Extramarital Affair: ପରକୀୟା ପ୍ରୀତି ଧରାପଡ଼ିବା ଭୟରେ ରଚିଥିଲେ ନାଟକ; ସ୍ବାମୀର ମୋବାଇଲ ଚୋରି ପାଇଁ ଷଡ଼ଯନ୍ତ୍ର କରିଥିଲା ସ୍ତ୍ରୀ ଓ ପ୍ରେମିକ
ଭୁବନେଶ୍ବର, ୨୬/୦୬: ବନ୍ଧୁ ସାଜିଲା ବଇରୀ । ପରକୀୟା ପ୍ରୀତି ଧରା ପଡ଼ିଯିବା ଭୟରେ ମୋବାଇଲରେ ଥିବା ଫଟୋ ଓ ଅଡ଼ିଓ ନଷ୍ଟ କରିବା ପାଇଁ ଷଡ଼ଯନ୍ତ୍ର ରଚିଥିଲା ସାଙ୍ଗ ସ୍ତ୍ରୀର ପ୍ରେମିକ । ପ୍ରେମିକାଙ୍କ ସ୍ୱାମୀଙ୍କ ମୋବାଇଲ ଚୋରି କରିବା ପାଇଁ ଦେଇଥିଲା ସୁପାରି । ହୋଟେଲକୁ ଡକାଇ ଅନ୍ୟଦ୍ୱାରା ମୋବାଇଲ ଚୋରି କରିନେଲା । ମୋବାଇଲ୍ ଚୋରି ନେଇ ଅଭିଯୋଗ ପାଇ ଚୋରକୁ ଗିରଫ କରିଛି ତମାଣ୍ଡୋ ଥାନା ପୁଲିସ । ଗିରଫ ଚୋରର ନାମ ଲିପୁନ ବେହେରା(୨୬) । ଘର ଅନୁଗୋଳ । ସେ ଇନ୍ଫୋଭ୍ୟାଲି ଥାନା ଅରିଶଲରେ ରହୁଥିଲା ।
ପୁଲିସ ସୂଚନା ଅନୁଯାୟୀ, ଅଭିଯୋଗକାରୀ ଆଲୋକ ଜେନା ଏବଂ ରମେଶ ନାୟକ ଗୋଟିଏ ସଂସ୍ଥାରେ କାମ କରୁଥିଲେ । ରମେଶ ଆଲୋକଙ୍କ ଘରକୁ ଯିବାଆସିବା କରିନ୍ତି । ଏହା ଭିତରେ ଆଲୋକଙ୍କ ପତ୍ନୀ ସନ୍ଧ୍ୟାଙ୍କ ସହ ରମେଶଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଉଭୟଙ୍କ ମଧ୍ୟରେ ମୋବାଇଲରେ ଚାଟିଂଠାରୁ ଆରମ୍ଭ କରି ପ୍ରେମାଳାପ ଓ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ, ଭିଡ଼ିଓ ଆଦି ସନ୍ଧ୍ୟାଙ୍କ ମୋବାଇଲରେ ଥିଲା । ଏହା ଆଲୋକ ଜାଣିବା ପରେ ସନ୍ଧ୍ୟାଙ୍କଠାରୁ ଉକ୍ତ ମୋବାଇଲକୁ ଛଡ଼ାଇ ନେଇଥିଲେ । ଏହା ରମେଶ ଜାଣିବା ପରେ ଆଲୋକଙ୍କଠାରୁ ଉକ୍ତ ମୋବାଇଲ କେମିତି ଚୋରି କରି ସେଥିରେ ଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଅଡ଼ିଓ ଆଦିକୁ ନଷ୍ଟ କରିବେ ସେହି ଚିନ୍ତାରେ ଥିଲେ । ତେଣୁ ଆଲୋକଙ୍କ ବନ୍ଧୁ ଲିପୁନ ବେହେରାଙ୍କୁ ରମେଶ ୧୦ ହଜାର ଟଙ୍କା ସୁପାରି ଦେଇଥିଲେ । ଯେମିତି ହେଉ ଆଲୋକଙ୍କ ମୋବାଇଲ ଚୋରି