29 JULY 2026

Welcome!

Unlock your personalized experience.
Sign Up

ପିଓକେରେ ନିରସ୍ତ୍ର ପ୍ରଦର୍ଶନକାରୀଙ୍କ ଉପରେ ପାକ୍ ସେନାର ଗୁଳିମାଡ଼, ୪୮ ଘଣ୍ଟାରେ ୩୦ ମୃତ

Jul 29, 2026 - 18:46
ପିଓକେରେ ନିରସ୍ତ୍ର ପ୍ରଦର୍ଶନକାରୀଙ୍କ ଉପରେ ପାକ୍ ସେନାର ଗୁଳିମାଡ଼, ୪୮ ଘଣ୍ଟାରେ ୩୦ ମୃତ

ନୂଆଦିଲ୍ଲୀ,୨୯।୭:  ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ବିବାଦ ଜାରି ରହିଛି। ବିଧାନସଭା ନିର୍ବାଚନ ବେଳେ ୪୮ ଘଣ୍ଟାରୁ କମ୍ ସମୟରେ ୩୦ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଏହି ସମସ୍ତଙ୍କୁ ପାକିସ୍ତାନ ସେନା ଗୁଳି କରି ହତ୍ୟା କରିଛି। ଏହି ଘଟଣା ପରେ ପାକିସ୍ତାନ ସେନାର କାର୍ଯ୍ୟାନୁଷ୍ଠାନ ଉପରେ ଅନ୍ତର୍ଜାତୀୟ ସ୍ତର ଉପରେ ପ୍ରଶ୍ନ ଉଠାଯାଉଛି। ୟୁନାଇଟେଡ୍ କିଙ୍ଗଡମ୍ (ୟୁକେ)ରେ ମଧ୍ୟ ପ୍ରବାସୀ ସମୁଦାୟ ପ୍ରଦର୍ଶନ କରିଥିଲେ। ସେଭଳି ମାନବାଧିକାର ସଂଗଠନ ଏମନିଷ୍ଟି ଇଣ୍ଟରନ୍ୟାସନାଲ ଏହି ଅଞ୍ଚଳରେ ଅଧିକ ସ୍ବାଧୀନତାର ଦାବି କରି ଆନ୍ଦୋଳନରେ ପାକିସ୍ତାନୀ ପ୍ରଶାସନର ମାସ ମାସ ଧରି ଜାରି କାର୍ଯ୍ୟାନୁଷ୍ଠାନ ନେଇ ଦୁନିଆର ଧ୍ୟାନ ଆକୃଷ୍ଟ କରିଛି।

ପ୍ରମାଣ ନଷ୍ଟ ପାଇଁ ମୃତଦେହ ଗାଏବ

ସେଭଳି ଜମ୍ମୁ-କଶ୍ମୀରରେ ଜଏଣ୍ଟ ଆୱାମୀ ଆକ୍ସନ କମିଟି (JAAC) ଅଭିଯୋଗ କରିଛି, ପାକିସ୍ତାନ ସେନା ଗତ ଦୁଇ ଦିନରେ ଅତି କମରେ ୩୦ ଜଣଙ୍କୁ ମାରି ସାରିଛି। ସୋମବାର ୨୫ ଓ ମଙ୍ଗଳବାର ୫ ଜଣଙ୍କର ମୃତ୍ୟୁ ହୋଇଛି। ସୋମବାର ପିଓକେରେ ଇଣ୍ଟରନେଟ୍ ବ୍ଲାକଆଉଟ୍, ରାଜନୈତିକ ଅଶାନ୍ତି, ହତିଆରବନ୍ଦ କାର୍ଯ୍ୟାନୁଷ୍ଠାନ ଓ ବହୁ ପରିମାଣରେ ଠକେଇର ଅଭିଯୋଗ ଭିତରେ ନିର୍ବାଚନ ଶେଷ ହୋଇଛି।

