Asteroid: ପୃଥିବୀରେ ମାଡ଼ ହୋଇଥିଲା ବିନାଶକାରୀ ଗ୍ରହାଣୁ, ରହସ୍ୟ ଖୋଲିଲା 'ଜିରକନ୍' ଖଣିଜ !

Jun 26, 2026 - 11:35
Asteroid: ପୃଥିବୀରେ ମାଡ଼ ହୋଇଥିଲା ବିନାଶକାରୀ ଗ୍ରହାଣୁ, ରହସ୍ୟ ଖୋଲିଲା 'ଜିରକନ୍' ଖଣିଜ !

ନୂଆଦିଲ୍ଲୀ, ୨୬।୬: ପ୍ରାୟ ୩୦୦ କୋଟି ବର୍ଷ ପୂର୍ବେ, ଜୀବଜନ୍ତୁ, ଜଙ୍ଗଲ, ଏପରିକି ଜଟିଳ ଜୀବନ ଆରମ୍ଭର ବହୁ ପୂର୍ବରୁ ଏକ ବିଶାଳ ଗ୍ରହାଣୁ ପ୍ରାରମ୍ଭିକ ପୃଥିବୀରେ ମାଡ଼ ହୋଇଥିଲା । ଏହି ସମୟରେ ପୃଥିବୀ ବର୍ତ୍ତମାନଠୁ ଖୁବ୍ ଭିନ୍ନ ଦିଶୁଥିଲା । ମହାଦେଶମାନେ ସେତେବେଳେ ଆକାର ନେଉଥିଲେ । ସେହି ସୁଦୂର ଯୁଗର ଅନେକ ପ୍ରମାଣ ସମୟ ସହିତ ଲିଭିଯାଇଛି । ପ୍ରାରମ୍ଭିକ ସମୟର ପଥର ତଳେ ଦବିଯାଇଛି କିମ୍ବା କୋଟି କୋଟି ବର୍ଷର ଉତ୍ତାପ ଓ ଚାପ ଦ୍ୱାରା ପରିବର୍ତ୍ତନ ହୋଇଛି । ସେଥିପାଇଁ ପଶ୍ଚିମ ଅଷ୍ଟ୍ରେଲିଆରେ ଏକ ପଥୁରିଆ ସ୍ଥାନ ଦୀର୍ଘ ଦଶନ୍ଧି ଧରି ଭୂବୈଜ୍ଞାନିକମାନଙ୍କର ଧ୍ୟାନ ଆକର୍ଷଣ କରିଆସୁଛି । ‘ନର୍ଥ ପୋଲ୍ ଡୋମ୍’ ନାମରେ ପରିଚିତ ଏହି ସ୍ଥାନ ଏକ ପ୍ରାଚୀନ ମହାଜାଗତିକ ପ୍ରଭାବର ଚିହ୍ନକୁ ସାଇତି ରଖିଥିବା ଦୀର୍ଘ ସମୟ ଧରି ଅନୁମାନ କରାଯାଉଛି । ଏହି ଘଟଣାର ସଙ୍କେତ ଖୋଜିବା କଦାପି ଆହ୍ୱାନ ନ ଥିଲା, ବରଂ ଏହା କେବେ ଘଟିଥିଲା, ତାହା ଚିହ୍ନଟ କରିବା ବାସ୍ତବରେ ଅତ୍ୟନ୍ତ କଷ୍ଟକର ଥିଲା ।

