ଡାକ୍ତର ଆନ୍ଦୋଳନ: ଚିକିତ୍ସା ଅଭାବରୁ ପ୍ରସୂତିଙ୍କ ମୃତ୍ୟୁ

Jul 04, 2026 - 20:05
ଡାକ୍ତର ଆନ୍ଦୋଳନ: ଚିକିତ୍ସା ଅଭାବରୁ ପ୍ରସୂତିଙ୍କ ମୃତ୍ୟୁ

ଖଡ଼ିଆଳ,୪ା୭ (ସୁଜିତ କୁମାର ପ୍ରଧାନ)- ଡାକ୍ତରଙ୍କ ଆନ୍ଦୋଳନ ଯୋଗୁ ଠିକ୍‌ ସମୟରେ ଚିକିତ୍ସା ନ ପାଇ ଜଣେ ପ୍ରସୂତିଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ବିରିଘାଟ ଗ୍ରାମରେ ଘଟିଛି। ସୂଚନା ଅନୁଯାୟୀ, ଶୁକ୍ରବାର ବିରିଘାଟ ଗ୍ରାମର ଭଲ ଖର୍ସେଲଙ୍କ ସ୍ତ୍ରୀ ଗୀତାଞ୍ଜଳି ହଠାତ୍‌ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। ତୁରନ୍ତ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ଡାକି ତାଙ୍କୁ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟକୁ ନେଉଥିଲେ। ହେଲେ ହସ୍ପିଟାଲରେ ପହଞ୍ଚତ୍ବା ପୂର୍ବରୁ ରାସ୍ତାରେ ସେ ଏକ କନ୍ୟାସନ୍ତାନକୁ ଜନ୍ମ ଦେଇଥିଲେ। ପ୍ରସବ ପରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଖଡ଼ିଆଳ ଡାକ୍ତରଖାନାରେ ପହଞ୍ଚତ୍ବା ପରେ ଡାକ୍ତରମାନେ ଆନ୍ଦୋଳନରେ ଥିବାରୁ ଚିକିତ୍ସାସେବା ମିଳି ନ ଥିଲା। କର୍ତ୍ତବ୍ୟରତ ନର୍ସମାନେ ଯଥାସମ୍ଭବ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ବିଫଳ ହୋଇଥିଲେ। ପରେ ରାତି ପ୍ରାୟ ୧୧ଟା ସମୟରେ ତାଙ୍କୁ ଖଡିଆଳ ମିଶନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ମଧ୍ୟ ରାତି ୨ଟା ସମୟରେ ତାଙ୍କୁ ରାୟପୁର ନେବା ପାଇଁ ରେଫର କରିଦିଆଯାଇଥିଲା। କିନ୍ତୁ ରାୟପୁର ଯିବା ବାଟରେ ଅଧିକ ରକ୍ତସ୍ରାବ ହେତୁ ଗୀତାଞ୍ଜଳିଙ୍କର ମୃତ୍ୟୁ ଘଟିଥିଲା। ନବଜାତ ଶିଶୁକନ୍ୟା ଜୀବିତ ଥିବାବେଳେ ମା’ଙ୍କୁ ହରାଇ ଶୋକରେ ବୁଡିଯାଇଛି ସମଗ୍ର ପରିବାର। ମୃତା ମହିଳାଙ୍କ ପରିବାର ଲୋକେ ସିଧାସଳଖ ଡାକ୍ତରମାନଙ୍କ ଆନ୍ଦୋଳନକୁ ହିଁ ଏହି ମୃତ୍ୟୁ ପାଇଁ ଦାୟୀ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ଯଦି ଠିକ୍‌ ସମୟରେ ଡାକ୍ତର ଚିକିତ୍ସା କରିଥାନ୍ତେ ତେବେ ଗୀତାଞ୍ଜଳି ବଞ୍ଚତ୍ୟାଇଥାନ୍ତେ। ଘଟଣା ପରେ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏ ବିଷୟରେ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟର ଅବସର ପରେ ପୁନର୍ବାର ଦାୟିତ୍ୱରେ ଥିବା ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଭୁବନେଶ୍ୱର ମିଶ୍ରଙ୍କୁ ପଚାରିବାରୁ ପ୍ରସୂତି ମା’ ଜଣକ ପ୍ରସବ କଲା ପରେ ଫୁଲ ରହିଯାଇଥିବାରୁ ପ୍ରଚୁର ରକ୍ତସ୍ରାବ ହେଉଥିଲା। ଅପରେଶନକରି ଫୁଲ ବାହାର କରିଦେବା ଜରୁରୀ ଥିଲା। ଆମ ପାଖରେ ସାଧନ ନ ଥିବାବେଳେ ବ୍ଲଡ୍‌ ବ୍ୟାଙ୍କ ମଧ୍ୟ ନାହିଁ। ଫଳରେ ଆମେ ନିକଟସ୍ଥ ମିଶନ ହସ୍ପିଟାଲକୁ ରେଫର କରିଥିଲୁ। ସେଠାରେ ସମସ୍ତ ସାଧନ ଥିବା ସତ୍ତ୍ୱେ କ’ଣ ପାଇଁ ରାୟପୁର ରେଫର କଲେ କହିପାରିବେନାହିଁ ବୋଲି ସେ କହିଥିଲେ। ଉପଖଣ୍ଡ ଡାକ୍ତରଖାନାର ମୁଖ୍ୟ ଚିକିତ୍ସାଧିକାରୀ ଡା. ରଞ୍ଜିତ କୁମାର ରାଉତଙ୍କୁ ପଚାରିବାରୁ ଆନ୍ଦୋଳନରେ ଥିବାରୁ କିଛି କହିପାରିବେନାହିଁ ବୋଲି କହିଥିଲେ। ସେହିପରି ମିଶନ ହସ୍ପିଟାଲ ମୁଖ୍ୟ ନିବେଦିତା ପରମାଣିକଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ୍‌ କଲ୍‌ ରିସିଭ କରି ନ ଥିଲେ।

The post ଡାକ୍ତର ଆନ୍ଦୋଳନ: ଚିକିତ୍ସା ଅଭାବରୁ ପ୍ରସୂତିଙ୍କ ମୃତ୍ୟୁ appeared first on Dharitri Odia News.