05 AUGUST 2026

Welcome!

Unlock your personalized experience.
Sign Up

ସଚିବସ୍ତରୀୟ ବୈଠକ  : ବନ୍ୟା ପରବର୍ତ୍ତୀ କ୍ଷୟକ୍ଷତି ଆକଳନ, ଘାଇ ମରାମତି ଓ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ

Aug 04, 2026 - 22:12
ସଚିବସ୍ତରୀୟ ବୈଠକ  : ବନ୍ୟା ପରବର୍ତ୍ତୀ କ୍ଷୟକ୍ଷତି ଆକଳନ, ଘାଇ ମରାମତି ଓ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ

ଭୁବନେଶ୍ୱର, ୪।୮:  ବନ୍ୟା ପାଣି ଛାଡ଼ିବା ପରେ ମରାମତି ଏବଂ ପୁନଃରୁଦ୍ଧାର କାମ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ।  ବିଶେଷ କରି ସ୍ୱାସ୍ଥ୍ୟ ସେବା ଏବଂ ପିଇବା ପାଣିକୁ ଫୋକସ ଦେଇଛନ୍ତି।  ଗ୍ରାଉଣ୍ଡରେ ଯଥେଷ୍ଟ ଡାକ୍ତରୀ ଟିମ ରଖିବାକୁ  ସଚିବସ୍ତରୀୟ  ବୈଠକରେ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

ବନ୍ୟା ପରବର୍ତ୍ତୀ କ୍ଷୟକ୍ଷତି ଆକଳନ, ରିଲିଫ୍,  ପୁନରୁଦ୍ଧାର, ଜଳ ନିଷ୍କାସନ, ଘାଇ ମରାମତି, ଥଇଥାନ ଓ ସ୍ୱାସ୍ଥ୍ୟସେବା ଆଦିକୁ ଗୁରୁତ୍ୱ ଦେଇ ତ୍ୱରିତ ପଦକ୍ଷେପ ନେବାକୁ  ସେ  ସଂପୃକ୍ତ ସଚିବମାନଙ୍କୁ ପରାମର୍ଶ ଦେଇଛନ୍ତି । ବୈଠକରେ ଗତ ୧୫ ଦିନ ମଧ୍ୟରେ ରାଜ୍ୟ ସରକାରଙ୍କ ଅନ୍ୟ ଉଲ୍ଲେଖନୀୟ କାର‌୍ୟ୍ୟ ସଂପର୍କରେ  ମଧ୍ୟ ମୁଖ୍ୟ ସଚିବ  ଆଲୋକପାତ କରିଥିଲେ ।

ବୈଠକରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୀବ କୁମାର ମିଶ୍ର ଗତ  ଜୁଲାଇ ମାସ ଶେଷ ସୁଦ୍ଧା ରାଜ୍ୟର ଆର୍ଥିକ ପ୍ରଦର୍ଶନ ସ୍ଥିତି ଉପସ୍ଥାପନ କରିଥିଲେ । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଏହି ସମୟ ମଧ୍ୟରେ  ବିଭିନ୍ନ ଉତ୍ସରୁ ରାଜସ୍ୱ ଆଦାୟ ବୃଦ୍ଧି ଘଟିଥିବା ବୈଠକରୁ ଜଣାଯାଇଛି ।  ଭିତ୍ତିଭୂମି କ୍ଷେତ୍ରରେ ପୁଞ୍ଜି ବ୍ୟୟ ଗତ ବର୍ଷ ତୁଳନାରେ ଏହି ସମୟ ସୁଦ୍ଧା ୨୦.୨ ପ୍ରତିଶତ  ବୃଦ୍ଧି ଘଟିଥିବା ବେଳେ  ସାମାଜିକ କ୍ଷେତ୍ରରେ ୧୬.୧ ପ୍ରତିଶତ ତୁଳନାତ୍ମକ ଭାବେ ବୃଦ୍ଧି ପାଇଛି ।  ବିଭିନ୍ନ ବିଭାଗର ଖର୍ଚ୍ଚ ସ୍ଥିତି ସମୀକ୍ଷା କରି ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ କାର୍ଯ୍ୟ କରି  ଖର୍ଚ୍ଚ ବୃଦ୍ଧି କରିବାକୁ ମୁଖ୍ୟ ସଚିବ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି  ।

