦନ"ରେ ସଂରକ୍ଷିତ ହୋଇ ରହିଥିବା କବିଙ୍କ କଲମ, ଦୁଆତ, ପାଣ୍ଡୁଲିପି,କୋର୍ଟ, କଠଉ, ଥାଳି, ପିଢ଼ା, ତକ୍ରାଳୀନ କବି ଲେଖକଙ୍କ ଚିଠି ପତ୍ର ଆଦିକୁ ସଯତ୍ନରେ ସାଇତି ରଖିବା ସହିତ ବାହାରୁ ଆସୁଥିବା ଗଙ୍ଗାଧର ପ୍ରେମୀଙ୍କୁ ଆଗ୍ରହ ସହକାରେ ଦେଖାଉଥିଲେ।
ସ୍ୱଭାବ କବିଙ୍କ ଜୟନ୍ତୀ ହେଉ ବା ଶ୍ରାଦ୍ଧ ଦିବସକୁ ପରିବାରରେ ଉତ୍ସାହ ଉଦ୍ଦୀପନା ସହିତ ପାଳନ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା।
Gangadhar : ଗଙ୍ଗାଧର ମେହେରଙ୍କ ମହାବିଶ୍ରାମ ଦିବସ ଭୁବନେଶ୍ୱର ସତ୍ୟନଗରସ୍ଥିତ ଶ୍ମଶାନରେ ତାଙ୍କର ଅନ୍ତ୍ୟେଷ୍ଟିକ୍ରିୟା ସଂପନ୍ନ ହୋଇଯାଇଛି।
ତାଙ୍କର ଏକମାତ୍ର ପୁତ୍ର ପ୍ରଫେସର ମଣୀନ୍ଦ୍ର କୁମାର ମେହେର ମୁଖାଗ୍ନି ଦେଇଥିଲେ।
ତାଙ୍କ ଶେଷ ଦର୍ଶନ ଓ ଅନ୍ତ୍ୟେଷ୍ଟି କ୍ରିୟା ସମୟରେ ତାଙ୍କ ପୁୁତୁରା ତଥା ସ୍ୱଭାବ କବିଙ୍କ ପ୍ରପୌତ୍ର ନାଟ୍ୟକାର ମିହିର କୁମାର ମେହେର, ଡକ୍ଟର ସୁଶୀଳ କୁମାର ବାଗ୍, ବିପଦର ବନ୍ଧୁ ନିରା କାର ସାହୁ, ସମାଜସେବୀ ସୁଧାଂଶୁ ସାହୁ, ଅରୁଣ ଡାକୁଆ, ଚନ୍ଦନ ସିଂହ, ବାପି ନାୟକ, ସୁଶାନ୍ତ କୁମାର ବେହେରା ପ୍ରମୁଖ ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ର ଓ ଗବେଷକ ମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ତାଙ୍କ ବିୟୋଗରେ କବିଙ୍କ ଜନ୍ମସ୍ଥାନ ବରପାଲି ଓ ଭୁବନେଶ୍ୱରର ସାହିତ୍ୟିକ ମହଲରେ ଶୋକର ଛାୟା ଖେଳି ଯାଇଛି।
ସ୍ୱର୍ଗତା ମେହେରଙ୍କ ପରଲୋକ ଖବର ପାଇ ବିଶିଷ୍ଟ ସାହିତ୍ୟ ସାଧକ ଶାନ୍ତନୁ କୁମାର ଆଚାର୍ଯ୍ୟ, କଵି ମମତା ଦାସ, ପ୍ରଫେସର ଆଦିକନ୍ଦ ସାହୁ, କେନ୍ଦ୍ର ସାହିତ୍ୟ ଏକାଡେମୀର ସଦସ୍ୟ ଅରୁଣ କୁମାର ସାହୁ, ବିଶିଷ୍ଟ କଥାକାର ପଦ୍ମଜ ପାଳ, ପକ୍ଷୀଘରର ପ୍ରକାଶକ ବନୋଜ ତ୍ରିପାଠୀ, ଗାଳ୍ପିକା ହିରଣ୍ମୟୀ ମିଶ୍ର, ସରୋଜିନୀ ସାହୁ, ସୁଷମା ମିଶ୍ର, କୋଲାହାଣ ବିଶ୍ୱବିଦ୍ୟାଳୟର ପ୍ରଫେସର ବାଳକୃଷ୍ଣ ବେହେରା ଓ ବହୁ ସାହିତ୍ୟିକ ପ୍ରଫେସର ମଣୀନ୍ଦ୍ର କୁମାର ମେହେରଙ୍କୁ ଆନ୍ତରିକ ସମବେଦନା ଜ୍ଞାପନ କରିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।