JAAC ମୁଖପାତ୍ର ଏସଏ ଖାନ ପାକିସ୍ତାନୀ ସୁରକ୍ଷା ବାହିନୀଙ୍କୁ ନିରସ୍ତ୍ର ପ୍ରଦର୍ଶନକାରୀଙ୍କ ଉପରେ ଗୁଳି ଚଳାଇ ପ୍ରମାଣ ନଷ୍ଟ କରିଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ‘ସୁରକ୍ଷା ବାହିନୀ ମୃତଦେହଗୁଡ଼ିକୁ ହଟାଇ ଦେଇଛନ୍ତି ଏବଂ ମିରପୁର ହସ୍ପିଟାଲକୁ ବନ୍ଦ କରିଦେଇଛନ୍ତି। ରାସ୍ତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ପଡ଼ିଥିବାର ଫଟୋ ଏବଂ ଭିଡିଓ ପ୍ରମାଣ ଆମ ପାଖରେ ଅଛି। ପ୍ରମାଣ ନଷ୍ଟ କରିବା ପାଇଁ ସୁରକ୍ଷା ବାହିନୀ ମୃତଦେହଗୁଡ଼ିକୁ ହଟାଇ ଦେଇଛନ୍ତି।’

ଅନ୍ତର୍ଜାତୀୟ ସ୍ତରରେ ଉଠିଲା ପ୍ରଶ୍ନ

ଏମନିଷ୍ଟ ସାଉଥ୍ ଏସିଆର ଆକ୍ଟିଂ ଡାଇରେକ୍ଟର ଇସାବେଲ୍ ଲେସୀ କହିଛନ୍ତି, ଏହି ଘଟଣା ପ୍ରଦର୍ଶନକାରୀଙ୍କ ବିରୋଧରେ ପାକିସ୍ତାନ ଦ୍ବାରା ଗ୍ରହଣ କରାଯାଇଥିବା ବେଆଇନ ହିଂସା, ଏହାକୁ ଯାହାକି ଦୀର୍ଘ ବର୍ଷ ହେବ ଚାଲିଛି। ସେ କହିଛନ୍ତି, ସୁରକ୍ଷା ବଳ ଦ୍ବାରା ପ୍ରଦର୍ଶନକାରୀଙ୍କ ବିରୋଧରେ ବଳ ପ୍ରୟୋଗର ତୁରନ୍ତ ଯାଞ୍ଚ ନିର୍ଦେଶ ଦିଆଯିବା ଦରକାର। ଯେଉଁ ପର୍ଯ୍ୟନ୍ତ ଇଣ୍ଟରନେଟ୍ ଓ ମୋବାଇଲ ସେବାରେ ବ୍ଲାକଆଉଟ୍ ଜାରି ରହିବ, ସେ ପର୍ଯ୍ୟନ୍ତ ବାସ୍ତବିକ ସ୍ଥିତିର ସ୍ବତନ୍ତ୍ର ଯାଞ୍ଚରେ ଗମ୍ଭୀର ବାଧା ରହିବ। ଆମେ ପାକିସ୍ତାନ ଅଧିକାରୀଙ୍କୁ ସଞ୍ଚାର ସେବା ଆରମ୍ଭ କରିବା ତଥା ମିଡିଆ ଓ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକଙ୍କୁ ସେ ଅଞ୍ଚଳକୁ ଯିବାର ଅନୁମତି ଦେବାର କଥା କହିଛୁ। ଜଏଣ୍ଟ ଆୱାମୀ ଆକ୍ସନ କମିଟିର ଆନ୍ଦୋଳନ ପାକିସ୍ତାନ ଅଧିକୃତ କାଶ୍ମୀର (PoK) ଅଞ୍ଚଳରେ ମୁଖ୍ୟତଃ ରାଜନୈତିକ ପ୍ରତିନିଧିତ୍ୱ, ନିର୍ବାଚନ ବର୍ଜନ ଏବଂ ଆର୍ଥିକ ସଂସ୍କାରକୁ ନେଇ ଏକ ବଡ଼ ଆନ୍ଦୋଳନ ଚଳାଇଛି।

JAAC ର କ’ଣ ରହିଛି ଦାବୀ ?

