30 JUNE 2026

Welcome!

Unlock your personalized experience.
Sign Up

Jharaphula Death Case Verdict: ପାଞ୍ଚ ବର୍ଷ ପରେ ରମାଦେବୀ ଛାତ୍ରୀ ଝରାଫୁଲଙ୍କୁ ମିଳିଲା ନ୍ୟାୟ, ରାୟ ପ୍ରକାଶ ପରେ କାନ୍ଦିଲେ ବାପା-ମା’

Jun 30, 2026 - 11:27
Jharaphula Death Case Verdict: ପାଞ୍ଚ ବର୍ଷ ପରେ ରମାଦେବୀ ଛାତ୍ରୀ ଝରାଫୁଲଙ୍କୁ ମିଳିଲା ନ୍ୟାୟ, ରାୟ ପ୍ରକାଶ ପରେ କାନ୍ଦିଲେ ବାପା-ମା’

ଯାଜପୁର,୩୦/୦୬ ବହୁ ଚର୍ଚ୍ଚିତ ରମାଦେବୀ ମହାବିଦ୍ୟାଳୟର ମେଧାବୀ ଛାତ୍ରୀ ଝରାଫୁଲ ହତ୍ୟାକାଣ୍ଡର ରାୟ ପାଞ୍ଚ ବର୍ଷ ପରେ ପ୍ରକାଶ ପାଇଛି । ଧାରଟଙ୍କାକୁ କେନ୍ଦ୍ର କରି ୨୦୨୧ ଜାନୁଆରୀ ୨୬ତାରିଖରେ ଝରାଫୁଲକୁ ଭୁବନେଶ୍ୱର ସ୍ଥିତ ଏକ ଗେଷ୍ଟହାଉସ୍‌ରେ ଶ୍ୱାସରୁଦ୍ଧ କରି ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଝରାଫୁଲର ପୁରୁଷ ବନ୍ଧୁ ରାକେଶ ସ୍ୱାଇଁ, ସହଯୋଗୀ ଅମରେଶ ରାଉତ(୨୪) ଓ ଶକ୍ତିଶେଖର ସ୍ୱାଇଁକୁ ଯାଜପୁର ଓ କମିଶନରେଟ୍ ପୁଲିସ ଭୁବନେଶ୍ୱରରୁ ଗିରଫ କରିଥିଲେ । ଆଜି ଯାଜପୁର ସ୍ଥିତ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ଙ୍କ  କୋର୍ଟରେ ଏହାର ଶୁଣାଣି କରାଯାଇ ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି ମୁଖ୍ୟ ଅଭିଯୁକ୍ତକୁ ଆଜୀବନ ଜେଲ୍ ଓ ସହଯୋଗୀ ଅମରେଶ ରାଉତକୁ ୫ବର୍ଷ ଜେଲ୍ ଦଣ୍ଡ ହୋଇଛି।

ରାୟ ପ୍ରକାଶ ପରେ କାନ୍ଦିଲେ ବାପା-ମା’

