Welcome!

Unlock your personalized experience.
Sign Up

Skyroot-vikram-1: ଇତିହାସ ରଚିବ ଭାରତ, ମହାକାଶକୁ ଉତକ୍ଷେପଣ ହେବ ପ୍ରଥମ ପ୍ରାଇଭେଟ୍ ଅର୍ବିଟାଲ୍ ରକେଟ୍ 'ବିକ୍ରମ-୧'

Jul 18, 2026 - 08:59
Skyroot-vikram-1: ଇତିହାସ ରଚିବ ଭାରତ, ମହାକାଶକୁ ଉତକ୍ଷେପଣ ହେବ ପ୍ରଥମ ପ୍ରାଇଭେଟ୍ ଅର୍ବିଟାଲ୍ ରକେଟ୍ 'ବିକ୍ରମ-୧'

ଆନ୍ଧ୍ରପ୍ରଦେଶ, ୧୮।: ଭାରତୀୟ ମହାକାଶ ବିଜ୍ଞାନ କ୍ଷେତ୍ରରେ ଆଜି ଯୋଡ଼ି ହେବାକୁ ଯାଉଛି ଏକ ନୂଆ ସ୍ଵର୍ଣ୍ଣିମ ଅଧ୍ୟାୟ । ହାଇଦ୍ରାବାଦର ମହାକାଶ ଷ୍ଟାର୍ଟଅପ୍ କମ୍ପାନୀ 'ସ୍ପେସରୁଟ୍ ଏରୋସ୍ପେସ୍' ଶନିବାର ଭାରତର ପ୍ରଥମ ବେସରକାରୀ ବା ପ୍ରାଇଭେଟ୍ ଅର୍ବିଟାଲ୍ ରକେଟ୍ 'ବିକ୍ରମ-୧' ର ଉତକ୍ଷେପଣ କରିବାକୁ ଯାଉଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ମହାକାଶ କେନ୍ଦ୍ରରୁ ମଧ୍ୟାହ୍ନ ୧୧ଟା ୩୦ ମିନିଟ୍ରେ ଏହି ଐତିହାସିକ ଲଞ୍ଚିଂ କରାଯିବ । ପୂର୍ବରୁ ୨୦୨୨ ମସିହାରେ କମ୍ପାନୀ 'ବିକ୍ରମ-S' ସବ୍-ଅର୍ବିଟାଲ୍ ରକେଟ୍ର ସଫଳ ପରୀକ୍ଷଣ କରିଥିଲା, ଯାହା ୮୯.୫ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ଯାଇଥିଲା । ହେଲେ ଏଥର 'ବିକ୍ରମ-୧' ଲୋ ଅର୍ଥ ଅରବିଟ୍ ଅର୍ଥାତ୍ ୪୫୦ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ଯାଇ ପେଲୋଡ୍ ସ୍ଥାପନ କରିବ ।

ସାଙ୍ଗରେ ଯିବ ୧୮ କ୍ୟାରେଟ୍ ସୁନାର ଆର୍ଟ ପିସ୍ । ଏହି ସ୍ୱତନ୍ତ୍ର ମିଶନକୁ 'ମିଶନ ଆଗମନ' ନାମ ଦିଆଯାଇଛି । ଏହା ଅଧୀନରେ ବିକ୍ରମ-୧ ରକେଟ୍ ନିଜ ସହିତ ଟେକ୍ନୋଲୋଜି ଏବଂ କଳା ସହ ଜଡ଼ିତ ଅନେକ ପେଲୋଡ୍ ମହାକାଶକୁ ନେଇଯାଉଛି । ଏଥିରେ ଗ୍ରହ ସ୍ପେସ୍, କସମୋସର୍ଭ ସ୍ପେସ୍, ଡିକ୍ଲୁବ୍ଡ୍ ର ଗବେଷଣାଭିତ୍ତିକ ପେଲୋଡ୍ ସହିତ ସ୍କାଇରୁଟ୍ର ନିଜସ୍ୱ 'ସ୍କୋପ୍' ପେଲୋଡ୍ ସାମିଲ ଅଛି । କସମୋସ୍ ଡାଇମଣ୍ଡସ୍ ପକ୍ଷରୁ ପ୍ରସ୍ତୁତ "କସମିକ ବ୍ଲୁମ" କଳାକୃତି ସହ ଏକ ସ୍ୱତନ୍ତ୍ର ମାଇକ୍ରୋ-ଆର୍ଟ ପିସ୍ ମଧ୍ୟ ପଠାଯାଉଛି । ଏହି ଆର୍ଟ ପିସ୍ଟି ୧୮ କ୍ୟାରେଟ୍ ସୁନାରେ ତିଆରି ଏକ ଛୋଟ ରକେଟ୍, ଯେଉଁଥିରେ ଭାରତର ଗୌରବ ସାର୍ ସି.ଭି. ରମଣ, ଡକ୍ଟର ବିକ୍ରମ ସାରାଭାଇ ଏବଂ ପ୍ରେସିଡେଣ୍ଟ ଡକ୍ଟର ଏ.ପି.ଜେ. ଅବଦୁଲ କଲାମଙ୍କର ଅତି ସୂକ୍ଷ୍ମ ମୂର୍ତ୍ତି ଖୋଦିତ ହୋଇଛି ।

