Netaji's memory: ନେତାଜୀଙ୍କ ସ୍ମୃତିକୁ ପରିହାସ: ରେଭେନ୍‌ସା କଲିଜିଏଟ୍‌ ଛାତ୍ରାବାସ ପ୍ରକୋଷ୍ଠ-୧୧ ପାଲଟିଛି ରୋଷେଇଶାଳ

Nov 13, 2026 - 03:28
Netaji's memory: ନେତାଜୀଙ୍କ ସ୍ମୃତିକୁ ପରିହାସ: ରେଭେନ୍‌ସା କଲିଜିଏଟ୍‌ ଛାତ୍ରାବାସ ପ୍ରକୋଷ୍ଠ-୧୧ ପାଲଟିଛି ରୋଷେଇଶାଳ

କଟକ (ଜ୍ୟୋତିପ୍ରକାଶ ମହାପାତ୍ର) : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସ୍ମୃତିରକ୍ଷା ପାଇଁ ସଂରକ୍ଷିତ ରେଭେନ୍ସା କଲିଜିଏଟ୍‌ ସ୍କୁଲ ଛାତ୍ରାବାସ 'ପ୍ରକୋଷ୍ଠ-୧୧' ପାଲଟିଛି ରୋଷେଇଶାଳ।

ଏଭଳି ଅଭାବନୀୟ ଦୃଶ୍ୟ ଏବେ ସାମନାକୁ ଆସିଥିବା ବେଳେ ଏହାକୁ ନେଇ ନେତାଜୀ ପ୍ରେମୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି।

ନେତାଜୀଙ୍କ ସ୍ମୃତିରକ୍ଷା ପାଇଁ ଏହି ପ୍ରକୋଷ୍ଠକୁ ସଂରକ୍ଷିତ ରଖାଯାଇଥିବା ବେଳେ ବର୍ତ୍ତମାନ ସେହି କକ୍ଷରେ ଏଣେତେଣେ ଟେବୁଲ, ଗ୍ୟାସ୍‌ଚୁଲା ଆଉ ସିଲିଣ୍ଡର ପଡ଼ିରହିବାର ଅଭାବନୀୟ ଦୃଶ୍ୟ ସାମନାକୁ ଆସିଛି।

ପ୍ରତିବର୍ଷ ନେତାଜୀ ଜୟନ୍ତୀ ଅର୍ଥାତ୍‌ ଜାନୁଆରି ୨୩ ପୂର୍ବରୁ ପ୍ରଶାସନ ପକ୍ଷରୁ ଉକ୍ତ ପ୍ରକୋଷ୍ଠଟିକୁ ରଙ୍ଗ କରି ଦାୟିତ୍ବ ଶେଷ କରି ଦିଆଯାଏ।

କିନ୍ତୁ ତା' ପରବର୍ତ୍ତୀ ସ୍ଥିତିରେ ସେହି କକ୍ଷରେ ଏଭଳି ‌ରୋଷେଇ ହେବା ଘଟଣା ଉଦ୍‌ବେଗର କାରଣ ହୋଇଛି।

Advertisment କଟକର ଓଡ଼ିଆ ବଜାରସ୍ଥିତ ଜାନକୀନାଥ ଭବନରେ ୧୮୯୭ ଜାନୁଆରି ୨୩ରେ ଜନ୍ମିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ପ୍ରଥମେ ପ୍ରୋଟେଷ୍ଟାଣ୍ଟ ୟୁରୋପିଆନ୍‌ ସ୍କୁଲ ତଥା ବର୍ତ୍ତମାନର ଷ୍ଟିୱାର୍ଟ ସ୍କୁଲରେ ପାଠପଢ଼ା ଆରମ୍ଭ କରିଥିଲେ।