ମୋ ଝିଅକୁ  ଉଚିତ୍ ନ୍ୟାୟ ମିଳିଛି । ତା’ ଆତ୍ମାକୁ ଶାନ୍ତି ମିଳିବ ବୋଲି କୋହଭରା କଣ୍ଠରେ ଝରାଫୁଲଙ୍କ ମା’ ଯମୁନା ନାୟକ କହିଛନ୍ତି । ସୋମବାର ରାୟ ପ୍ରକାଶ ପରେ ଝରାଫୁଲଙ୍କ ମା’ ଯମୁନା ଓ ବାପା ରମାକାନ୍ତଙ୍କ ଆଖିରୁ ଲୁହ ବାହାରି ଆସିଥିଲା । ରାକେଶ ମୋ ଝିଅକୁ ଯେମିତି କଲବଲ କରି ମାରିଥିଲା ତାକୁ ଫାଶୀ ମିଳିବା କଥା । କିନ୍ତୁ ଫାଶୀ ନମିଳି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଏହି ଦଣ୍ଡ ଶୁଣି ଆମକୁ ଟିକେ ଆଶ୍ୱସ୍ତି ମିଳିଛି । ମୋ ଝିଅକୁ ବହୁତ କଷ୍ଟରେ ଭୁବନେଶ୍ୱରରେ ପାଠ ପଢ଼ାଉଥିଲି । ତାକୁ ଭଲ ମଣିଷ କରିବି ବୋଲି ସ୍ୱପ୍ନ ଦେଖିଥିଲି । କିନ୍ତୁ ମୋର ସବୁ ଆଶା ମଉଳି ଗଲା । ଝିଅ ଝରାଫୁଲ ରାକେଶକୁ ଭଲ ପାଉଥିଲା ବୋଲି କେବେ ଆମକୁ ଜଣାଇନଥିଲା । ଆମେ ତାର ପ୍ରେମ ସମ୍ପର୍କ କେବଳ ଝିଅ ମରିବା ପରେ ଜାଣିବାକୁ ପାଇଥିଲୁ । ରାକେଶକୁ ଆଜୀବନ କାରାଦଣ୍ଡ ହୋଇଥିବାରୁ ମୋ ଝିଅ ଝରାଫୁଲର ଆତ୍ମା ଶାନ୍ତି ପାଇବା ସହ ତା’ ଆତ୍ମାର ସଦ୍ଗତି ହେଉ ବୋଲି ମା’ କୋହଭରା କଣ୍ଠରେ କହିଥିଲେ ।

ଦିନରାତି ଏକ କରିଥିଲା ପୁଲିସ

ବହୁ ଚର୍ଚ୍ଚିତ ଝରାଫୁଲ ହତ୍ୟାକାଣ୍ଡର ଆଜି ରାୟ ପ୍ରକାଶ ପାଇଛି । ଦୋଷୀଙ୍କୁ ଦଣ୍ଡ ମିଳିଥିବାରୁ ଯାଜପୁର ପୁଲିସ ପକ୍ଷରୁ ଟାଉନ ଥାନା ପରିସରରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶୀତିକଣ୍ଠ କାନୁନଗୋ, କୁଆଖିଆ ଥାନାଧିକାରୀ ସୁଶାନ୍ତ ସେଠୀ ଏକ ସାମ୍ବାଦିକ ସମ୍ମିଳନୀରେ ଖୁସିବ୍ୟକ୍ତ କରିଛନ୍ତି । ଏହି ହତ୍ୟାକାଣ୍ଡ ବହୁତ ରହସ୍ୟମୟ ଥିବାରୁ ଯାଜପୁର ପୁଲିସ ପାଇଁ ଅଭିଯୁକ୍ତ ନିକଟରେ ପହଞ୍ଚିବା ସହଜ ନଥିବା ପ୍ରକାଶ କରିଥିଲେ । ଏଥିରେ ପୁଲିସ ଦିନରାତି ଏକ କରି ଦେଇଥିଲା । ଯାହାର ସଫଳତା ଆଜି ପୁଲିସକୁ ମିଳିଛି । ଝରାଫୁଲର ମୃତଦେହ ମିଳିବା ପରେ ଘଟଣା ଉପରୁ ରହସ୍ୟ ହଟାଇବାକୁ ପୁଲିସ ଲାଗି ପଡ଼ିଥିଲା । ତତ୍କାଳୀନ ଏସ୍‌ପି ଏଥିରେ ସ୍ୱତନ୍ତ୍ର ଦୃଷ୍ଟି ଦେଇଥିଲେ । ଯାଜପୁର ପୁଲିସ, ଏୟାରଫିଲ୍ଡ ପୁଲିସ ସହାୟତାରେ ଅଭିଯୁକ୍ତମାନଙ୍କୁ ଧରି କୁଆଖିଆ ଥାନାରେ କେସ୍ ନଂ.୩୨/୨୧, ଆଇପିସିର ଧାରା ୩୦୨, ୨୦୧, ୩୪ ସମେତ ୩(୧)(ଆର୍)/୩(୨)(ଭି) ଆକ୍ଟ ରୁଜୁ ହୋଇ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ।

ଅଧିକ ପଢ଼ନ୍ତୁ :-  ବସ୍ ଭିତରେ ଚାଲିଛି ମଦ ଆସର, ମଦୁଆଙ୍କ ପାଇଁ ନିରାପଦ ସ୍ଥାନ ପାଲଟିଛି OSRTC ବସ୍ !