ବିକ୍ରମ-୧ ହେଉଛି ଦେଶର ପ୍ରଥମ ଅର୍ବିଟାଲ୍ ରକେଟ୍ ଯାହା ସମ୍ପୂର୍ଣ୍ଣ ରୂପେ ହାଲୁକା ଏବଂ ଶକ୍ତ କାର୍ବନ-କମ୍ପୋଜିଟ୍ ଗଠନରେ ତିଆରି ହୋଇଛି । କାର୍ବନ ଫାଇବର ଷ୍ଟିଲ୍ ତୁଳନାରେ ପ୍ରାୟ ୫ ଗୁଣା ହାଲୁକା ହୋଇଥିବାରୁ ଏହା ରକେଟ୍ର ଓଜନ କମାଇବା ସହ ଇନ୍ଧନ କ୍ଷମତାକୁ ବହୁ ଗୁଣ ବଢ଼ାଇଥାଏ । ଏହି ରକେଟ୍କୁ ଗତିଶୀଳ କରିବା ପାଇଁ ଏଥିରେ ଦୁଇଟି ମୁଖ୍ୟ ପ୍ରଣାଳୀ ରହିଛି ।

୧. ତିନୋଟି ସଲିଡ୍-ଫ୍ୟୁଏଲ୍ ଷ୍ଟେଜ୍:

ଏହାକୁ ଆପଣ ରକେଟ୍ ତଳେ ଲାଗିଥିବା ୩ଟି ଶକ୍ତିଶାଳୀ ବୁଷ୍ଟର ଭାବେ ବୁଝିପାରିବେ । ଏଥିରେ କଠିନ ରାସାୟନିକ ଇନ୍ଧନ ଥାଏ । ରକେଟ୍କୁ ପୃଥିବୀ ପୃଷ୍ଠରୁ ମହାକାଶକୁ ଠେଲିବା ପାଇଁ ଏଗୁଡ଼ିକ ଗୋଟିଏ ପରେ ଗୋଟିଏ ଜଳି ପ୍ରାରମ୍ଭିକ ମହାଶକ୍ତି ପ୍ରଦାନ କରିବେ ଏବଂ ରକେଟ୍କୁ ଲୋ ଅର୍ଥ ଅର୍ବିଟ୍ ନିକଟରେ ପହଞ୍ଚାଇବେ ।

୨. ଲିକ୍ୱିଡ୍ ଅର୍ବିଟାଲ୍ ଆଡଜଷ୍ଟମେଣ୍ଟ ମଡ୍ୟୁଲ୍:

ରକେଟ୍ର ସବୁଠୁ ଉପର ଭାଗରେ ଏହି ସ୍ମାର୍ଟ ତରଳ ଇନ୍ଧନ ଚାଳିତ ଛୋଟ ଇଞ୍ଜିନ ଲାଗିଛି । ମହାକାଶରେ ପହଞ୍ଚିବା ପରେ ସଲିଡ୍ ଇନ୍ଧନକୁ ଅନ୍ ବା ଅଫ୍ କରାଯାଇପାରେ ନାହିଁ, ତେଣୁ ସେଠାରେ ଏହି ଲିକ୍ୱିଡ୍ ମଡ୍ୟୁଲ୍ କାମ କରେ । ଏହା ସେଟେଲାଇଟ୍କୁ ସଠିକ୍ ଦିଗ ଦେବା, ରକେଟ୍ର ବେଗ ନିୟନ୍ତ୍ରଣ କରିବା ଏବଂ ନିର୍ଦ୍ଧାରିତ କକ୍ଷପଥରେ ସାଟେଲାଇଟ୍କୁ ସଫଳତାର ସହ ସ୍ଥାପିତ କରିବାରେ ସାହାଯ୍ୟ କରିବ । ଭାରତୀୟ ସ୍ପେସ୍ ଇଣ୍ଡଷ୍ଟ୍ରିରେ ଘରୋଇ କମ୍ପାନୀର ଏହି ବଡ଼ ପଦକ୍ଷେପ ଉପରେ ଏବେ ସାରା ବିଶ୍ୱର ନଜର ରହିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।