୧୯୦୯ରେ ରେଭେନ୍ସା କଲିଜିଏଟ୍‌ ସ୍କୁଲରେ ନେତାଜୀ ନାମ ଲେଖାଇଥିଲେ।

ରେଭେନ୍ସା କଲିଜିଏଟ୍‌ ସ୍କୁଲରେ ପଢ଼ିବା ସମୟରେ ସ୍କୁଲରେ ଥିବା ଛାତ୍ରାବାସରେ ସେ ରହିଥିଲେ।

ଓଡ଼ିଆ ବଜାରରେ ପୈତୃକ ଘର ଥିଲେ ବି ନେତାଜୀଙ୍କ ପାଠପଢ଼ାକୁ ଗୁରୁତ୍ବ ଦେଇ ବାପା ଜାନକୀନାଥ ବୋଷ ତାଙ୍କୁ ଛାତ୍ରାବାସରେ ରଖିଥିଲେ।

ସେହି ସମୟରେ ଛାତ୍ରାବାସର ପ୍ରକୋଷ୍ଠ-୧୧‌ରେ ନେତାଜୀ ରହିଥିଲେ।

ସେଥିପାଇଁ ଉକ୍ତ କୋଠରିକୁ ନେତାଜୀ ପ୍ରକୋଷ୍ଠ ବୋଲି କୁହାଯାଏ।

ପ୍ରକୋଷ୍ଠ-୧୧ରେ ନେତାଜୀ ବ୍ୟବହାର କରିଥିବା ଖଟ, ଟେବୁଲ, ଚୌକି ଓ କାନ୍ଥରେ ତାଙ୍କର ଏକ ଫଟୋଚିତ୍ର ଥିଲା।

ମାତ୍ର ନେତାଜୀ ବ୍ୟବହାର କରିଥିବା ଖଟ ଏବେ ନ ଥିବା ବେଳେ ଟେବୁଲ ଉପରେ ଗ୍ୟାସ୍‌ ଚୁଲା ରଖାଯାଇ ରୋଷେଇ କରାଯାଉଥିବା ଦେଖିବାକୁ ମିଳୁଛି।

ଉକ୍ତ ‌କୋଠରିରେ ଗ୍ୟାସ୍‌ ସିଲିଣ୍ଡର, ଗ୍ୟାସ୍‌ ଚୁଲା, କ୍ରିକେଟ୍‌ ଷ୍ଟମ୍ପ ଆଦି ପଡ଼ିରହିଛି।

ଅନ୍ୟପଟେ ଛାତ୍ରାବାସର ଛାତ ଓ କାନ୍ଥରୁ ସିମେଣ୍ଟ ଖଣ୍ଡ ଖସୁଥିବା ବେଳେ ପରିସରରେ ଅନାବନା ଗଛ ଉଠିଛି।

ନେତାଜୀଙ୍କ ସ୍ମୃତିରକ୍ଷା ପାଇଁ ବିଭିନ୍ନ ସମୟରେ ସରକାର ପଦକ୍ଷେପ ନେଉଥିବାର ପ୍ରଚାର କରାଯାଉଥିବା ବେଳେ ଅନେକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ କୁହାଯାଉଥିବା ରେଭେନ୍ସା କଲିଜିଏଟ୍‌ ସ୍କୁଲ ଛାତ୍ରାବାସର ନେତାଜୀ ପ୍ରକୋଷ୍ଠ-୧୧ର ଏଭଳି ସ୍ଥିତିକୁ ପୁରାତନ ଛାତ୍ର ସଂସଦର ଉପସଭାପତି ଧର୍ମେଶ ନାୟକ ନିନ୍ଦା କରିଛନ୍ତି।

ଅନ୍ୟପଟେ ଏହି କକ୍ଷର ଫଟୋ ଓ ଅନ୍ୟ ସବୁ ପ୍ରମାଣ ଥାଇ ବି ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ପ୍ରଗତି ପଣ୍ଡା କହିଛନ୍ତି ଯେ ସେ କକ୍ଷ ସବୁବେଳେ ତାଲା ପଡ଼ିଥାଏ।

କୌଣସି ବିଶିଷ୍ଟ ବ୍ୟକ୍ତି ଆସିଲେ ସେହି କକ୍ଷ ଦେଖାଇବାକୁ ନିଆଯାଏ।

ସେ କକ୍ଷରେ ଏଭଳି ହୋଇଥିବ ବୋଲି ସେ ବିଶ୍ବାସ କରୁ ନାହାନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)