ଶ୍ୱାସରୁଦ୍ଧ କରି ହତ୍ୟା

ଜନ୍ମଦିନ ପାର୍ଟିରେ ଯୋଗଦେବାକୁ ଆସି ଘରକୁ ଫେରୁଥିବା ଝରାଫୁଲ ବାଣୀବିହାରରେ ବସ୍‌ରୁ ଓହ୍ଲାଇ ରାକେଶକୁ ଟଙ୍କା ମାଗିଥିଲା । ରାକେଶ ଝରାଫୁଲକୁ ଗେଷ୍ଟ ହାଉସ୍ରେ ରଖିବା ପାଇଁ ଭୁବନେଶ୍ୱର ସୁନ୍ଦରପଦା ତଳସାହି ଗ୍ରାମର ଦୁର୍ଗା ଚରଣ ରାଉତଙ୍କ ପୁଅ ଅମରେଶ ରାଉତ(୨୪) ସହ ଯୋଗାଯୋଗ କରିଥିଲା । ଅମରେଶ ଧର୍ମବିହାରସ୍ଥିତ ଶିବ ସାଇ ଗେଷ୍ଟ ହାଉସ୍କୁ ରଖିବା ପାଇଁ ସମସ୍ତ ବ୍ୟବସ୍ଥା କରିଥିଲା । ଏହି ଅନୁସାରେ ରାକେଶ ବାଣୀବିହାରରେ ପହଞ୍ଚି ଝରାଫୁଲକୁ ବାଇକ୍ରେ ବସାଇ ଗେଷ୍ଟ ହାଉସ୍କୁ ନେଇଥିଲା । ଟଙ୍କା ପାଇଁ ଏଠାରେ କିଛି ସମୟ ଅପେକ୍ଷା କରିବା ପାଇଁ ଝରାଫୁଲକୁ ରାକେଶ କହିଥିଲା । ଉଭୟ ଗେଷ୍ଟ ହାଉସ୍ର ୨୦୧ନଂ ରୁମରେ ରହିଥିଲେ । ଗେଷ୍ଟ ହାଉସ୍ରେ ଝରାଫୁଲକୁ ରାକେଶ ତକିଆ ପକାଇ ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲା ।

ଧାର ଟଙ୍କା ମାଗିବାରୁ ହତ୍ୟା ଷଡ଼ଯନ୍ତ୍ର

ରମାଦେବୀ ଛାତ୍ରୀ ଝରାଫୁଲ ନାୟକ(୨୧)ଙ୍କ ନିକଟରୁ ପୁରୁଷ ବନ୍ଧୁ ରାକେଶ ସ୍ୱାଇଁ(୨୫) ୩୦ହଜାରରୁ ଅଧିକ ଟଙ୍କା ଧାର ନେଇଥିଲା । ଏହି ଟଙ୍କାରେ ରାକେଶ ଏକ ମୋଟରସାଇକେଲ୍ କିଣିଥିଲା । କିଛି ଦିନ ପରେ ଟଙ୍କା ଫେରାଇବା ପାଇଁ ରାକେଶ ଉପରେ ଝରାଫୁଲ ଚାପ ପକାଇଥିଲା । ଟଙ୍କା ଫେରାଇବାରେ ବିଳମ୍ବ ହେବାରୁ ଝରାଫୁଲ ବିରକ୍ତି ପ୍ରକାଶ କରିବା ସହିତ ଟଙ୍କା ନଦେଲେ ରାକେଶ ଘରେ ପହଞ୍ଚି ତାଙ୍କ ବାପା ଓ ମାଆକୁ ଘଟଣା ସଂପର୍କରେ କହି ଟଙ୍କା ଆଣିବ ବୋଲି ଧମକ ଦେଇଥିଲା । ଯାହାକୁ ନେଇ ରାକେଶ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲା । ଟଙ୍କା ନଶୁଝି ଏହି ଘଟଣାର ସମାଧାନ କରିବା ପାଇଁ ରାକେଶ ମୁଣ୍ଡକୁ ଦୁଷ୍ଟ ବୁଦ୍ଧି ଜୁଟିଥିଲା । ଏଥି ପାଇଁ ସେ ଝରାଫୁଲକୁ ହତ୍ୟା କରିବାକୁ ଯୋଜନା କରିଥିଲା ।