ବିକଶିତ ଓଡ଼ିଶା ୨୦୩୬ ଓ  ୨୦୪୭ କୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାର ବିକାଶ କ୍ରମରେ ବୈଠକରେ  ଗଜପତିର ସାମଗ୍ରିକ ବିକାଶ ପରିପ୍ରେକ୍ଷୀରେ ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରଓ୍ୱାଲ  ଜିଲ୍ଲା ପାଇଁ ପ୍ରସ୍ତୁତ କରାଯାଇଥିବା ୨୫ ଟି ପ୍ରମୁଖ ପ୍ରକଳ୍ପର କାର୍ଯ୍ୟକାରିତା ନେଇ                   ବିସ୍ତୃତ ରୋଡ୍ ମ୍ୟାପ୍ ଉପସ୍ଥାପନ କରିଥିଲେ ।      ଜିଲ୍ଲାରେ ବିଭିନ୍ନ ପର‌୍ୟ୍ୟାୟରେ  ନିର୍ମାଣାଧିନ ଥିବା ମେଗା ପାନୀୟ ଜଳ ପ୍ରକଳ୍ପ ଆସନ୍ତା ବର୍ଷ ୨୦୨୭ ମଇ ମାସରୁ ଡିସେମ୍ବର ସୁଦ୍ଧା ସରିବା ସଂପର୍କରେ ଜିଲ୍ଲାପାଳ ଉପସ୍ଥାପନ କରିଥିଲେ ।  ଲୌହମୁକ୍ତ ନିରାପଦ ପାନୀୟ ଜଳ ଯୋଗାଗକୁ ସୁନିଶ୍ଚିତ କରିବା, ନୂଆଗାଁ ବ୍ୟାରେଜ ପ୍ରକଳ୍ପର ବିକାଶ କରି ଜଳସେଚନ ସାମର୍ଥ୍ୟ ବୃଦ୍ଧି,  ଛେଳିଗଡ଼ ଜଳସେଚନ ପ୍ରକଳ୍ପକୁ ଶୀଘ୍ର ସାରିବା, ଜାତୀୟ ରାଜପଥ-୩୨୬ ସଂପ୍ରସାରଣ ପ୍ରକଳ୍ପରେ ମୋହନା-କୋରାପୁଟ ଅର୍ଥନୈତିକ କରିଡରର ବିକାଶ, ପାରଳାଖେମୁଣ୍ଡି ବାଇପାସ ରୋଡ୍ ନିର୍ମାଣ, ନୂଆ ମହେନ୍ଦ୍ରତନୟା ସେତୁ ନିର୍ମାଣ, ଜିଲ୍ଲାରେ ଜନଜାତିଙ୍କ ବିକାଶ, ବିଭିନ୍ନ ଜୀବିକାନିର୍ବାହ କାର‌୍ୟ୍ୟକ୍ରମ, ଉଦ୍ୟାନ କୃଷି, ଖାଦ୍ୟ ପ୍ରକ୍ରିୟାକରଣକୁ ଗୁରୁତ୍ୱ ଦେଇ ବିଭିନ୍ନ ପ୍ରସ୍ତାବ ଜିଲ୍ଲାପାଳ ଉପସ୍ଥାପନ କରିଥିଲେ  ।