ପାକିସ୍ତାନ ସରକାର ଆଗରେ JAAC କିଛି ଦାବୀ ରଖିଛି। ତା ଅନୁସାରେ ମନ୍ତ୍ରୀ, ବରିଷ୍ଠ ଅଧିକାରୀ, ବିଚାରପତି ଏବଂ ଅମଲାଙ୍କ ବିଶେଷ ଅଧିକାର ଉଚ୍ଛେଦ ହେଉ। ପିଓକେ ବିଧାନସଭାରେ ପାକିସ୍ତାନରେ ଶରଣାର୍ଥୀଙ୍କ ପାଇଁ ସଂରକ୍ଷିତ ୧୨ଟି ଆସନ ଉଚ୍ଛେଦ ହେଉଃ ସମସ୍ତଙ୍କ ପାଇଁ ମାଗଣା ଏବଂ ସମାନ ଶିକ୍ଷା ପ୍ରଦାନ ଏବଂ ଛାତ୍ର ସଂଘଗୁଡ଼ିକୁ ପୁନରୁଦ୍ଧାର କରାଯାଉ। ପିଓକେରେ ଏକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ। ଶରଣାର୍ଥୀ କୋଟା ଉଚ୍ଛେଦ ଏବଂ ସରକାରୀ ଚାକିରିରେ କୋଟା ବ୍ୟବସ୍ଥା ଉଚ୍ଛେଦ। ବିଦ୍ୟୁତ୍ ଏବଂ ଗହମ/ଅଟା ପ୍ରସଙ୍ଗରେ ଦିଆଯାଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ। ମିଳିତ ଆୱାମୀ କ୍ରିୟା କମିଟି କର୍ମୀଙ୍କ ବିରୁଦ୍ଧରେ ପୋଲିସ ମାମଲା ପ୍ରତ୍ୟାହାର। କଠୋର ଆଇନ ଏବଂ ଦମନକାରୀ ବାହ୍ୟ ସୁରକ୍ଷା ବ୍ୟବସ୍ଥାର ଉଚ୍ଛେଦ । ସ୍ଥାନୀୟ ଉତ୍ପାଦନ ମୂଲ୍ୟ ଏବଂ ବିଦ୍ୟୁତ୍ ଦର ହ୍ରାସ । ନାଗରିକଙ୍କ ଅଧିକାରକୁ ସୁରକ୍ଷା ଦେବା ଏବଂ JAAC ସହିତ ପୂର୍ବରୁ ହୋଇଥିବା ସମସ୍ତ ଚୁକ୍ତିନାମାକୁ କାର୍ଯ୍ୟକାରୀ କରିବା ନେଇ ଦାବି ହୋଇଛି। ବହୁ ସପ୍ତାହ ହେବ JAAC ନେତୃତ୍ବରେ କଠୋର କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ବିରୋଧ ପ୍ରଦର୍ଶନଠାରୁ ଏପର୍ଯ୍ୟନ୍ତ ମୋଟ ୪୦ ଜଣଙ୍କର ମୃତ୍ୟୁ ହୋଇସାରିଛି। ତାଙ୍କ ଭିତରେ ୩୪ ଜଣ ପ୍ରଦର୍ଶନକାରୀ ଓ ୬ ଜଣ ସୁରକ୍ଷା କର୍ମୀ ରହିଛନ୍ତି। ଏହି କାରଣରୁ ପାକିସ୍ତାନ ପ୍ରଶାସନ ପିଓକେରେ ୫ ଜୁନ ଇଣ୍ଟରନେଟ୍ ବନ୍ଦ ରଖିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।