04 AUGUST 2026

Welcome!

Unlock your personalized experience.
Sign Up

ପିଇବା ପାଇଁ ପାଣି ମାଗିଲେ, ଘରେ ପଶି ସୁନା ଅଳଙ୍କାର ଓ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

Aug 04, 2026 - 17:42
ପିଇବା ପାଇଁ ପାଣି ମାଗିଲେ, ଘରେ ପଶି ସୁନା ଅଳଙ୍କାର ଓ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ଭଦ୍ରକ, ୪।୮ : ପିଇବାକୁ ପାଣି ମାଗିଲେ। ପରେ ଘରେ ପଶି ବନ୍ଧୁକ ଓ ଛୁରୀ ଦେଖାଇ କଳାକନା ବୁଲାଇଲେ ଦୁର୍ବୃତ୍ତ।ଜଣେ ଅବସରପ୍ରାପ୍ତ ଅତିରିକ୍ତ ଶିକ୍ଷା ଅଧିକାରୀଙ୍କ ଘରେ ପଶି ନଗଦ ଟଙ୍କା ସହ ସୁନା ଅଳଙ୍କାର ଲୁଟି ନେଇଛନ୍ତି ତିନି ଜଣ ଦୁର୍ବୃତ୍ତ । ଏଭଳି ଏକ ଚାଞ୍ଚଲ୍ୟକର ଲୁଟ୍ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳରେ ।

ଧାମନଗର ଥାନା ଅଧୀନ ପାଇମହୁରା ଫୁଟ୍ ଓଭରବ୍ରିଜ୍ ନିକଟରେ ଥିବା ଅବସରପ୍ରାପ୍ତ ଅତିରିକ୍ତ ଶିକ୍ଷା ଅଧିକାରୀ ଶରତ ଚନ୍ଦ୍ର ବାରିକଙ୍କ ଘରକୁ ତିନି ଜଣ ଯୁବକ ପ୍ରଥମେ ପାଣି ମାଗିଥିଲେ। ପରିବାର ଲୋକେ ପାଣି ଆଣିବାକୁ ଯିବା ସମୟରେ ସେମାନେ ଜବରଦସ୍ତି ଘର ଭିତରକୁ ପଶି କବାଟ ବନ୍ଦ କରିଦେଇଥିଲେ।

ଏହା ପରେ ଦୁର୍ବୃତ୍ତମାନେ ବନ୍ଧୁକ ଓ ଛୁରୀ ଦେଖାଇ ଶରତ ବାରିକଙ୍କ ପତ୍ନୀ ଓ ଭାଇଙ୍କୁ ଧମକ ଦେଇ ସୁନା ଅଳଙ୍କାର ରଖାଯାଇଥିବା ବାକ୍ସ ଦେଖାଇବାକୁ ବାଧ୍ୟ କରିଥିଲେ। ଆଉ ସେଥରେ ଥିବା ୩ ହଳ କାନଫୁଲ, ୨ଟି ହାର, ୩ଟି ମୁଦି, ୧ଟି ସାଙ୍ଖି, ୨ଟି ମଙ୍ଗଳସୂତ୍ର ସହ ନଗଦ ୪୦ ହଜାର ଟଙ୍କା ଲୁଟି ଫେରାର ହୋଇଯାଇଥିଲେ। ଖବର ପାଇ ଧାମନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ବୃତ୍ତମାନେ ହେଲମେଟ୍ ଓ ରେନକୋଟ୍ ପିନ୍ଧିଥିବାରୁ ସେମାନଙ୍କ ପରିଚୟ ସ୍ପଷ୍ଟ ହୋଇନାହିଁ। ପୁଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି ।

ଆହୁରି ପଢନ୍ତୁ : ବିଲରେ ଧାନ ତଳି ରୋଉଥିଲେ, ବଜ୍ରପାତରେ ଚାଲିଗଲା ଜୀବନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।