ଗଜପତି ଜିଲ୍ଲାରେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ଦକ୍ଷତା ବୃଦ୍ଧି ଓ ଉତ୍କୃଷ୍ଟ ପରୀକ୍ଷାଫଳ ହାସଲ ଲକ୍ଷ୍ୟରେ ‘ପ୍ରୟାସ ସୁପର–୩୦’କାର‌୍ୟ୍ୟକ୍ରମ ସଫଳତାର ସହ କାର‌୍ୟ୍ୟକାରୀ ହେଉଛି । ଏହି ପଦକ୍ଷେପ ମାଧ୍ୟମରେ ମନୋନୀତ ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ଶିକ୍ଷାଦାନ, ନିୟମିତ ମାର୍ଗଦର୍ଶନ ଓ ପରୀକ୍ଷାଭିତ୍ତିକ ପ୍ରସ୍ତୁତିର ସୁଯୋଗ ପ୍ରଦାନ କରାଯାଉଛି । ଏହାର ସକାରାତ୍ମକ ପରିଣାମ ସ୍ୱରୂପ ୨୦୨୫ ମସିହାର ହାଇସ୍କୁଲ ସାର୍ଟିଫିକେଟ୍(ମାଟ୍ରିକ ପରୀକ୍ଷା) ରେ ଜିଲ୍ଲାରେ  ୯୯.୩୫ ପ୍ରତିଶତ ପାସ୍ ହାର ହାସଲ   ହୋଇଛି  । । 'ଶିକ୍ଷା ପ୍ରଶାସନରେ ନବସୃଜନ ଓ ଉତ୍ତମ କାର‌୍ୟ୍ୟପଦ୍ଧତି ପାଇଁ ଗଜପତି ଜିଲ୍ଲା ନୂଆଦିଲ୍ଲୀସ୍ଥିତ ଜାତୀୟ ଶିକ୍ଷା ଯୋଜନା ଓ ପ୍ରଶାସନ ସଂସ୍ଥାନ (ଏନଆଇଇପିଏ) ପକ୍ଷରୁ ପାଇଁ ଜାତୀୟ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିବାରୁ ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ପ୍ରଶାସନର ପ୍ରୟାସକୁ ପ୍ରଶଂସା କରାଯାଇଥିଲା ।

ଏଥି ସହିତ ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଅଦ୍ୟାବଧି ନିଆଯାଇଥିବା ରାଜ୍ୟ  କ୍ୟାବିନେଟ୍ ବୈଠକର ନିଷ୍ପତ୍ତିସମୂହ ଓ ସେସବରୁ ରୂପାୟନ ସ୍ଥିତି ସଂପର୍କରେ ଗୁରୁତ୍ୱୋରାପ କରି ସମସ୍ତ ବିଭାଗୀୟ ସଚିବମାନଙ୍କୁ ଅନୁମୋଦିତ ପ୍ରସ୍ତାବଗୁଡ଼ିକର ସମୟବଦ୍ଧ କାର୍ଯ୍ୟାନ୍ବୟନନ, ନିୟମିତ ଫଲୋ-ଅପ୍ (ଅନୂସରଣ) ଓ ଅନୁପାଳନ  କିରବାକୁ  ନିର୍ଦ୍ଦେଶ ଦେଇଥିଲେ ।

ଉନ୍ନୟନ କମିଶନର ଶ୍ରୀ ସିଂହ ସରକାରୀ ଯୋଜନା ଓ କାର‌୍ୟ୍ୟକ୍ରମର ତଦାରଖ ଓ କାର୍ଯ୍ୟାନ୍ବୟନ ଅନୁଧ୍ୟାନ  ପାଇଁ  ସଚିବମାନଙ୍କ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମକୁ ଗୁରୁତ୍ୱଦେଇ  ଗତ ମାସରେ ଜିଲ୍ଲା ଗସ୍ତ କରିଥିବା ସଚିବ ତଥା ବରିଷ୍ଠ ଅଧିକାରୀମାନଙ୍କ ଗସ୍ତ ବିବରଣୀ ପ୍ରଦାନ କରିବାକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ବୈଠକରେ  ସାଇବର ଅପରାଧର ପ୍ରଭାବୀ ନିୟନ୍ତ୍ରଣ ଏବଂ ନିଶାମୁକ୍ତ ଅଭିଯାନର ସଫଳ କାର‌୍ୟ୍ୟାନ୍ୱୟନ ପାଇଁ ସମ୍ପୃକ୍ତ ସମସ୍ତ ବିଭାଗ ମଧ୍ୟରେ ସମନ୍ୱିତ ପଦକ୍ଷେପ, ବ୍ୟାପକ ଜନସଚେତନତା ସୃଷ୍ଟି ଏବଂ ନିୟମିତ ସମୀକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । 

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଂଜନ କୁମାର ସିଂ, ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମେତ ଅନ୍ୟ ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଏବଂ କମିଶନର ତଥା ଶାସନ ସଚିବମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

​​​​​​​ଆହୁରି ପଢନ୍ତୁ : ରାଷ୍ଟ୍ରପତିଙ୍କୁ ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପର କଳାକୃତି ଉପହାର ପ୍ରଦାନ କଲେ ରାଜ୍ୟପାଳ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।