ଏକ ନୂଆ ଅଧ୍ୟୟନର ତଥ୍ୟ ଏ ଘଟଣାର ଏପର୍ଯ୍ୟନ୍ତର ସବୁଠୁ ସ୍ପଷ୍ଟ ଉତ୍ତର ବୋଲି ବୈଜ୍ଞାନିକଙ୍କ ବିଶ୍ୱାସ । କର୍ଟିନ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏହି ସଂରଚନାକୁ ବିଶ୍ୱର ସର୍ବପ୍ରାଚୀନ ଗ୍ରହାଣୁ ଗର୍ତ୍ତ ଭାବେ ସ୍ପଷ୍ଟ କରିଛନ୍ତି । ଏହି ପ୍ରଭାବ ପ୍ରାୟ ୩୦୦ କୋଟି ବର୍ଷ ତଳର, ଯାହା ଡାଇନୋସରଙ୍କ ବିଚରଣ ସମୟଠୁ ୧୦ ଗୁଣ ଅଧିକ ପ୍ରାଚୀନ । ଅଧ୍ୟୟନକର୍ତ୍ତା ପଶ୍ଚିମ ଅଷ୍ଟ୍ରେଲିଆର ପିଲବାରା ଅଞ୍ଚଳରେ ସ୍ଥିତ ନର୍ଥ ପୋଲ ଡୋମ୍ର ଶିଳାଗୁଡ଼ିକୁ ଅଧ୍ୟୟନ କଲେ । କର୍ଟିନ୍ର ସ୍କୁଲ ଅଫ୍ ଆର୍ଥ ଆଣ୍ଡ ପ୍ଲାନେଟାରୀ ସାଇନ୍ସେସ୍ ଓ ଜିଓଲୋଜିକାଲ ସର୍ଭେ ଅଫ୍ ୱେଷ୍ଟର୍ନ ଅଷ୍ଟ୍ରେଲିଆର ଗବେଷକମାନେ ଉନ୍ନତ ଖଣିଜ ଡେଟିଂ ଜରିଆରେ ଏକ ବିଶାଳ ଧକ୍କାର ପ୍ରମାଣ ପାଇଲେ । ଅଧ୍ୟୟନର ମୁଖ୍ୟ ଲେଖକ ପ୍ରଫେସର କ୍ରିସ କିର୍କଲାଣ୍ଡ କହିଛନ୍ତି, ଆବିଷ୍କାର ଦର୍ଶାଇଛି ଯେ କୋଟି କୋଟି ବର୍ଷ ପୂର୍ବେ ଜୀବଜଗତ ଆରମ୍ଭ ପୂର୍ବରୁ ବିଶାଳକାୟ ଗ୍ରହାଣୁ ପୃଥିବୀକୁ ଆକାର ପ୍ରଦାନ କରୁଥିଲେ । ଏହି ପ୍ରାରମ୍ଭିକ ପ୍ରଭାବ ପୃଥିବୀର ମହାଦେଶଗୁଡ଼ିକର ସୃଷ୍ଟି ଓ ଏହାର ପୃଷ୍ଠ ପରିବର୍ତ୍ତନରେ ବୋଧହୁଏ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି ।

ପୂର୍ବରୁ ଏହି ସ୍ଥାନକୁ ପ୍ରାଚୀନ ଘଟଣା ଜନିତ ଢାଞ୍ଚା ରୂପେ ଚିହ୍ନଟ କରାଯାଇଥିଲେ ହେଁ, ଏହାର ପ୍ରକୃତ ସମୟ ବିଷୟରେ କାହାର ଧାରଣା ନ ଥିଲା । ଏହି ପ୍ରଭାବ ଉକ୍ତ ସ୍ଥାନରେ ‘ଖଣିଜ ଘଡ଼ି’ ଛାଡ଼ିଥିଲା । କ୍ଷତିଗ୍ରସ୍ତ ପଥରରେ ନୂଆକରି ବୃଦ୍ଧି ହୋଇଥିବା କିମ୍ବା ପୁନଃପ୍ରସ୍ତୁତ ଖଣିଜଗୁଡ଼ିକର ସମୟ ନିର୍ଦ୍ଧାରଣ କରି ଏହି ଘଟଣା କେବେ ଘଟିଥିଲା, ତା’ର ପ୍ରକୃତ ସମୟ ବିଷୟରେ ଆମେ ଜାଣିପାରିବା ବୋଲି କିର୍କଲାଣ୍ଡ କହିଛନ୍ତି । ଜିରକନ୍ ନାମକ ଏକ ଛୋଟ କିନ୍ତୁ ଅସାଧାରଣ ରୂପେ ମଜଭୁତ ଖଣିଜରୁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ସେମାନେ ପାଇଲେ । ଏହି ଖଣିଜ କୋଟି କୋଟି ବର୍ଷ ତଳର ଭୌଗୋଳିକ ସମୟକୁ ସାଇତି ରଖିପାରେ । ନର୍ଥ ପୋଲ ଡୋମ୍ରେ କିଛି ଜିରକନ୍ରେ କଙ୍କାଳ ଆକୃତିର ଅସାଧାରଣ ଶାଖା ରହିଛି । ଧକ୍କାର ପ୍ରଭାବରେ ପୁରୁଣା ଜିରକନ୍ ସ୍ଫଟିକରେ ରୂପାନ୍ତରିତ ହୋଇଥିଲା ଏବଂ ଭୀଷଣ ଉତ୍ତାପ ସମୟରେ ଏଗୁଡ଼ିକର ପୁନଃ ବୃଦ୍ଧି ହୋଇଥିଲା । ଏହି ଜିରକନ୍ ସ୍ଫଟିକ ପ୍ରାୟ ୩୦୦ କୋଟି ବର୍ଷ ପୂର୍ବର ଏକ ଘଟଣାକୁ ରେକର୍ଡ କରିଛି ବୋଲି କିର୍କଲାଣ୍ଡ କହିଛନ୍ତି ।