କରି ତାଙ୍କୁ ଦେବା ପାଇଁ କହିଥିଲେ । ଗତ ୨୧ ତାରିଖରେ ଛତାବର ଛକ ନିକଟରେ ଆଲୋକଙ୍କୁ ତାଙ୍କ ବନ୍ଧୁ ଲିପୁନ ବେହେରା ସାକ୍ଷାତ କରିଥିଲେ । ରାତି ହୋଇ ଯାଇଥିବାରୁ ଲିପୁନ ତାଙ୍କୁ ହୋଟେଲରେ ରହିଯିବାକୁ ପ୍ଲାନ୍ କରି କହିଥିଲେ । ଆଲୋକ, ଲିପୁନ ଏବଂ ତାଙ୍କର ଅନ୍ୟଜଣେ ବନ୍ଧୁ ବଳରାମ ଦାସ ୩ ଜଣ ମିଶି ଭଗବାନପୁରରେ ଥିବା ହୋଟେଲ ତାଜ୍ ଇନ୍ରେ ରହିଥିଲେ । ସକାଳୁ ସକାଳୁ ଆଲୋକଙ୍କ ମୋବାଇଲ ଚୋରି ହୋଇଥିବା ଜାଣି ସେ ଖୋଜାଖୋଜି କରି ପାଇ ନଥିଲେ । ତେଣୁ ସେ ଏନେଇ ତମାଣ୍ଡୋ ଥାନାରେ ଅଭିଯୋଗ କରିଥିଲେ ।
ଲିପୁନ ବେହେରା, ଆଲୋକଙ୍କ ପତ୍ନୀ ସନ୍ଧ୍ୟା ଜେନା ଓ ରମେଶ ନାୟକ ଷଡ଼ଯନ୍ତ୍ରକରି ତାଙ୍କ ମୋବାଇଲ ଚୋରି କରିଥିବା ସେ ପୁଲିସ ନିକଟରେ କହିଥିଲେ । ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରୁ ଜଣାପଡ଼ିଥିଲା, ଲିପୁନ ସେଦିନ ଭୋର ସମୟରେ କାହାକୁ କିଛି ନ ଜଣାଇ ହୋଟେଲ ଛାଡ଼ି ପଳାଇ ଯାଇଥିଲେ । ତେଣୁ ପୁଲିସ ଲିପୁନଙ୍କୁ ଉଠାଇ ଆଣିଥିଲା । ଜେରା ବେଳେ ସେ ରମେଶ ନାୟକ ଏବଂ ସନ୍ଧ୍ୟା ଜେନାଙ୍କ ପ୍ରରୋଚନାରେ ଉକ୍ତ ମୋବାଇଲ ଚୋରି କରିଥିବା କହିଥିଲେ । ଉକ୍ତ ମୋବାଇଲରେ ସେମାନଙ୍କ କିଛି ଫଟୋ, ଅଡ଼ିଓ ଓ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ରହିଥିଲା । ତେଣୁ ସେମାନଙ୍କ କଥାରେ ପଡ଼ି ଲିପୁନ ମୋବାଇଲ ଚୋରି କରିବା ସହ କୋରିଅରରେ ଉତ୍ତରପ୍ରଦେଶରେ ରହୁଥିବା ତାଙ୍କର ଜଣେ ବନ୍ଧୁଙ୍କ ନିକଟକୁ ପଠାଇ ଦେଇଥିବା କହିଥିଲେ । ପୁଲିସ କୋରିଅର ରସିଦ ଓ ଅନ୍ୟାନ୍ୟ କାଗଜପତ୍ର ଜବତ କରିବା ସହ ଲିପୁନିଙ୍କୁ ଗିରଫ କରି ଆଜି କୋର୍ଟ ଚାଲଣ କରିଛି ।
ଅଧିକ ପଢନ୍ତୁ- Unknown Bag: ମହାପ୍ରଭୁଙ୍କ ସ୍ନାନଯାତ୍ରା ପୂର୍ବରୁ ଶ୍ରୀକ୍ଷେତ୍ରରେ ଆତଙ୍କ ଖେଳାଇଲା ଅଜଣା ବ୍ୟାଗ୍, ଯାଞ୍ଚ ପରେ ଜବତ କଲା ପୁଲିସ