NIT Rourkela Research କ୍ଷତକୁ ଶୀଘ୍ର ଶୁଖାଇବ ସ୍ମାର୍ଟ ବ୍ୟାଣ୍ଡେଜ୍‌

Jun 30, 2026 - 23:09
NIT Rourkela Research କ୍ଷତକୁ ଶୀଘ୍ର ଶୁଖାଇବ ସ୍ମାର୍ଟ ବ୍ୟାଣ୍ଡେଜ୍‌

"ଏନ୍‌ଆଇଟି ଗବେଷକଙ୍କ ନୂଆ ଉଦ୍ଭାବନ ରାଉରକେଲା: ଗବେଷଣା କ୍ଷେତ୍ରରେ ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି)ର ଗବେଷକ ଦଳ ପୁଣିଥରେ ଉତ୍କର୍ଷତା ହାସଲ କରିଛନ୍ତି।

ଅନୁଷ୍ଠାନର ଗବେଷକମାନେ ଏକ ଅଭିନବ "ସ୍ମାର୍ଟ୍‌ ଗଜ୍‌" (କ୍ଷତ ଚିକିତ୍ସା ପଟି) ପ୍ରସ୍ତୁତ କରିଛନ୍ତି।

ଏହି ସ୍ମାର୍ଟ୍‌ ବ୍ୟାଣ୍ଡେଜ୍‌ ସଂକ୍ରମଣକୁ ରୋକିବା ସହ ପଟି ବଦଳାଇବା ସମୟରେ ଯନ୍ତ୍ରଣାକୁ ହ୍ରାସ କରିବ ଓ କ୍ଷତକୁ ଶୀଘ୍ର ଶୁଖାଇବାରେ ସାହାଯ୍ୟ କରିବ।Advertisment ସାଧାରଣତଃ ଗଭୀର କ୍ଷତ ହେଲେ ରୋଗୀମାନଙ୍କୁ ବାରମ୍ବାର ପଟି ବଦଳାଇବାକୁ ପଡ଼ିଥାଏ, ଯାହା ଅତ୍ୟନ୍ତ କଷ୍ଟଦାୟକ ହୋଇଥାଏ।

ଏହି ସମସ୍ୟାର ସମାଧାନ ପାଇଁ ଏନଆଇଟି ରାଉରକେଲାର ବାୟୋଟେକ୍ନୋଲୋଜି ଓ ମେଡିକାଲ୍ ଇଞ୍ଜିନିୟରିଂ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡ ପ୍ରସୂନ କୁମାରଙ୍କ ନେତୃତ୍ୱରେ ଆସୋସିଏଟ୍‌ ପ୍ରଫେସର ଦେବେନ୍ଦ୍ର ବର୍ମା, ପ୍ରଫେସର ଇଆରୁ ବନୋଥ, ଗବେଷିକା ସ୍ବାଗତିକା ବାରିକ, ରିକାରାଣୀ ପ୍ରଧାନ, ଶିଖା ତ୍ରିପାଠୀ, ସମଦ୍ରିତା ରାୟ ପ୍ରମୁଖ ଏହାକୁ ବିକଶିତ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ସାଧାରଣ ସୂତା କପଡ଼ାର ପଟି ଖୋଲିବା ସମୟରେ ଏକାଧିକ ସମସ୍ୟା ଦେଖାଦେଇଥାଏ।

ବି‌ଶେଷକରି କ୍ଷତ ସହ ଲାଗିରହୁଥିବାରୁ ଛଡ଼ାଇବା ସମୟରେ ଟିସୁ ନଷ୍ଟ ହୋଇଯାଏ ଓ ସଂକ୍ରମଣ ଆଶଙ୍କା ବୃଦ୍ଧି ପାଇଥାଏ।

ଏହାକୁ ଦୂର କରିବାକୁ ଏନ୍‌ଆଇଟିର ଗବେଷକ ଦଳ ସୂତା କପଡ଼ା ଉପରେ ଚିଟୋସାନ୍‌ର ପ୍ରଲେପ ଦେଇ ଏଥିରେ ଏକ ସ୍ୱତନ୍ତ୍ର "ଇଲେକ୍ଟ୍ରୋସ୍ପନ୍ ନାନୋଫାଇବର" ସ୍ତର ଯୋଡ଼ିଛନ୍ତି।

ଏହି ସ୍ତରରେ ହଳଦିରୁ ମିଳୁଥିବା ପ୍ରାକୃତିକ ଜୈବିକ ଉପାଦାନ "କର୍କ୍ୟୁମିନ୍" ଭରପୂର ରହିଛି, ଯାହା ଜୀବାଣୁନାଶକ ଗୁଣରେ ସମୃଦ୍ଧ।

ଏହି ନୂତନ ସ୍ତରଟି କ୍ଷତ ଓ କପଡ଼ା ମଧ୍ୟରେ ସିଧାସଳଖ ସଂପର୍କକୁ ରୋକିଥାଏ, ଯଦ୍ବାରା ପଟି ଖୋଲିବା ବେଳେ ଆଦୌ ଯନ୍ତ୍ରଣା ହୋଇନଥାଏ ଓ ଟିସୁ ସୁରକ୍ଷିତ ରୁହେ।

ଏତଦ୍‌ବ୍ୟତୀତ ନାନୋଫାଇବର୍‌ସ୍ତରରୁ କର୍କ୍ୟୁମିନ୍ ଧୀରେ ଧୀରେ ନିର୍ଗତ ହୋଇ କ୍ଷତକୁ ସଂକ୍ରମଣମୁକ୍ତ ରଖେ ଓ ବାରମ୍ବାର ପଟି ବଦଳାଇବା କିମ୍ବା ବାହାରୁ ଅଧିକ ଔଷଧ ଲଗାଇବା ଆବଶ୍ୟକ ପଡ଼ିନଥାଏ।

ଏହି ସ୍ମାର୍ଟ ବ୍ୟାଣ୍ଡେଜ୍‌ର ନିର୍ମାଣ ଶୈଳୀ ଅତ୍ୟନ୍ତ ସରଳ ଓ ଶସ୍ତା।

ବଜାରରେ ଏକ ସାଧାରଣ ସୂତା ବ୍ୟାଣ୍ଡେଜ୍ ରୋଲ୍‌ ପ୍ରାୟ ୩୦ ଟଙ୍କାରେ ମିଳୁଥିବାବେଳେ, ଏହି ସ୍ମାର୍ଟ ବ୍ୟାଣ୍ଡେଜ୍ ବ୍ୟବସାୟିକ ସ୍ତରରେ ପ୍ରସ୍ତୁତ ହେଲେ ମାତ୍ର ୫୦ ରୁ ୬୦ ଟଙ୍କା ମଧ୍ୟରେ ଉପଲବ୍ଧ ହେବ।

ଏହି ଗୁରୁତ୍ୱପୂର୍ଣ୍ଣ ଗବେଷଣା ପ୍ରତିଷ୍ଠିତ ଜର୍ଣ୍ଣାଲ୍‌ "ଇମର୍ଜେଣ୍ଟ୍‌ ମ୍ୟାଟେରିଆଲ୍ସ"ରେ ପ୍ରକାଶିତ ହୋଇଛି।

"