BJD News: ଆଗକୁ ଜୋରଦାର ହେବ ବିଜେଡ଼ି ସାଂଗଠନିକ କାର୍ଯ୍ୟକ୍ରମ,ଓଡ଼ିଶା ସାରା ବୁଲିବେ ସୁଜତା, ନେତା, କର୍ମୀ ଓ ସାଧାରଣ ଲୋକଙ୍କ ସହ ମିଶିବେ
ଭୁବନେଶ୍ୱର,୩୦/୦୬: ସୁଜାତା ରାଉତ ବିଜେଡିରେ ଯୋଗ ଦେବା ପରେ ଦଳରେ କର୍ମୀଙ୍କ ଆତ୍ମବିଶ୍ୱାସ ଓ ଉତ୍ସାହ ବଢ଼ିଛି । ପ୍ରତିଦିନ ସୁଜାତାଙ୍କୁ ଭେଟିବାକୁ ଶଙ୍ଖ ଭବନରେ ନେତା, କର୍ମୀଙ୍କ ଭିଡ଼ ବଢ଼ୁଛି । ଏହା ଭିତରେ ଦଳର ସାଂଗଠନିକ କାର୍ଯ୍ୟକ୍ରମକୁ ଜୋରଦାର କରିବାକୁ ରଣନୀତି ପ୍ରସ୍ତୁତ ହୋଇଛି । ଦଳ ପକ୍ଷରୁ ଆଗାମୀଦିନରେ ସୁଜାତା ସାରା ରାଜ୍ୟ ଗସ୍ତ କରିବେ । ପ୍ରତି ଜିଲ୍ଲାକୁ ଯାଇ ସିଧାସଳଖ ନେତା, କର୍ମୀ ଓ ସାଧାରଣ ଲୋକଙ୍କ ସହ ମିଶିବେ । ଦଳକୁ ମଜଭୁତ କରିବା ପାଇଁ ଯାହା ଆବଶ୍ୟକ ପଦକ୍ଷେପ ନେବେ ।
ସୋମବାର ସୁଜାତାଙ୍କୁ ଭେଟିବାକୁ କଟକ, ଭୁବନେଶ୍ୱର, ବ୍ରହ୍ମପୁର ସମେତ ବାଙ୍କୀ ନିର୍ବାଚନମଣ୍ଡଳୀରୁ ବହୁ ନେତା, କର୍ମୀଙ୍କ ସହ କିଛି ବରିଷ୍ଠ ନେତାମାନେ ମଧ୍ୟ ଶଙ୍ଖ ଭବନରେ ପହଞ୍ଚିଥିଲେ । ସୁଜାତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ବିଭିନ୍ନ ଅଞ୍ଚଳ ଗସ୍ତ କରିବାକୁ ନିବେଦନ କରିଥିଲେ । ନିର୍ବାଚନମଣ୍ଡଳୀର ସମସ୍ୟା ବାବଦରେ ଆଲୋଚନା ମଧ୍ୟ କରିଥିଲେ ।
ଅଧିକ ପଢ଼ନ୍ତୁ :- Crime News : ସୁଇମିଂ ପୁଲ୍ରେ ଗାଧୋଇବା ବେଳେ ବୁଡ଼ି ଗଲେ ଯୁବତୀ, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକ
ବିଜେଡି ନେତା ମନ୍ମଥ ରାଉତରାୟ କହିଛନ୍ତି, ଦଳର ସାଂଗଠନିକ କାର୍ଯ୍ୟକ୍ରମ ଆଗକୁ ଜୋରଦାର ହେବ । ସୁଜାତା ରାଉତଙ୍କୁ ନେଇ ଦଳୀୟ କର୍ମୀଙ୍କ ଆତ୍ମବିଶ୍ୱାସ ବଢ଼ିଛି । ସେ ଏଣିକି ଶଙ୍ଖ ଭବନରେ ସପ୍ତାହରେ ଅନ୍ୟୁନ ୨ ଦିନ ସମସ୍ତଙ୍କୁ ଭେଟିବେ । ଯିଏ ଯାହା ସମସ୍ୟା ଅଛିି, ସେ ବାବଦରେ ତାଙ୍କ ସହ ଆଲୋଚନା କରିପାରେ । ଏହାବାଦ୍ ଆଗକୁ ସେ ସାରା ଓଡ଼ିଶା ବୁଲିବେ । ପଞ୍ଚାୟତ ଏବଂ ୱାର୍ଡସ୍ତରକୁ ଯାଇ ସାଂଗଠନିକ କାର୍ଯ୍ୟକ୍ରମକୁ ଜୋରଦାର କରିବେ ।
ସୁବାସ ସିଂହ କହିଛନ୍ତି, ସୁଜାତାଙ୍କ ଆଗମନ ଯୋଗୁ ମହିଳାମାନେ ଅଧିକ ସଂଖ୍ୟାରେ ବିଜେଡି ସହ ଯୋଡ଼ି ହେବେ । ବିଜେଡିରେ ନୂଆ ଆତ୍ମବିଶ୍ୱାସ ଆସିଛି । ଦଳ ଆହୁରି ମଜଭୁତ ହେବ ।