ମହାରାଷ୍ଟ୍ର ରାଜନୀତିରେ ବଡ଼ ହଲଚଲ: ଶିବସେନା (UBT)ର ୬ ସାଂସଦ ସିନ୍ଦେ ଗୋଷ୍ଠୀରେ ସାମିଲ ପାଇଁ ଅନୁମତି
ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ଘଡ଼ିକେ ଛୁଟେ ଘୋଡ଼ା । ଯାହାର ଅନେକ ଉଦାହରଣ ପୂର୍ବରୁ ଦେଖିବାକୁ ମିଳିଛି । ଏବେ ପୁଣି ଏକ ଘଟଣା ମହାରାଷ୍ଟ୍ର ରାଜନୀତିରେ ହଲଚଲ ସୃଷ୍ଟି କରିଛି । ଉଦ୍ଧବ ଠାକରେଙ୍କ ଶିବସେନା ଗୋଷ୍ଠୀର ୬ ସାଂସଦ ସିନ୍ଦେଙ୍କ ଗୋଷ୍ଠୀରେ ସାମିଲ ପାଇଁ ମିଳିଛି ଅନୁମତି । ଦଳର ୯ ଜଣ ସାଂସଦ ଲୋକସଭାରେ ରହିଥିବାବେଳେ ବିଦ୍ରୋହୀ ୬ ସାଂସଦ ସିନ୍ଦେଙ୍କ (ଶିବସେନା)ରେ ସାମିଲ ପାଇଁ ଅନୁମତି ଦେଇଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା ।
ବାଚସ୍ପତିଙ୍କ ଏହି ଅନୁମତି ପରେ ଏହି ୬ ସାଂସଦ ଏବେ ଆନୁଷ୍ଠାନିକ ଭାବେ ସିନ୍ଦେ ସେନାର ଅଂଶ ହୋଇଛନ୍ତି । ଏହା ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ପାଇଁ ଏକ ବଡ଼ ଝଟକା । ତେବେ ଦୀର୍ଘଦିନ ଧରି ଚାଲିଥିବା ମହାରାଷ୍ଟ୍ରର ରାଜନୈତିକ ସଂଘର୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଆଣିଛି । ଆଗାମୀ ଦିନରେ ଏହାକୁ ନେଇ କ୍ଷମତାସୀନ ଦଳ ଏବଂ ବିରୋଧୀଙ୍କ ମଧ୍ୟରେ ବାକ୍ଯୁଦ୍ଧ ଆହୁରି ବଢ଼ିବାର ସମ୍ଭାବନା ରହିଛି। ତେବେ ୬ ଜଣ ସାଂସଦଙ୍କ ମଧ୍ୟରେ ରହିଛନ୍ତି ସଞ୍ଜୟ ଦେଶମୁଖ, ସଞ୍ଜୟ ଜାଘବ, ସଞ୍ଜୟ ଦିନା ପାଟିଲ, ନାଗେଟ ପାଟିଲ, ଓମ୍ ପ୍ରକାଶ ରାଜେ, ଭାଉସାହେବ ବକଚୋରି
୬ ସାଂସଦଙ୍କ ସାମିଲ ହେବା ଫଳରେ ଏକନାଥ ସିନ୍ଦେଙ୍କ ଶିବସେନା ସଂସଦରେ ସ୍ଥିତି ଆହୁରି ମଜବୁତ ହୋଇଛି । ଏହା ଦଳୀୟ ସଂଗଠନକୁ ଅଧିକ ଶକ୍ତି ପ୍ରଦାନ କରିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । ସେପଟେ ଏହି ଘଟଣା ପରେ ଉଦ୍ଧବ ଠାକରେଙ୍କ ପକ୍ଷରୁ କଣ ପ୍ରତିକ୍ରିୟା ଆସୁଛି, ତାହା ଉପରେ ଏବେ ସମସ୍ତଙ୍କ ନଜର। ମହାରାଷ୍ଟ୍ର ରାଜନୀତିରେ ଏହି ଘଟଣା ନୂଆ ମୋଡ଼ ନେବାର ଆଶଙ୍କା ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।