China Bangladesh defense : ‘ଚିକେନ୍ ନେକ୍ ’ ଘେରିବାକୁ ଡ୍ରାଗନର ବଡ଼ ଚାଲ୍ ! ବାଂଲାଦେଶକୁ ଚୀନ ଦେବ J-10CE ଫାଇଟର ଜେଟ୍
ନୂଆଦିଲ୍ଲୀ - ଶେଖ୍ ହସିନା କ୍ଷମତାରୁ ହଟିବା ପରେ ଭାରତ ଓ ବାଂଲାଦେଶ ସମ୍ପର୍କରେ ଯେଉଁ ତିକ୍ତତା ଆରମ୍ଭ ହୋଇ ଥିଲା, ତାହା ଥମିବାର ନାଁ ନେଉ ନାହିଁ। ମହମ୍ମଦ ୟୁନୁସଙ୍କ ଅନ୍ତରୀଣ ସରକାର ପରେ ତାରିକ୍ ରେହମାନଙ୍କ ସମୟରେ ମଧ୍ୟ ପରିସ୍ଥିତିରେ ବିଶେଷ ସୁଧାର ଆସି ପାରି ନାହିଁ। ଯଦିଓ ଆରମ୍ଭରେ କିଛିଟା ସକାରାତ୍ମକତା ଦେଖା ଯାଇ ଥିଲା, କିନ୍ତୁ ଶେଷରେ ଢାକା ଚୀନର କୂଟନୈତିକ ଏବଂ ଅର୍ଥନୈତିକ ଜାଲରେ ଛନ୍ଦି ହୋଇ ଯାଇଛି। ଏବେ ଚୀନ୍ ନିବେଶ ବାହାନାରେ ବାଂଲାଦେଶକୁ ନିଜର J-10CE ମଲ୍ଟିରୋଲ୍ ଲଢ଼ୁଆ ବିମାନ ବିକ୍ରି କରିବାକୁ ଯାଉଛି। ଭାରତୀୟ ପ୍ରତିରକ୍ଷା ବିଶେଷଜ୍ଞଙ୍କ ନଜରରେ ଏହି ଚୁକ୍ତି କେବଳ ଅସ୍ତ୍ରଶସ୍ତ୍ର କିଣାବିକା ନୁହେଁ, ବରଂ ଦକ୍ଷିଣ ଏସିଆର ଆକାଶମାର୍ଗୀୟ ଶକ୍ତିର ସନ୍ତୁଳନକୁ ବିଗାଡ଼ିବା ପାଇଁ ଏକ ବଡ଼ ରଣନୈତିକ ଚାଲ୍।
ସୂତ୍ର ମୁତାବିକ , ଏହା ପ୍ରାୟ ୨.୨ ଅରବ ଡଲାର (ପ୍ରାୟ ୧୮ ହଜାର କୋଟି ଟଙ୍କା)ର ଏକ ସରକାରୀ ଚୁକ୍ତିନାମା। ଏଥିରେ କେବଳ ୨୪ଟି ଫାଇଟର ଜେଟର ସପ୍ଲାଇ ସାମିଲ ନାହିଁ, ବରଂ ୨୦୩୫-୩୬ ପର୍ଯ୍ୟନ୍ତ ଏକ ଦୀର୍ଘକାଳୀନ ପ୍ୟାକେଜ୍ ଦିଆଯାଉଛି, ଯେଉଁଥିରେ , ବାଂଲାଦେଶୀ ପାଇଲଟଙ୍କ ଟ୍ରେନିଂ, ବିମାନଗୁଡ଼ିକର ରକ୍ଷଣାବେକ୍ଷଣ ଏବଂ ସ୍ପେୟାର ପାର୍ଟସ ,ଲଜିଷ୍ଟିକ୍ସ ଏବଂ ଦୀର୍ଘକାଳୀନ ବୈଷୟିକ ସହାୟତା ସାମିଲ ଅଛି।
ପାକିସ୍ତାନ ପାଖରେ ପୂର୍ବରୁ ହିଁ ୨୦ରୁ ଅଧିକ J-10CE ବିମାନ ରହିଛି। ଯଦିଓ ମେ ୨୦୨୫ ରେ ହୋଇ ଥିବା 'ଅପରେସନ୍ ସିନ୍ଦୂର' ସମୟରେ ପାକିସ୍ତାନ ଓ ଚୀନ୍ ଏହି ବିମାନଗୁଡ଼ିକୁ ନେଇ ଅନେକ ବଡ଼ ଦାବି କରିଥିଲେ, ଯାହାକୁ ଭାରତୀୟ ପ୍ରତିରକ୍ଷା ବିଶେଷଜ୍ଞମାନେ କେବଳ ମିଥ୍ୟା ପ୍ରଚାର ବୋଲି କହି ଥିଲେ। ଭାରତ ପାଖରେ ଥିବା ଫ୍ରାନ୍ସ ନିର୍ମିତ ରାଫେଲ୍ ବିମାନ ଆଗରେ J-10CE ର ପ୍ରଯୁକ୍ତିବିଦ୍ୟା କୌଣସି ଗୁଣରେ ତିଷ୍ଠି ପାରିବ ନାହିଁ, କିନ୍ତୁ ଦାମ୍ କମ୍ ଥିବାରୁ ଚୀନ୍ ଏହି ପଡ଼ୋଶୀ ଦେଶଗୁଡ଼ିକୁ ସହଜରେ ନିଜ ଆଡ଼କୁ ଆକୃଷ୍ଟ କରିବାରେ ସଫଳ ହେଉଛି।
