Nine Family Members Killed in a Vehicle Crash: ଟ୍ରକକୁ ଧକ୍କା ଦେଲା ଫୋର୍ସ କ୍ରୁଜର, ଦୁର୍ଘଟଣା ନେଲା ଗୋଟିଏ ପରିବାରର ୯ ଜୀବନ
ରାଜସ୍ଥାନର କୋଟା-ଉଦୟପୁର ଜାତୀୟ ରାଜପଥରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।
ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍କୁ ଦ୍ରୁତଗତିରେ ଆସୁଥିବା ଫୋର୍ସ କ୍ରୁଜର ଗାଡ଼ି ଧକ୍କା ଦେବାରୁ ଗୋଟିଏ ପରିବାରର ୯ ଜଣଙ୍କ ମୃତ୍ୟୁ ହୋଇଛି।
ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ରହିଛନ୍ତି।
ଏହି ଦୁର୍ଘଟଣାରେ ଅନ୍ୟ ୬ ଜଣ ଆହତ ହୋଇଛନ୍ତି।
Advertisment ସୂଚନା ଅନୁଯାୟୀ, ରାତି ପ୍ରାୟ ୨ଟା ସମୟରେ ଶମ୍ଭୁପୁରା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଥିଲା।
ମହାରାଷ୍ଟ୍ରର ଗୋଟିଏ ପରିବାରର ୧୫ ଜଣ ସଦସ୍ୟ ଏକ ଫୋର୍ସ କ୍ରୁଜର ଗାଡ଼ିରେ ରାଜସ୍ଥାନର ଖାଟୁ ଶ୍ୟାମଜୀ ମନ୍ଦିର ଦର୍ଶନ ସାରି ଫେରୁଥିଲେ।
ରାତିରେ ଗାଡ଼ି ଚଳାଉଥିବା ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଗାଡ଼ିଟି ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ଥିବା ଟ୍ରକ୍କୁ ଧକ୍କା ଦେଇଥିବା ଅନୁମାନ କରାଯାଉଛି।
ଏହି ଦୁର୍ଘଟଣାରେ ଉଷା ବାଇ, ସୁଶୀଳା, କୈଳାସ, ସାନଭି, ସଜ୍ଜନ, ଅନିତା, ବାବୁଲାଲ, ଜାହ୍ନବୀ ଏବଂ ମାଧବୀଙ୍କ ମୃତ୍ୟୁ ହୋଇଛି।
ମୃତକଙ୍କ ମଧ୍ୟରେ ଚାରି ଜଣ ମହିଳା, ତିନି ଜଣ ପୁରୁଷ ଏବଂ ଦୁଇ ଜଣ ଶିଶୁ ଅଛନ୍ତି।
ଏମାନଙ୍କ ମଧ୍ୟରେ ଦୁଇ ଭାଇ, ସେମାନଙ୍କ ପତ୍ନୀ ଏବଂ ପରିବାରର ଅନ୍ୟ ସଦସ୍ୟ ରହିଛନ୍ତି।
Advertisment ଦୁର୍ଘଟଣା ପରେ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଭିତରେ ଫସି ରହିଥିବା ଲୋକଙ୍କୁ ବାହାର କରିଥିଲେ।
ଆହତ ୬ ଜଣଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ପଠାଯାଇଛି।
ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି।
ଆହତଙ୍କ ଚିକିତ୍ସା ପାଇଁ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ମଧ୍ୟ ନିୟୋଜିତ ହୋଇଛନ୍ତି।
ଘଟଣାର ଖବର ପାଇ ସିଟି ଏସ୍ପି ତେଜସ୍ୱିନୀ ଗୌତମଙ୍କ ସମେତ ପୁଲିସ ଓ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳ ଏବଂ ହସ୍ପିଟାଲରେ ପହଞ୍ଚି ତଦାରଖ କରିଥିଲେ।
ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