ସାତକୋଶିଆ ଜଙ୍ଗଲକୁ ନେଉଥିଲେ ମୃତଦେହ

ହତ୍ୟା ପରେ ପରଦିନ ଭୋର ସମୟରେ ଝରାଫୁଲର ମୃତ ଦେହକୁ ହିଟୋ ଡେନ୍ସିଟି ସ୍କୁଟର(ଓଡି ୦୨ ବିପି ୭୮୮୫) ରେ ମୟୂରଭଞ୍ଜ ଜିଲ୍ଲା ସାତକୋଶିଆ ଜଙ୍ଗଲରେ ଫୋପାଡ଼ିବାକୁ ରାକେଶ ଓ ସହଯୋଗୀ ନେଉଥିଲେ । ବାଟରେ ସାକ୍ଷୀ ଦିବ୍ୟସିଂହ ମଲ୍ଲିକ ପଚାରିବାରୁ ସେମାନେ କୁଆଖିଆ ଥାନାର ମୂଳାପାଳ ରାଜେନ୍ଦ୍ରପୁର ରାସ୍ତା କଡ଼ରେ ଫୋପାଡ଼ି ଦେଇଥିଲେ । ଖବର ପାଇ କୁଆଖିଆ ପୁଲିସ ପହଞ୍ଚି ମୃତଦେହ ଜବତ କରି କୁଆଖିଆ ଥାନା ପୁଲିସ ତନାଘନା ଆରମ୍ଭ କରି ଦେଇଥିଲା ।

ବନ୍ଧୁକ ବେପାର କରୁଥିଲା ଅମରେଶ

ରାକେଶର ସହଯୋଗୀ ସୁନ୍ଦରପଦାର ଅମରେଶ ରାଉତ ଓରଫ କାହ୍ନା ଚଳିତ ବର୍ଷ ଏପ୍ରିଲ ପହିଲାରେ ବନ୍ଧୁକ ବେପାର ଅଭଯୋଗରେ ଗିରଫ ହୋଇଥିଲା । କମିସନରେଟ୍ ପୁଲିସ୍ ତା’ଠାରୁ ୨ଟି ମେସି ଅଟୋମେଟିକ୍ ବନ୍ଧୁକ ଜବତ କରିଥିଲା । ଝରାଫୁଲ ହତ୍ୟା ମାମଲାରେ ଜେଲ୍ ଯିବା ପୂର୍ବରୁ ଅମରେଶ ଜମି ବେପାର କରୁଥିଲା । ଜେଲରୁ ଫେରିବା ପରେ ଜମି ବେପାର କମିଥିଲା । ଏହାପରେ ସେ ବନ୍ଧୁକ ବେପାରରେ ମୁଣ୍ଡ ପୂରାଇଥିଲା । ଯାଜପୁର ଜେଲ୍ରେ ଥିବା ସମୟରେ କିଛି ବନ୍ଧୁକ ବେପାରୀ ଓ ରାଜ୍ୟ ବାହାର ମାଫିଆଙ୍କ ସହ ତାର ପରିଚିତ ହୋଇଥିଲା । ସେମାନଙ୍କ ମାଧ୍ୟରେ ରାଜ୍ୟ ବହାରୁ ବନ୍ଧୁକ ଆଣି ଭୁବନେଶ୍ୱର, ଖୋର୍ଦ୍ଧା, ପିପିଲି ଓ ଜଟଣୀ ଅଞ୍ଚଳରେ ବେପାର କରୁଥିଲା ।