ଭାରତୀୟ ରଣନୀତିକାରଙ୍କ ମତରେ, ଅସଲ ଆହ୍ୱାନ ବାଂଲାଦେଶର ତତ୍କାଳୀନ ସାମରିକ କ୍ଷମତାକୁ ନେଇ ନୁହେଁ, ଏହା ଭାରତର ପୂର୍ବ ଏବଂ ପଶ୍ଚିମ ଉଭୟ ସୀମାରେ ଚୀନ୍ ସାମରିକ ଇକୋସିଷ୍ଟମ୍ ମଜବୁତ୍ ହେବାକୁ ନେଇ ରହିଛି। ଯଦି ବାଂଲାଦେଶ ମଧ୍ୟ ସେହି ଚୀନ୍ ଫାଇଟର ଜେଟ୍ ବ୍ୟବହାର କରେ, ଯାହା ପାକିସ୍ତାନ କରୁଛି , ତ ଭାରତକୁ ଉଭୟ ସୀମାରେ ଏକା ଭଳି ଚୀନ୍ ଆଭିଓନିକ୍ସ, ରାଡାର ସିଷ୍ଟମ୍, ଡାଟା-ଲିଙ୍କ୍ ପ୍ରୋଟୋକଲ୍ ଏବଂ ଇଲେକ୍ଟ୍ରୋନିକ୍ ୱାରଫେୟାର ଟେକ୍ନୋଲୋଜିର ସାମ୍ନା କରିବାକୁ ପଡ଼ିବ।
ଜୁନ୍ ୨୦୨୪ରେ ବାଂଲାଦେଶୀ ଅଧିକାରୀଙ୍କ ବେଜିଂ ଗସ୍ତ ପରେ ଏହି ଚୁକ୍ତି ଜୋରଦାର ହୋଇଥିଲା। ଅନୁମାନ କରାଯାଉଛି ଯେ, ଅଗଷ୍ଟ ୨୦୨୬ ସୁଦ୍ଧା ଏହି ଚୁକ୍ତିନାମାରେ ଚୂଡ଼ାନ୍ତ ଦସ୍ତଖତ ହେବ ଏବଂ ୨୦୨୬ ଶେଷ କିମ୍ବା ୨୦୨୭ ଆରମ୍ଭ ସୁଦ୍ଧା ଜେଟ୍ ଗୁଡ଼ିକର ଡେଲିଭରୀ ଆରମ୍ଭ ହୋଇ ପାରେ। ଅନ୍ୟପଟେ ଭାରତ ପାଇଁ ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ବାଂଲାଦେଶର ଲାଲମୋନିରହାଟ ଏୟାରବେସ୍। ଏହି ପୁରୁଣା ଏୟାରବେସ୍ ଭାରତ-ବାଂଲାଦେଶ ସୀମାରୁ ମାତ୍ର ୧୨-୧୫ କିଲୋମିଟର ଦୂରରେ ଅବସ୍ଥିତ ଏବଂ ଭାରତର ଅତ୍ୟନ୍ତ ସମ୍ବେଦନଶୀଳ ସିଲିଗୁଡ଼ି କରିଡର (ଚିକେନ୍ ନେକ୍) ର ଖୁବ୍ ନିକଟତର। ଏହା ୨୦ ରୁ ୪୦ କିଲୋମିଟର ଓସାରର ଏକ ସଂକୀର୍ଣ୍ଣ ଭୂଖଣ୍ଡ, ଯାହା ଭାରତର ମୁଖ୍ୟ ଭୂଖଣ୍ଡକୁ ଉତ୍ତର-ପୂର୍ବର ଆଠଟି ରାଜ୍ୟ ସହ ଯୋଡ଼ି ଥାଏ।
ଏତେ ପାଖରେ ଆଧୁନିକ ମଲ୍ଟିରୋଲ୍ ଫାଇଟର ଜେଟ୍ ମୁତୟନ ହେବା ଦ୍ୱାରା ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ସୁରକ୍ଷା ଉପରେ ସିଧାସଳଖ ରଣନୈତିକ ଚାପ ସୃଷ୍ଟି ହେବ।
ଆହୁରି ମଧ୍ୟ ପଢନ୍ତୁ - ୨ ବର୍ଷ ପରେ ମିଡିଆ ଆଗକୁ ଆସିବେ ଶେଖ ହସିନା, ସେପଟେ ବାଂଲାଦେଶ ଦେଲା ଭାରତକୁ ଚେତାବନୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।