ଓଡ଼ିଆ ଚଳଚ୍ଚିତ୍ର ‘ପଶାପାଲି’ର ଶୁଭ ମହୁରତ, ଶ୍ରୀମୟୀ ମିଶ୍ର ମୁଖ୍ୟ ନାୟିକା
ସାଲେପୁର, ୩୦/୦୬ : ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସାଲେପୁର ଜଗନ୍ନାଥ ମନ୍ଦିରଠାରେ ଓଡ଼ିଆ ଚଳଚ୍ଚିତ୍ର ‘ପଶାପାଲି’ର ଶୁଭ ମହୁରତ। ବିକଳାନନ୍ଦ କର ପ୍ରଡ୍କ୍ସନ୍ ବ୍ୟାନର୍ରେ ନିର୍ମିତ ହେବାକୁ ଥିବା ଏହି ଚଳଚ୍ଚିତ୍ରରେ ଶ୍ରୀମୟୀ ମିଶ୍ର ମୁଖ୍ୟ ନାୟିକା ଭାବେ ଅଭିନୟ କରୁଛନ୍ତି। ସଂଜୟ ନାୟକଙ୍କ ନିର୍ଦ୍ଦେଶନାରେ ଆରମ୍ଭ ହେବାକୁ ଥିବା ଚଳଚ୍ଚିତ୍ର‘ପଶାପାଲି’ର ପ୍ରଯୋଜକ ପ୍ରଶାନ୍ତ କୁମାର କର ରହିଥିବା ବେଳେ ମୁଖ୍ୟ ଉପଦେଷ୍ଟା ଭାବେ ଦିଲ୍ଲୀପ କୁମାର ଦାଶ ଦାୟିତ୍ୱ ନିର୍ବାହ କରୁଛନ୍ତି । ଏଥିରେ ଓଡ଼ିଶାର ବହୁ ବିଶିଷ୍ଟ କଳାକାର ଅଭିନୟ କରୁଥିବା ପ୍ରଯୋଜକ କହିଛନ୍ତି।
‘ପଶାପାଲି’ରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ମଳୟ ମିଶ୍ର । ଋତୁରାଜ, କ୍ରିଷ୍ଣା ବେହୁରା, ଇରା ମହାନ୍ତିଙ୍କ ଭଳି ସୁନାମଧନ୍ୟ କଣ୍ଠଶିଳ୍ପୀ କଣ୍ଠଦାନ କରିଥିବା ବେଳେ ଡ. ନିର୍ମଳ ନାୟକ ଗୀତ ରଚନା କରିଛନ୍ତି । ଅଭିନୟରେ ଶ୍ରୀମୟୀ, ପୃଥିରାଜ ନାୟକ, ଶୁଭ୍ରାଂଶୁ ନାୟକ, ଇତିଶ୍ରୀ, ରାଜଶ୍ରୀ ଓ ପ୍ରଥମ ଥର ପାଇଁ ଦୁଷ୍ମନ୍ତଙ୍କୁ ଖଳନାୟକ ଭୂମିକାରେ ଦର୍ଶକ ଦେଖିବେ। ରାଜନୈତିକ ପୃଷ୍ଠଭୂମି ଉପରେ ଆଧାରିତ ଏହି ଚଳଚ୍ଚିତ୍ରଟି ପ୍ରଶାନ୍ତ କୁମାର କରଙ୍କ ରଚିତ ପୁସ୍ତକ "ପରିକଳ୍ପନା' ଉପରେ ଆଧାରିତ । ଚଳଚ୍ଚିତ୍ର ମାଧ୍ୟମରେ ଦେଶର ଆର୍ଥିକ ଓ ସାମାଜିକ ପରିବର୍ତ୍ତନ କ୍ଷେତ୍ରରେ ପ୍ରୟାସ କରାଯାଇଛି । ଚଳଚ୍ଚିତ୍ରରେ କାହାଣୀକୁ ଦର୍ଶକ, ବୁଦ୍ଧିଜୀବୀ ତଥା ନେତୃମଣ୍ଡଳୀ ପସନ୍ଦ କରିବେ ବୋଲି ପ୍ରଯୋଜକ ଶ୍ରୀ କର ଆଶାପ୍ରକଟ କରିଛନ୍ତି ।
ପ୍ରଥମେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପୂଜାର୍ଚ୍ଚନା ପରେ ଚଳଚ୍ଚିତ୍ରର ଶୁଭ ମହୁରତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ମହୁରତ କାର୍ଯ୍ୟକ୍ରମରେ ଅଭିନେତ୍ରୀ ଶ୍ରୀମୟୀ ମିଶ୍ର, ପ୍ରଯୋଜକ ପ୍ରଶାନ୍ତ କୁମାର କର, ମୁଖ୍ୟ ଉପଦେଷ୍ଟା ଦିଲ୍ଲୀପ ଦାଶ, ନବକିଶୋର କର, ପ୍ରଦୀପ୍ତ କରଙ୍କ ସମେତ ବହୁ କଳାକାର ଉପସ୍ଥିତ ଥିଲେ । ଆସନ୍ତା ଗଣେଶ ପୂଜାରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବ ବୋଲି ନିର୍ଦ୍ଦେଶକ ସଂଜୟ ନାୟକ ସୂଚନା ଦେଇଛନ୍ତି।
ଆହୁରି ପଢନ୍ତୁ- ‘ସମ୍ପୂର୍ଣ୍ଣ ସଫଳତା ପାଇବାକୁ ସେ ଯୋଗ୍ୟ’…’ଓ୍ବେଲକମ୍ ଟୁ ଦ ଜଙ୍ଗଲ’ ପାଇଁ ଅକ୍ଷୟଙ୍କୁ ପ୍ରଂଶସାରେ ପୋତି ପକାଇଲେ ରବିନା ଟଣ୍ଡନ୍…