ଏହା ବି ପଢ଼ନ୍ତୁ... El Nino: ମାଡ଼ି ଆସୁଛି 'ଏଲ୍ ନିନୋ' ପ୍ରଭାବ ! ସଙ୍କଟରେ ଓଡ଼ିଶା ସମେତ ୩୧୫ ଜିଲ୍ଲା, ଖରିଫ୍ ଚାଷ ବଞ୍ଚାଇବାକୁ ନିର୍ଦ୍ଦେଶ

ଫଳାଫଳକୁ ସ୍ପଷ୍ଟ କରିବା ପାଇଁ ଗବେଷକମାନେ ଆପାଟାଇଟ୍ ନାମକ ଆଉ ଏକ ଖଣିଜକୁ ବିଶ୍ଳେଷଣ କଲେ । ପ୍ରଭାବ ଦ୍ୱାରା କ୍ଷତିଗ୍ରସ୍ତ ପଥର ମଧ୍ୟଦେଇ ଉତ୍ତପ୍ତ ତରଳ ଗତି କରିବା ଦ୍ୱାରା ଏହି ଖଣିଜ ସୃଷ୍ଟି ହୋଇଥିଲା । ଏହାର ସମୟ ନିର୍ଦ୍ଧାରଣ ପଦ୍ଧତି ମଧ୍ୟ ସମାନ ସମୟକୁ ଦର୍ଶାଇଲା । ଦୁଇଟି ଭିନ୍ନ ଭିନ୍ନ ଖଣିଜରୁ ସର୍ବପ୍ରାଚୀନ ଗ୍ରହାଣୁ ମାଡ଼ ଘଟଣାର ଚିହ୍ନ ଜଣାପଡ଼ିଲା । ଏହି ଆବିଷ୍କାର ନର୍ଥ ପୋଲ୍ ଡୋମ୍ ସଂରଚନାକୁ ପୃଥିବୀର ସର୍ବପ୍ରାଚୀନ ଜ୍ଞାତ ଗ୍ରହାଣୁ ପ୍ରଭାବ ଜନିତ ଗର୍ତ୍ତ ରୂପେ ଦର୍ଶାଇଛି । ଏହା ଆର୍କିଆନ ଇଅନ୍ର ଏକମାତ୍ର ମାନ୍ୟତାପ୍ରାପ୍ତ ଉଦାହରଣ । ଏହା ସେହି ସମୟ ଯେତେବେଳେ ପୃଥିବୀରେ ସର୍ବପ୍ରଥମ ମହାଦେଶ ହେଉଥିଲେ । ପ୍ରାଚୀନ ପ୍ରଭାବ ଜନିତ ଗର୍ତ୍ତଗୁଡ଼ିକର ସମୟ ନିର୍ଦ୍ଧାରଣ କରିବା ଅତ୍ୟନ୍ତ କଷ୍ଟକର । କୋଟି କୋଟି ବର୍ଷ ଧରି ଉତ୍ତାପ, ଚାପ ଓ ତରଳ ସଂସ୍ପର୍ଶରେ ଆସି ପଥରଗୁଡ଼ିକରେ ପରିବର୍ତ୍ତନ ଆସିଥାଏ । ଏହା ମୂଳ ପ୍ରଭାବ ସଙ୍କେତକୁ ଲୁଚାଇ ଦେଇପାରେ କିମ୍ବା ନୂଆ ରୂପ ପ୍ରଦାନ କରିପାରେ । ସଦ୍ୟ ଅଧ୍ୟୟନରେ ବୈଜ୍ଞାନିକମାନେ ଏହି ସଂରଚନାର ଭୌଗୋଳିକ ଇତିହାସଠୁ ପ୍ରାଚୀନ ଗ୍ରହାଣୁ ପ୍ରଭାବର ସମୟକୁ ଅଲଗା କରିବାରେ ସକ୍ଷମ ହୋଇଛନ୍ତି ।